UGPL କାର୍ଯ୍ୟରେ ମନମାନି : ଗାତ ଖୋଳି ଠିକାଦାର ଛୁ, ବିଛା ହେଉନି ପାଇପ୍… ଗାତରେ ପଡି ଯାଉଛି ନୀରିହ ଜୀବନ

ତିଗିରିଆ, ୨୪/୦୫ : କୃଷିର ଉନ୍ନତି ପାଇଁ ଜମିକୁ ଜଳ ଯୋଗାଇବାକୁ ସରକାର ପ୍ରାଥମିକତା ଦେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ତିଗିରିଆ ଅଞ୍ଚଳରେ ଭୂତଳ ଜଳସେଚନ ପ୍ରକଳ୍ପ (UGPL ) ଆରମ୍ଭ କରାଯାଇଛି। ହେଲେ ଏଥିରେ ଠିକାଦାରଙ୍କ ମନମାନିରେ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ତିଗିରିଆ ବ୍ଲକ ଅନ୍ତର୍ଗତ ସୋମପଡା ପଞ୍ଚାୟତରେ ୟୁଜିପିଏଲ୍ ପ୍ରକଳ୍ପର କାର୍ଯ୍ୟ ଦୀର୍ଘ ଦୁଇ ମାସ ହେବ ଆରମ୍ଭ ହୋଇସାରିଛି। ହେଲେ ଠିକାଦାରଙ୍କ ମନମାନି ଯୋଗୁଁ ଭୂତଳ ପାଇପ ପକାଇବା ପାଇଁ ଚାଷ ଜମିକୁ ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ଖୋଳାଯାଇ ଆଉ ପାଇପ୍ ବିଛା ହୋଇ ନାହିଁ। ଯାହା ଫଳରେ ଏହି ଗାତରେ ବିଭିନ୍ନ ସମୟରେ କ୍ଷେତ ବାଡ଼ିକୁ ଚାରଣ ଅଭିମୁଖେ ଯାଉଥିବା ଗୋରୁଗାଈ ପଡି ମୃତ୍ୟୁ ମୁଖରେ ପଡୁଛନ୍ତି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ୟୁଜିପିଏଲ୍ ର କାର୍ଯ୍ୟାଦେଶ ନେଇଥିବା ଏଲ୍ ଆଣ୍ଡ୍ ଟି ଠିକା ସଂସ୍ଥା ଏହି କାର୍ଯ୍ୟ କରୁଛି। ଲୋକଙ୍କ ଅଭିଯୋଗ ପରେ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା ଏହାକୁ ଅଣଦେଖା କରୁଥିବା ସ୍ଥାନୀୟ ଲୋକେ ଓ ତୃଣମୂଳ ସ୍ତରର ଜନପ୍ରତିନିଧି କହିଛନ୍ତି। ତେବେ ଏଥିପ୍ରତି ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ଚେତାବନୀ ଦେଇଛନ୍ତି।