ନୂଆଦିଲ୍ଲୀ ୨୪/୦୫: ବିଶ୍ୱର ଅନ୍ୟତମ ସବୁଠୁ ବିଶାଳ ସାମୁଦ୍ରିକ ଜୀବ ହମ୍ପବ୍ୟାକ୍ ତିମି ଏକ ନୂଆ ରେକର୍ଡ କରିଛି । ଦୁଇଟି ହମ୍ପବ୍ୟାକ୍ ତିମି ବ୍ରାଜିଲ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୪,୦୦୦ରୁ ୧୫,୧୦୦ କିମି ଦୂରତା ଅତିକ୍ରମ କରି ନିଜ ପ୍ରଜାତିରେ ଦୀର୍ଘତମ ଯାତ୍ରାର ରେକର୍ଡ କରିଛନ୍ତି । ଏହା ପୂର୍ବରୁ କୌଣସି ହମ୍ପବ୍ୟାକ୍ ତିମି ନାଁରେ ଏଭଳି ରେକର୍ଡ ନ ଥିଲା । ଅନ୍ତର୍ଜାତୀୟ ଗବେଷକ ଟିମ୍ ତିମିଙ୍କ ଲାଞ୍ଜର ଫଟୋ ଆଧାରରେ ସେମାନଙ୍କ ଯାତ୍ରାକୁ ଟ୍ରାକ୍ କରିଥିଲେ । ଫଟୋରେ କିଛି ସାଧାରଣ ଫଟୋଗ୍ରାଫରଙ୍କ ଚିତ୍ର ବି ଥିଲା ।
ସବୁ ହମ୍ପବ୍ୟାକ୍ ତିମିର ଲାଞ୍ଜ ତଳର ପ୍ୟାଟର୍ନ ସମ୍ପୂର୍ଣ୍ଣ ଭିନ୍ନ, ଠିକ୍ ଯେମିତି ମଣିଷର ଆଙ୍ଗୁଳି ଚିହ୍ନ । ବୈଜ୍ଞାନିକମାନେ ୧୯୮୪ରୁ ୨୦୦୫ ମଧ୍ୟରେ ଅଷ୍ଟ୍ରେଲିଆ ଓ ଲାଟିନ୍ ଆମେରିକାରେ ଉତ୍ତୋଳନ କରିଥିବା ୧୯ହଜାରରୁ ଅଧିକ ଫଟୋକୁ ବିଶ୍ଳେଷଣ କରିଥିଲେ । ଇମେଜ୍ ରିକଗ୍ନିସନ୍ ଆଲ୍ଗୋରିଦମ୍ ସାହାଯ୍ୟରେ ସେମାନେ ସାମଞ୍ଜସ୍ୟ ଖୋଜିଲେ ଏବଂ ଦୁଇ ତିମିଙ୍କର ପୂରା ଯାତ୍ରାକୁ ଯୋଡ଼ିଲେ । ପ୍ରଥମ ତିମିକୁ ସର୍ବପ୍ରଥମେ ୨୦୦୭ରେ ଅଷ୍ଟ୍ରେଲିଆର କ୍ୱିନ୍ସଲାଣ୍ଡ ସ୍ଥିତ ହର୍ବେଠାରେ ଦେଖାଯାଇଥିଲା । ତା’ପରେ ୨୦୧୩ରେ ପୁଣି ସେହି ସ୍ଥାନରେ ଦେଖାଗଲା । ୬ ବର୍ଷ ପରେ ୨୦୧୯ରେ ବ୍ରାଜିଲର ସାଓ ପାଉଲୋ ନିକଟରେ ଦେଖାଗଲା । ଏହି ଦୁଇ ସ୍ଥାନ ମଧ୍ୟରେ ସିଧା ଦୂରତା ପ୍ରାୟ ୧୪,୨୦୦ କିମି ।
୨ୟ ତିମି ଓଲଟା ଯାତ୍ରା କରିଛି । ଏହାକୁ ୨୦୦୩ରେ ବ୍ରାଜିଲର ବାହିୟା ତଟରେ ଦେଖିବାକୁ ମିଳିଥିଲା । ପ୍ରାୟ ୨୨ ବର୍ଷ ପରେ ୨୦୨୫ରେ ପୁଣି ଅଷ୍ଟ୍ରେଲିଆର ହର୍ବେରେ ଦେଖାଗଲା । ଏହାର ଯାତ୍ରା ଦୂରତା ୧୫,୦୦୦ କିମି ଆକଳନ କରାଯାଇଛି । ଏହା ପୂର୍ବର ରେକର୍ଡ କୋଲମ୍ବିୟାରୁ ଆଫ୍ରିକା ପର୍ଯ୍ୟନ୍ତ ୧୩,୦୦୦ କିମିର ଥିଲା । ଦକ୍ଷିଣ ଗୋଲାର୍ଦ୍ଧର ହମ୍ପବ୍ୟାକ୍ ତିମି ଖାସ୍କରି ନିର୍ଦ୍ଧାରିତ ମାର୍ଗରେ ବୁଲନ୍ତି । ଥଣ୍ଡା ପାଣିଯୁକ୍ତ କ୍ଷେତ୍ରରେ ଭୋଜନ କରନ୍ତି ଏବଂ ଗରମ ପାଣିଯୁକ୍ତ ଉଷ୍ଣମଣ୍ଡଳୀୟ କ୍ଷେତ୍ରରେ ପ୍ରଜନନ କରନ୍ତି । ମା’ ନିଜ ସନ୍ତାନଙ୍କୁ ଏହି ମାର୍ଗ ଶିଖାନ୍ତି । ସେଥିପାଇଁ ଏମାନେ ସାଧାରଣତଃ ଗୋଟିଏ ମାର୍ଗରେ ବାରମ୍ବାର ଯାତ୍ରା କରନ୍ତି । ତେବେ ତିମିଙ୍କର ଦୀର୍ଘତମ ଯାତ୍ରାର ପ୍ରକୃତ କାରଣ ବୈଜ୍ଞାନିକମାନେ ଅଦ୍ୟାବଧି ଜାଣିପାରି ନାହାନ୍ତି । କିନ୍ତୁ ଆଶଙ୍କା କରୁଛନ୍ତି, ସମୁଦ୍ରରେ ହେଉଥିବା ପରିବର୍ତ୍ତନ, ଖାସ୍କରି ଜଳବାୟୁ ପରିବର୍ତ୍ତନ ଯୋଗୁ ଏମାନଙ୍କ ପ୍ରବାସ ମାର୍ଗ ପ୍ରଭାବିତ ହେଉଛି । ମୂଳ କ୍ଷେତ୍ରରେ ଖାଦ୍ୟ ଅଭାବ କିମ୍ବା ଚାପ ଯୋଗୁ କିଛି ତିମି ନୂଆ ସ୍ଥାନ ଅନ୍ୱେଷଣରେ ବାହାରି ପଡୁଛନ୍ତି ।
ଆହୁରି ପଢ଼ନ୍ତୁ...Super el nino: ‘ସୁପର ଏଲ୍ ନିନୋ’କୁ ନେଇ ସତର୍କବାଣୀ, ମାଡ଼ି ଆସିବ ବିନାଶ, ବିଗିଡିବ ଜଳବାୟୁ, ଭାରତରେ ଦୁର୍ବଳ ପାଲଟିବ ମୌସୁମୀ