ନୂଆଦିଲ୍ଲୀ,୫।୫: ଉଜ୍ଜୟିନୀର ବିଶ୍ୱ ପ୍ରସିଦ୍ଧ ବାବା ମହାକାଳେଶ୍ୱର ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ। ସୋମବାର ଘଟିଥିବା ଏହି ଅଗ୍ନିକାଣ୍ଡର ନିଆଁ ଏବଂ ଧୂଆଁ ପ୍ରାୟ ଏକ କିଲୋମିଟର ଦୂରକୁ ଦେଖାଯାଉଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ମାତ୍ରେ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ସୂଚନା ଅନୁଯାୟୀ, ମନ୍ଦିର ପରିସରରେ ଥିବା କଣ୍ଟ୍ରୋଲ ରୁମ୍ରେ ଥିବା ବ୍ୟାଟେରୀରୁ ନିଆଁ ଲାଗିଥିଲା। ଏହି ଘଟଣାରେ କେହି ହତାହତ ହୋଇଥିବାର ସୂଚନା ମିଳିନାହିଁ। ତେବେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ନଷ୍ଟ ହୋଇଯାଇଥିବାର କୁହାଯାଇଛି।
ଘଟଣା ପରେ ତୁରନ୍ତ ମହାକାଳ ମନ୍ଦିର କମିଟିର ବରିଷ୍ଠ ଅଧିକାରୀମାନେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ଅଗ୍ନିକାଣ୍ଡ ପରେ, ମନ୍ଦିରରେ ଭକ୍ତମାନଙ୍କ ପ୍ରବେଶ ବନ୍ଦ କରାଯାଇଥିଲା। ସୋମବାର ଦିନ ମହାକାଳ ମନ୍ଦିରରେ ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ସୋମବାର ଥିବାରୁ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ସୌଭାଗ୍ୟବଶତଃ, ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି କ୍ଷତିର ଖବର ନାହିଁ।
ଘଟଣାର ସୂଚନା ପାଇବା ମାତ୍ରେ କଲେକ୍ଟର ରୋଶନ ସିଂହ, ମହାକାଳ ମନ୍ଦିର ପ୍ରଶାସକ ପ୍ରଥମ କୌଶିକ, ଉଜ୍ଜୟିନୀ ଏସପି ପ୍ରଦୀପ ଶର୍ମା, ନଗର ନିଗମ କମିଶନର ଆଶିଷ ପାଠକ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ମହାକାଳ ମନ୍ଦିର ପ୍ରଶାସକ ପ୍ରଥମ କୌଶିକଙ୍କ ଅନୁଯାୟୀ, ମନ୍ଦିରର ଗେଟ୍ ନମ୍ବର ୧ରେ ଅବସ୍ଥିତ ଅବନ୍ତିକା ଗେଟ୍ର କନଟ୍ରୋଲର ରୁମ୍ର ଛାତ ଉପରେ ଏହି ଦୁର୍ଘଟଣା ଘଟିଥିଲା। ପଲ୍ୟୁସନ୍ କନଟ୍ରୋଲ ବୋର୍ଡର କ୍ବାଲିଟି ମ୍ୟାନେଜମେଣ୍ଟ ସିଷ୍ଟମର ବ୍ୟାଟେରୀ ଜଳି ଯାଇଥିଲା। ସୂଚନା ମିଳିବା ମାତ୍ରେ ୩ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କିଛି ସମୟ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ବର୍ତ୍ତମାନ ବ୍ୟାଟେରୀରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ହିଁ ଏହା ଜଣାପଡିବ। ଘଟଣା ପରେ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ବନ୍ଦ କରିଦିଆଯାଇଥିଲା। ନିଆଁକୁ ନିୟନ୍ତ୍ରଣ କରାଯିବା ଏବଂ ପରିସ୍ଥିତି ସ୍ୱାଭାବିକ ହେବା ପରେ, ମନ୍ଦିର ଦ୍ୱାର ଖୋଲାଯାଇଥିଲା।