ବଲାଙ୍ଗିର, ୨୪।୪: ବଲାଙ୍ଗିର: ସ୍ୱାମୀଙ୍କ ଜଳୁଛି ଚିତା, ଆଉ ଏପଟେ ସ୍ତ୍ରୀ ହାରିଦେଲେ ଜୀବନ । ସ୍ୱାମୀଙ୍କ ବିୟୋଗ ସହିନପାରି ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ସ୍ତ୍ରୀ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆଜି ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନାନୁସାରେ, ଗତକାଲି ପୁଇଁନ୍ତଳା ଥାନା ଅନ୍ତର୍ଗତ ଡୁମେର ବାହାଲ ଗ୍ରାମରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ପଦ୍ମିନୀ ବାଗଙ୍କ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା ।
ଏହା ବି ପଢ଼ନ୍ତୁ... ପ୍ରଚଣ୍ଡ ରୌଦ୍ରତାପ ପାଇଁ ଆଗୁଆ ସ୍କୁଲ ଛୁଟି: ୨୭ରୁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି
ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ପଦ୍ମିନୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । ନିଜ ଜୀବନସାଥୀଙ୍କୁ ହରାଇବାର ଦୁଃଖ ସେ ସହ୍ୟ କରିପାରିନଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ମାନସିକ ଭାରସାମ୍ୟ ହରାଇ ପଦ୍ମିନୀ କାହାକୁ କିଛି ନକହି ସିଧା ମେଡିକାଲ ଛାତ ଉପରକୁ ଚଢ଼ିଯାଇଥିଲେ ଏବଂ ସେଠାରୁ ତଳକୁ ଡେଇଁ ପଡ଼ିଥିଲେ । ଛାତରୁ ଡେଇଁବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରାଯାଇଥିଲେ ହେଁ ତାଙ୍କୁ ବଞ୍ଚାଯାଇ ପାରିନଥିଲା । ଗୋଟିଏ ପରିବାରର ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ପରେ ପୂରା ଗାଁରେ ଏବେ କାନ୍ଦବୋବାଳି ଛୁଟିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।