ନୂଆଦିଲ୍ଲୀ, ୧୬।୩: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍'କୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଏକ ଭୟଙ୍କର ରୂପ ନେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ NATO ସହଯୋଗୀ ଦେଶମାନଙ୍କୁ ଚେତାବନୀ ଦେବା ସହ ଚୀନ୍ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି । ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେବାର ଆଶଙ୍କା ଥିବାରୁ ଟ୍ରମ୍ପ ଏବେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

NATO କୁ ଚେତାବନୀ: "ପରିଣାମ ଭୟଙ୍କର ହେବ"

'ଫାଇନାନ୍ସିଆଲ୍ ଟାଇମ୍ସ' (FT) କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଯଦି NATO ସହଯୋଗୀ ଦେଶମାନେ ହରମୁଜ୍ ଜଳପଥ ଖୋଲିବାରେ ଆମେରିକାକୁ ସାହାଯ୍ୟ ନକରନ୍ତି, ତେବେ ସେମାନଙ୍କ ପାଇଁ ଖୁବ୍ ଖରାପ ହେବ । ଯେଉଁ ଦେଶମାନେ ଏହି ପଥ ଦେଇ ବାଣିଜ୍ୟ କରୁଛନ୍ତି, ସେମାନେ ନିଜର ଯୁଦ୍ଧ ଜାହାଜ ପଠାଇ ଏହାର ସୁରକ୍ଷା କରିବା ଉଚିତ୍ ବୋଲି ଟ୍ରମ୍ପ ଦାବି କରିଛନ୍ତି । ଟ୍ରମ୍ପ କହିଛନ୍ତି ଯେ, "ଚୀନ୍ ନିଜର ୯୦% ତୈଳ ଏହି ପଥ ଦେଇ ପାଏ, ତେଣୁ ସେମାନେ ଆମକୁ ସାହାଯ୍ୟ କରିବା ବାଧ୍ୟ ।" ଏପରିକି ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ ହେବାକୁ ଥିବା ଆଗାମୀ ବୈଠକକୁ ଟ୍ରମ୍ପ ସ୍ଥଗିତ ରଖିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ଚୀନ୍ ଏହି ସଙ୍କଟ ସମୟରେ କେଉଁ ପକ୍ଷ ନେଉଛି, ତାହା ଜାଣିବା ପରେ ହିଁ ସେ ବେଜିଂ ଗସ୍ତ କରିବେ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ... ଇରାନର ତୈଳ ପ୍ଲାଣ୍ଟ ଉପରେ ଆକ୍ରମଣ ପରେ ତେହେରାନରେ କଳା 'ବିଷାକ୍ତ' ବର୍ଷା , ଆଖିରେ ହେଉଛି ଜ୍ୱଳନ

ଇରାନକୁ ୫ ମିନି ଚ୍ୟାଲେଞ୍ଜ:

ଇରାନ ବିରୁଦ୍ଧରେ ରଣହୁଙ୍କାର ଦେଇ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଚାହିଁଲେ ମାତ୍ର ୫ ମିନିଟ୍ ମଧ୍ୟରେ ଇରାନର ସବୁଠାରୁ ବଡ଼ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପକୁ ଧ୍ୱଂସ କରିଦେଇପାରିବ । ଇରାନ ଏବେ ଦୁର୍ବଳ ହୋଇଯାଇଛି ଏବଂ କେବଳ ହର୍ମୁଜ୍ ପଥରେ ଛୋଟମୋଟ ସମସ୍ୟା ସୃଷ୍ଟି କରୁଛି ବୋଲି ସେ ପ୍ରକାଶ କରିଛନ୍ତି । ବ୍ରିଟେନକୁ ନମ୍ବର ୧ ବନ୍ଧୁ କୁହାଯାଏ, କିନ୍ତୁ ଦରକାର ବେଳେ ସେମାନେ ଯୁଦ୍ଧ ଜାହାଜ ପଠାଇବାକୁ ମନା କରିଦେଇଥିବାରୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି । ଫ୍ରାନ୍ସ, ଜାପାନ, ଦକ୍ଷିଣ କୋରିଆ ଏବଂ ବ୍ରିଟେନ ଭଳି ଦେଶମାନେ ତୁରନ୍ତ ମାଇନ୍ ସୁଇପର ଏବଂ ଡ୍ରୋନ୍ ମୁକାବିଲା ପାଇଁ ସାମରିକ ସାହାଯ୍ୟ ପଠାନ୍ତୁ ବୋଲି ସେ କହିଛନ୍ତି । ବିଶ୍ୱର ପ୍ରାୟ ୨୦% ତୈଳ ଏବଂ ଗ୍ୟାସ୍ ଏହି ପଥ ଦେଇ ଯାଇଥାଏ । ଇରାନ ଏହାକୁ ବନ୍ଦ କରିବା ଫଳରେ ସାରା ଦୁନିଆରେ ଜାଳେଣି ଦର ଆକାଶଛୁଆଁ ହୋଇଛି । "ଯେଉଁମାନେ ଏହି ପଥ ଦେଇ ଲାଭ ପାଉଛନ୍ତି, ସେମାନେ ଏହାର ସୁରକ୍ଷା ଦାୟିତ୍ୱ ମଧ୍ୟ ନେବା ଉଚିତ୍ ।" ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।