କହ୍ନେୟାଲାଲଙ୍କ ଭଳି ଅନ୍ୟ ଦୁଇ ଜଣଙ୍କୁ ଗୋଟିଏ ଦିନରେ କରାଯାଇଥାନ୍ତା ହତ୍ୟା, ହେଲେ ହତ୍ୟାକାରୀଙ୍କ ଷଡଯନ୍ତ୍ର ଏହି କାରଣରୁ ଫେଲ୍ ମାରିଥିଲା

ଉଦୟପୁର,୬।୭: ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟା ମାମଲାର ତଦନ୍ତ ଜାରି ରହିଛି। ପ୍ରତିଦିନ ଏହି ଷଡଯନ୍ତ୍ର ସମ୍ପର୍କରେ ନୂଆ ନୂଆ କଥା ସାମନାକୁ ଆସୁଛି। ତଦନ୍ତରେ ଏବେ ସାମନାକୁ ଆସିଛି ଯେ, ଯେଉଁ ଦିନ ଦରଜୀ କହ୍ନେୟାଲାଲଙ୍କ ଗଳା କାଟି ହତ୍ୟା କରାଯାଇଥିଲା ସେହି ଦିନ ଆଉ ଦୁଇ ଜଣଙ୍କୁ ତାଲିବାନୀ ଢଙ୍ଗରେ ହତ୍ୟା କରାଯିବାର ଯୋଜନା ଥିଲା। ସେହି ଦୁଇ ଜଣଙ୍କୁ ସଠିକ ଭାବରେ ରେକି କରିପାରିନଥିବା କାରଣରୁ ତାଙ୍କର ଜୀବନ ବଞ୍ଚିଯାଇଥିଲା। ଏହି ଦୁଇ ଜଣଙ୍କର ହତ୍ୟା ପାଇଁ ଅନ୍ୟ ୪ ଜଣଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହି ମାମଲାର ତଦନ୍ତ ଏନ୍ଆଇଏ କରୁଛି।
ତଦନ୍ତକାରୀ ଏଜେନ୍ସି ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, କହ୍ନେୟାଲାଲଙ୍କ ହତ୍ୟା ଷଡଯନ୍ତ୍ରକୁ ବଡ ରୂପ ଦେବାର ପ୍ରସ୍ତୁତି କରାଯାଇଥିଲା। ଏଥିପାଇଁ ଗୋଟିଏ ଦିନରେ ତିନିଜଣଙ୍କୁ ତାଲିବାନୀ ଢଙ୍ଗରେ ହତ୍ୟା କରିବାର ଷଡଯନ୍ତ୍ର ହୋଇଥିଲା। ଷଡଯନ୍ତ୍ରକାରୀ କହ୍ନେୟାଲାଲଙ୍କ ରେକି କରିବା ପରେ ତାଙ୍କୁ ହତ୍ୟା କରିବାରେ ସଫଳତା ପାଇଥିଲେ। ଅନ୍ୟ ଦୁଇଜଣଙ୍କୁ ଠିକ୍ ଭାବରେ ରେକି କରିନଥିବାରୁ ସେମାନେ ହତ୍ୟା କରିବାରେ ସଫଳ ହୋଇନଥିଲେ।
ତଦନ୍ତ ବେଳେ ଜଣାପଡିଥିଲା ଯେ, ନୂପୁର ଶର୍ମାଙ୍କୁ ନେଇ ସୋସିଆଲ ମିଡିଆରେ ଦିଆଯାଇଥିବା କମେଣ୍ଟ ପରେ ଏହି ପୁରା ଘଟଣାର ଷଡଯନ୍ତ୍ର କରାଯାଇଥିଲା। ୧୭ ଜୁନ୍ରେ ହତ୍ୟା କରିବା ନେଇ ଷଡଯନ୍ତ୍ରକାରୀ ବୈଠକ କରିଥିଲେ। ୨୦ ଜୁନ୍ରେ ଉଦୟପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ନୁପୂର ଶର୍ମାଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଥିଲା। ଏହି ପ୍ରଦର୍ଶନ ପରେ ରିୟାଜ ଅନସାରୀ ଓ ମହମ୍ମଦଙ୍କ ହତ୍ୟା ଷଡଯନ୍ତ୍ରରେ ସାମିଲ ଅଳ୍ପ ଲୋକଙ୍କ ସହରର ମୁଖାର୍ଜୀ ସର୍କିଲରେ ବୈଠକ ହୋଇଥିଲା। ଏହି ବୈଠକରେ କେଉଁ ଢଙ୍ଗରେ ହତ୍ୟା କରାଯିବ ସେ ନେଇ ଚର୍ଚ୍ଚା କରି ଅନ୍ତିମ ନିଷ୍ପତ୍ତି ନିଆଯାଇଥିଲା।ଏହାପରେ ୨୮ ଜୁନ୍ରେ ଷଡଯନ୍ତ୍ର ସଫଳ ହୋଇଥିଲା।