୧୦୮ ଶିଶୁଙ୍କ ମୃତ୍ୟୁ ପରେ ମୁଜଫରପୁର ହସ୍ପିଟାଲ ପଛରୁ ମିଳିଲା ବହୁ ନରକଙ୍କାଳ,ବିହାରରେ ହଇଚଇ

ମୁଜଫରପୁର,୨୨।୬: ବିହାରର ମୁଜଫରପୁରର ସବୁଠାରୁ ବଡ ସରକାରୀ ହସ୍ପିଟାଲ ପଛରେ ବହୁ ସଂଖ୍ୟାରେ ଖଣ୍ଡବିଖଣ୍ଡିତ ନରକଙ୍କାଳ ମିଳିଛି। ଗତ କିଛି ସମୟ ଧରି ମୁଜଫରପୁରର ଶ୍ରୀକୃଷ୍ଣ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅବ୍ୟବସ୍ଥା କାରଣରୁ ଖୁବ୍ ଚର୍ଚ୍ଚାରେ ରହିଥିଲା। ସେଠାରେ ଇନ୍ସେଫଲାଇଟିସ୍ ସିଣ୍ଡ୍ରୋମ୍(ଏଇଏସ୍) ଅର୍ଥାତ୍ ଚମକୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ୧୦୮ରେ ପହଁଞ୍ଚି ସାରିଛି। ଏହି ଜ୍ବରରେ ସମ୍ପୂର୍ଣ୍ଣ ବିହାରରରେ ଏପର୍ଯ୍ୟନ୍ତ ୧୪୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇସାରିଛି। ଏହି ବିବାଦ ଥମି ନଥିବା ବେଳେ ଏବେ ନରକଙ୍କାଳ ମିଳିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁସାରେ, ହସ୍ପିଟାଲ ପଛରେ ନର କଙ୍କାଳର କିଛି ଖଣ୍ଡବିଖଣ୍ଡିତ ଅଂଶ ଦେଖିବାକୁ ମିଳିଥିଲା। ହସ୍ପିଟାଲ କର୍ତ୍ତୁପକ୍ଷ ଏହି ମାମଲାର ଯାଞ୍ଚ କରିବାର କଥା କହିଛନ୍ତି। ହସ୍ପିଟାଲର ଏକ ଟିମ୍ କଙ୍କାଳ ସ୍ଥାନର ନୀରିକ୍ଷଣ ମଧ୍ୟ କରିଛନ୍ତି। ଶ୍ରୀକୃଷ୍ଣ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଏସକେ ଶାହି କହିଛନ୍ତି, ପୋଷ୍ଟମର୍ଟମ ଡିପାର୍ଟମେଣ୍ଟ ପ୍ରିନ୍ସପାଲଙ୍କ ଅଧୀନରେ ଆସୁଛି। ମୁଁ ପ୍ରିନ୍ସପାଲଙ୍କ ସହିତ କଥା ହେବି ଓ ଯାଞ୍ଚ ପାଇଁ ଏକ କମିଟି ଗଠନ କରିବାକୁ କହିବି।’

ରୋଗୀଙ୍କୁ ପାଇଁ ବେଡ୍ ଡାକ୍ତରଙ୍କ ଅଭାବ ଓ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଦିଆନଯିବା କାରଣରୁ ଏହି ହସ୍ପିଟାଲ ଗତ କିଛି ସମୟ ଧରି ପ୍ରଶ୍ନଘେରରେ ରହିଛି। ଇନ୍ସେଫଲାଇଟିସ୍ ସିଣ୍ଡ୍ରୋମରେ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବଢିବା କାରଣରୁ ବହୁ ବଡ ନେତା ଏଠାକୁ ଆସିସାରିଛନ୍ତି। ତେବେ ଏହାର ଆଖପାଖରୁ ଏଭଳି ବହୁ ସଂଖ୍ୟାରେ ନରକଙ୍କାଳ ମିଳିବା ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ନରକଙ୍କାଳର ଫଟୋ ଦେଖିବାକୁ ମିଳିବା ପରେ ଲୋକମାନେ ସୋସିଆଲ ମିଡିଆରେ ପ୍ରଶ୍ନ ଉଠାଇଛନ୍ତି। ଏହି ହସ୍ପିଟାଲରେ ପ୍ରାୟ ଦେଢ ବର୍ଷ ତଳେ ମାନବ କଙ୍କାଳର ତସ୍କରି ସମ୍ପର୍କରେ ଖୁଲାସା ହୋଇଥିଲା। ହସ୍ପିଟାଲରୁ ବହୁ ପରିମାଣରେ ନରକଙ୍କାଳ ମିଳିଥିଲା ଓ ମହିଳା-ପୁରୁଷଙ୍କ କପଡା ଫୋପଡା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।