ନୂଆଦିଲ୍ଲୀ,୧୭/୦୩ : ଇରାନ ଯୁଦ୍ଧରେ ଟ୍ରମ୍ପ୍ ଏକା। ସାଥ୍ ଦେଉନାହାନ୍ତି ସହଯୋଗୀ। ହୋର୍ମୁଜ ପ୍ରଣାଳୀରେ ଯୁଦ୍ଧ ଜାହାଜ ମୁତୟନ ପାଇଁ ମୁହଁରେ ମନା କରିଦେଲେ ଅଷ୍ଟ୍ରେଲିଆ, ଜାପାନ, ଜର୍ମାନୀ ଓ ଗ୍ରୀସ୍। କୌଣସିମତେ ନିଜ ନୌସେନା ସମ୍ପତ୍ତିକୁ ହୋର୍ମୁଜରେ ବ୍ୟବହାର ହେବାକୁ ଦେବେନାହିଁ ବୋଲି ଏମାନେ ଟ୍ରମ୍ପଙ୍କୁ ସଫା ସଫା ମନା କରିଦେଇଛନ୍ତି। ଏମିତକି ଯୁଦ୍ଧରେ ସାମିଲ ହେବେ ନାହିଁ ବୋଲି ରୋକ୍ଠୋକ୍ କହିଦେଇଛନ୍ତି ।
ଆମେରିକା ଓ ଇସ୍ରାଏଲ ମିଶି ଇରାନକୁ ଧୂଳି ଚଟାଇବାକୁ ସମର୍ଥ ହେବେ ବୋଲି ଟ୍ରମ୍ପ୍ ଭାବୁଥିଲେ, କିନ୍ତୁ ସ୍ଥିତି ଓଲଟା ପଡ଼ିଯାଇଛି । ଏବେ ସହଯୋଗୀ ଦେଶଗୁଡ଼ିକ ସାଥ୍ ଦେଉ ନ ଥିବାରୁ ଟ୍ରମ୍ପ୍ଙ୍କ ଅଡୁଆ ବଢ଼ିଯାଇଛି । ଅଷ୍ଟ୍ରେଲିଆର କ୍ୟାବିନେଟ ମନ୍ତ୍ରୀ କ୍ୟାଥେରାଇନ କିଙ୍ଗ୍ କହିଛନ୍ତି, ଯୁଦ୍ଧ ଜାହାଜ ପଠାଇବା ନେଇ ଆମର କୌଣସି ଯୋଜନା ନାହିଁ । ହୋର୍ମୁଜ ଜଳମାର୍ଗ ଖୋଲିବା କେତେ ଜରୁରି ଆମେ ତାହା ଭଲ ଭାବେ ବୁଝୁଛୁ । ଏହା ସତ୍ତ୍ଵେ ଆମେ ନିରୁପାୟ । ଆମେ ଯୁଦ୍ଧରେ ବି ସାମିଲ ହେବୁନାହୁଁ । ଜାପାନ କହିଛି, ହୋର୍ମୁଜକୁ ଯୁଦ୍ଧ ଜାହାଜ ପଠାଇବା ସଂକ୍ରାନ୍ତରେ ଆମେ ବିଚାର କରିନାହୁଁ । ତୈଳ ଜାହାଜକୁ ସୁରକ୍ଷା ଦେବା ଲାଗି ନୌସେନା ଜାହାଜ ପଠାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ସାନେ ତାକାଇଚି କୌଣସି ନିଷ୍ପତ୍ତି ନେଇନାହାନ୍ତି । ଦକ୍ଷିଣ କୋରିଆ କହିଛି, ଆମେ ୱାଶିଂଟନ ସହ ଏ ବାବଦରେ ଭଲ ଭାବେ ଆଲୋଚନା କରିବା ପରେ ଯାଇ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିବୁ । ବ୍ରିଟେନ କୂଟନୈତିକ ଉପାୟରେ ପଦକ୍ଷେପ ନେବା ପାଇଁ ସଙ୍କେତ ଦେଇଛି । ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମର ଟ୍ରମ୍ପ୍ଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଏଥିସହ ଷ୍ଟାର୍ମର କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ମଧ୍ୟ କଥା ହୋଇଛନ୍ତି । ମଧ୍ୟପ୍ରାଚ୍ୟ ସଂକଟର ସମାଧାନ ଲାଗି ସେ ଅନ୍ୟ ଦେଶର ନେତାଙ୍କ ସହ ଆଲୋଚନା ଜାରି ରଖିବେ ବୋଲି କହିଛନ୍ତି । ଯୁଦ୍ଧରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସାମିଲ ହେବାକୁ ବ୍ରିଟେନ୍ ମନା କରିଦେଇଛି ।
ଉଲ୍ଲେଖଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଶନିବାର ବିଭିନ୍ନ ଦେଶକୁ ହୋର୍ମୁଜ ପ୍ରଣାଳୀରେ ଯୁଦ୍ଧ ଜାହାଜ ମୁତୟନ ଲାଗି ଅନୁରୋଧ କରିଥିଲେ । ସେ ସିଧାସଳଖ ଭାବେ କୌଣସି ନିର୍ଦ୍ଦିଷ୍ଟ ଦେଶର ନାମ ନେଇ ନ ଥିଲେ । ତେବେ ସହଯୋଗୀ ରାଷ୍ଟ୍ରଗୁଡ଼ିକ ଟ୍ରମ୍ପ୍ଙ୍କ ଅନୁରୋଧକ୍ରମେ ଯୁଦ୍ଧ ଜାହାଜ ପଠାଇବା ନେଇ ଆଶା କରାଯାଉଥିଲା। କିନ୍ତୁ ସେମାନେ ବି ଅଦ୍ୟାବଧି କୌଣସି ସଙ୍କେତ ଦେଇନାହାନ୍ତି । ଖୋଦ ଆମେରିକା ବି ହୋର୍ମୁଜକୁ ନିଜ ଜାହାଜ ପଠାଇବା ଲାଗି ସାହସ ଜୁଟାଇ ପାରିନାହିଁ । ଟ୍ରମ୍ପ୍ କହିଥିଲେ, ହୋର୍ମୁଜ ପ୍ରଣାଳୀ ଉପରେ ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମେରିକା କମ୍ ନିର୍ଭରଶୀଳ । ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ମିଶି ଇରାନ ଉପରେ ଆକ୍ରମଣ କରିଥିଲେ । ସେବେଠାରୁ ଯୁଦ୍ଧ ଲାଗିରହିଛି । ଇରାନ ସେହିଦିନରୁ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରି ରଖିଛି।
ଏହି କବରଟିକୁ ପଢନ୍ତୁ- ହର୍ମୁଜ୍ ଜଳପଥ ପାଇଁ ବିଶ୍ୱରେ ହାହାକାର ! ଇରାନକୁ ଟ୍ରମ୍ପଙ୍କ ଧମକ, ସହଯୋଗୀ ଦେଶଙ୍କୁ କଡ଼ା ଚେତାବନୀ