ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସଂଯୁକ୍ତ ଆରବ ଏମିରେଟ୍ (UAE) ରେ ପହଞ୍ଚିଛନ୍ତି। ସେଠାରେ UAE ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ୍ ନିଜେ ତାଙ୍କୁ ସ୍ୱାଗତ କରିଛନ୍ତି। ଏହି ଗସ୍ତ ଅବସରରେ ଭାରତ ଏବଂ UAE ମଧ୍ୟରେ ତୈଳ ଏବଂ LPG କୁ ନେଇ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଅନ୍ୟପଟେ, ନାହୟାନଙ୍କ ସହ ଆଲୋଚନା ସମୟରେ ପିଏମ ମୋଦି କହିଛନ୍ତି ଯେ, ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଯଥା ସମ୍ଭବ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ଏହାପୂର୍ବରୁ UAE ର ଜଣେ ମନ୍ତ୍ରୀ ପିଏମ ମୋଦିଙ୍କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ ଏକ 'ପ୍ରକୃତ ସମ୍ପଦ' ବୋଲି ଦର୍ଶାଇଛନ୍ତି।
UAEର ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ର ମନ୍ତ୍ରୀ ରିମ୍ ଅଲ୍ ହାସିମି ପିଏମ ମୋଦିଙ୍କ ଗସ୍ତ ପୂର୍ବରୁ ANIକୁ ଦେଇଥିବା ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି। ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ଭାରତ ଏବଂ UAEର ସମ୍ପର୍କ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ରଣନୈତିକ ସହଯୋଗ କ୍ଷେତ୍ରରେ ନୂତନ ଶିଖରରେ ପହଞ୍ଚିବାକୁ ଯାଉଛି। ଅଲ୍ ହାସିମି ଏହା ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ। ଏକ ଶକ୍ତିଶାଳୀ ଭାରତ ଏବଂ ଶକ୍ତିଶାଳୀ UAE ବିନା ଭବିଷ୍ୟତ କଳ୍ପନା କରାଯାଇ ପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।
ସେ ସାକ୍ଷାତକାରରେ କହିଛନ୍ତି, ପିଏମ ମୋଦି UAEର ନେତୃତ୍ୱ ଏବଂ ଜନସାଧାରଣଙ୍କ ପାଇଁ ଜଣେ ପ୍ରକୃତ ସମ୍ପଦ ସଦୃଶ। ଆମେ ତାଙ୍କ ଆଗମନକୁ ଚାହିଁ ରହି ଥିଲୁ। ପିଏମ ମୋଦି ଦାୟିତ୍ୱ ଗ୍ରହଣ କରିବା ପର ଠାରୁ UAE ଏବଂ ଭାରତର ଶୀର୍ଷ ନେତୃତ୍ୱ ବର୍ଷକୁ ଅନେକ ଥର ନିୟମିତ ଭାବେ ପରସ୍ପରକୁ ଭେଟୁଛନ୍ତି। ତେଣୁ ଏହି ଗସ୍ତ ସେହି ବନ୍ଧୁତା ଏବଂ ସମ୍ପର୍କର ଏକ ଅଂଶ। ଆମେ ତାଙ୍କର UAE ଗସ୍ତକୁ ନେଇ ବହୁତ ଉତ୍ସାହିତ ଅଛୁ।
ଅଲ୍ ହାସିମି କହିଛନ୍ତି ଯେ, ଭାରତ ଏବଂ UAE ଖୁବ୍ ଶୀଘ୍ର ୨୦୦ ବିଲିୟନ ଡଲାରର ବାଣିଜ୍ୟ ଲକ୍ଷ୍ୟ ହାସଲ କରିବେ। ଭବିଷ୍ୟତର ସମ୍ଭାବନା ଉପରେ ସେ କହିଛନ୍ତି, ପ୍ରତ୍ୟେକ ଥର ଯେତେବେଳେ ଆମକୁ ଲାଗେ ଯେ, ଆମେ ଏକ ଉଚ୍ଚତାକୁ ଛୁଇଁଛୁ, ସେତେବେଳେ ଆମେ ଅନୁଭବ କରୁ ଯେ ତା'ଠାରୁ ମଧ୍ୟ ଅଧିକ ଉଚ୍ଚତା ହାସଲ କରିବାର ଅଛି। କିଛି ବର୍ଷ ପୂର୍ବେ ଆମେ ବ୍ୟାପକ ଅର୍ଥନୈତିକ ସହଭାଗିତା (CEPA) ସ୍ୱାକ୍ଷର କରିଥିଲୁ, ଯାହା ଏକ ଐତିହାସିକ ଚୁକ୍ତି ଥିଲା। ଆମେ ୧୦୦ ବିଲିୟନ ଡଲାରର ବାଣିଜ୍ୟ ଲକ୍ଷ୍ୟ ଅତିକ୍ରମ କରି ସାରିଛୁ ଏବଂ ଏବେ ୨୦୦ ବିଲିୟନ ଡଲାର ଲକ୍ଷ୍ୟ ଆଡକୁ ଗତି କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ପୂର୍ଣ୍ଣ ବିଶ୍ୱାସର ସହ କହିପାରିବି ଯେ 'ଟିମ୍ ଇଣ୍ଡିଆ' ଏବଂ 'ଟିମ୍ UAE' ଏକାଠି ମିଶି କାର୍ଯ୍ୟ କରୁଛନ୍ତି।
ଅନ୍ୟପଟେ, ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟରେ ନାହୟାନଙ୍କ ସହ ବୈଠକ କରିଛନ୍ତି ଏବଂ UAE ଉପରେ ହୋଇଥିବା ଇରାନୀ ଆକ୍ରମଣକୁ ନିନ୍ଦା କରିଛନ୍ତି। ପିଏମ ମୋଦି କହିଛନ୍ତି, UAE କୁ ଯେଉଁଭଳି ଭାବେ ଟାର୍ଗେଟ କରାଯାଇଛି ତାହା ଗ୍ରହଣୀୟ ନୁହେଁ, କିନ୍ତୁ UAE ଯେପରି ଭାବେ ସଂଯମତା ରକ୍ଷା କରି ସ୍ଥିତିକୁ ସମ୍ଭାଳିଛି ତାହା ପ୍ରଶଂସନୀୟ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ, ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱ ସ୍ତରରେ ଅନୁଭୂତ ହେଉଛି। ସେ କହିଛନ୍ତି, ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ଯଥା ସମ୍ଭବ ସହଯୋଗ କରିବାକୁ ପ୍ରସ୍ତୁତ ଅଛି।
#WATCH | Abu Dhabi, UAE: Ahead of PM Modi's visit, UAE Minister of State for International Cooperation, Reem Al Hashimy says, "We are anticipating, with great excitement, the visit of PM Modi tomorrow, May 15th 2026. He is a key figure of friendship, of a longstanding… pic.twitter.com/fevuQekvKB
— ANI (@ANI) May 15, 2026
ଏହାପୂର୍ବରୁ UAE ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ନିଜେ ବିମାନବନ୍ଦରରେ ପହଞ୍ଚି ଥିଲେ। ପିଏମ ମୋଦିଙ୍କୁ ସେଠାରେ ' ଗାର୍ଡ ଅଫ୍ ଅନର୍ ' ମଧ୍ୟ ପ୍ରଦାନ କରାଯାଇ ଥିଲା। ଏଥିରେ ଖୁସି ହୋଇ ପିଏମ୍ ମୋଦି ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଆବୁଧାବି ବିମାନବନ୍ଦରରେ ମୋତେ ସ୍ୱାଗତ କରି ଥିବାରୁ ମୁଁ ମୋର ଭାଇ ଶେଖ୍ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନଙ୍କୁ କୃତଜ୍ଞତା ଜଣାଉଛି।