ନୂଆଦିଲ୍ଲୀ,୧୩।୧୨: ୟୁକ୍ରେନ ଓ ରୁଷ ଭିତରେ ଜାରି ଯୁଦ୍ଧ ପୁଣିଥରେ ବଢିଯାଇଛି। ଓଡେସା ପୋର୍ଟରେ ରୁଷ ଦ୍ବାରା କରାଯାଇଥିବା ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ପରେ ୟୁକ୍ରେନ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରୁଷ ଦକ୍ଷିଣ-ପଶ୍ଚିମ ସାରାତୋଭ ଅଞ୍ଚଳରେ ଡ୍ରୋନ୍ ହମଲା କରିଛି। ଏହି ଆକ୍ରମଣରେ ଅତି କମ୍‌ରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ସେଭଳି ଆବାସିକ ଅଞ୍ଚଳ ଓ ସାର୍ବଜନୀନ ବିଲ୍ଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି କାର୍ଯ୍ୟାନୁଷ୍ଠାନ ସେହି ସମୟରେ ହୋଇଛି ଯେତେବେଳେ ଆମେରିକାର ନେତୃତ୍ବରେ ଯୁଦ୍ଧ ଶେଷ କରିବା ପାଇଁ ଶାନ୍ତି ବାର୍ତ୍ତା ଚାଲିଛି।

ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ,ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ସାରାତୋଭାର ଏକ ଆବାସିକ ବିଲ୍ଡିଂରେ ଗଭୀର କ୍ଷତିଗ୍ରସ୍ତ ହୋଇଛି। ଏହାଛଡା କିଣ୍ଡର ଗାର୍ଡେନ ଏବଂ ଏକ କ୍ଲିନିକର ଝରକା ମଧ୍ୟ ଭାଙ୍ଗି ଯାଇଛି। ସାରାତୋଭା ଅଞ୍ଚଳର ଗର୍ଭନର ରୋମନ ବୁସାର୍ଗିନ କହିଛନ୍ତି, ଆକ୍ରମଣ ପରେ ଏହି ଅଞ୍ଚଳରେ ଜରୁରୀ ସେବା ଆରମ୍ଭ ହୋଇଛି। ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ରାତିସାରା ୟୁକ୍ରେନର ୪୧ଟି ଡ୍ରୋନକୁ ନଷ୍ଟ କରି ଦିଆଯାଇଛି। ସେଭଳି ୟୁକ୍ରେନ୍ ଅଧିକାରୀ କହିଛନ୍ତି, ଏହି ଆକ୍ରମଣ ଓଡେସା ପୋର୍ଟରେ ହୋଇଥିବା ଆକ୍ରମଣର ସିଧା ସଳଖ ପ୍ରତିଶୋଧ ଥିଲା। ଯେଉଁଠି ରୁଷ ତୁର୍କୀର ଏକ ଜାହାଜକୁ ଟାର୍ଗେଟ କରିଥିଲା।

ଏହା ଭିତରେ ୟୁକ୍ରେନର ଖେରସାନ୍ ଅଞ୍ଚଳରେ ରୁଷ ଆକ୍ରମଣ ଯୋଗୁଁ ସ୍ଥିତି ଆହୁରି ଖରାପ ହୋଇଛି। ଆଞ୍ଚଳିକ ମୁଖ୍ୟ ଓଲେକଜାଣ୍ଡର ପ୍ରୋକୁଡିନ କହିଛନ୍ତି,ରୁଷ ଆକ୍ରମଣରେ ଶକ୍ତି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ଅନେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। କିଭ୍ ଏବଂ ଏହାର ପଶ୍ଚିମ ସହଯୋଗୀମାନେ ଅଭିଯୋଗ କରିଛନ୍ତି ଯେ ରୁଷ ଶୀତ କାଳରେ ନାଗରିକଙ୍କୁ ବିଦ୍ୟୁତ,ପାଣି ଏବଂ ହିଟିଂ ଭଳି ମୌଳିକ ସୁବିଧାରୁ ବଞ୍ଚିତ କରିବା ପାଇଁ ଜାଣିଶୁଣି ୟୁକ୍ରେନର ବିଦ୍ୟୁତ ଗ୍ରୀଡକୁ ଟାର୍ଗେଟ କରୁଛି। ୟୁକ୍ରେନୀୟ ଅଧିକାରୀମାନେ ଥଣ୍ଡାକୁ ଅସ୍ତ୍ର କରିବାର ଏକ ରଣନୀତି ବୋଲି କହିଛନ୍ତି।