୭୦ ଫୁଟ ଗଭୀର ବୋରୱେଲ ଭିତରୁ ଶିଶୁ ଉଦ୍ଧାର

ଭୋପାଳ,୨୭ ।୧(ଏଜେନ୍ସି):ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲା ଅନ୍ତର୍ଗତ କେରହର ଗ୍ରାମରେ ରବିବାର ସକାଳେ ୭୦ ଫୁଟ ଗଭୀର ଏକ ବୋରୱେଲ ଭିତରେ ପଡିଯାଇଥିବା ଦୁଇ ବର୍ଷର ଏକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଜି ସକାଳ ୮ଟା ସମୟରେ ପିଲାଟି ବୋରୱେଲ ନିକଟରେ ଖେଳୁଥିଲାବେଳେ ତା’ ଭିତରେ ପଡିଯାଇଥିଲା । ଏ ସମ୍ପର୍କରେ ସୂଚନା ମିଳିବା ପରେ ପ୍ରଶାସନିକ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ୪୫ ମିନିଟ ଭିତରେ ସେଠାରେ ପହଞ୍ଚଥିଲେ । ସେତେବେଳେ ପିଲାଟି ସୁରକ୍ଷିତ ଥିଲା ଏବଂ କଥାର ଜବାବ ଦେଉଥିଲା । ତେଣୁ ପିଲାଟି ସହିତ ତା’ର ପରିବାର ଲୋକଙ୍କୁ କଥାବାର୍ତ୍ତା ଜାରି ରଖିବାକୁ ପ୍ରଶାସନ ତରଫରୁ କୁହାଯାଇଥିଲା । ସେପଟେ ସେଇ ବୋରୱେଲ ଠାରୁ ୧୦ ଫୁଟ ଦୂରରେ ତୁରନ୍ତ ଆଉ ଏକ ଗର୍ତ୍ତ ଖୋଳାଯାଇଥିଲା । ଏହା ମଧ୍ୟ ଦେଇ ଉଦ୍ଧାରକାଳୀ ଦଳ ତଳକୁ ଯାଇଥିଲେ । ତା’ ପରେ ସେମାନେ ସମାନ୍ତରାଳ ଭାବେ ୧୦ଫୁଟ ଯାଏଁ ଖୋଳାଯାଇଥିବା ଅନ୍ୟ ଏକ ଗର୍ତ୍ତ ଦେଇ ବୋରୱେଲ ଭିତରକୁ ଯାଇଥିଲେ ଏବଂ ଶିଶୁଟିକୁ ଉଦ୍ଧାର କରିଥିଲେ । ଶିଶୁଟି ପୂରା ସୁରକ୍ଷିତ ଅଛି । ହେଲେ ସତର୍କତାମୂଳକ ପଦକ୍ଷେପ ଭାବେ ତା’କୁ ହସ୍ପିଟାଲ ନିଆଯାଇ ତା’ର ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଇଛି ।