PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବେକାରୀ ୪୫ ବର୍ଷରେ ସର୍ବାଧିକ: ସହରାଞ୍ଚଳରେ ୭.୮%, ଗ୍ରାମାଞ୍ଚଳରେ ୫.୩% ଲୋକ ବେକାର

ନୂଆଦିଲ୍ଲୀ,୩୧ା୧(ଏଜେନ୍ସି):ଦେଶରେ ଚରମ ସୀମାରେ ପହଞ୍ଚିଛି ବେକାରୀ ହାର । ୨୦୧୭-୧୮ରେ ଏହା ୪୫ ବର୍ଷର ସର୍ବାଧିକ ସ୍ତରରେ ପହଞ୍ଚିଯାଇଛି । ଗଣମାଧ୍ୟମରେ ଲିକ୍‌ ହୋଇଥିବା ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ଏକ ରିପୋର୍ଟରୁ ଏହା ଜଣାଯାଇଛି । ରିପୋର୍ଟକୁ ସର୍ବସାଧାରଣରେ ପ୍ରକାଶ କରାଯାଇ ନ ଥିବାବେଳେ ଗୁରୁବାର ଗଣମାଧ୍ୟମରେ ପ୍ରଘଟ ହୋଇଛି । ବେକାରୀ ସମସ୍ୟାକୁ ନେଇ ଯୁକ୍ତିତର୍କ ଚାଲିଥିବାବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ଏହି ରିପୋର୍ଟ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।
ଏନ୍‌ଏସ୍‌ଏସ୍‌ଓ ରିପୋର୍ଟରୁ ଜଣାଯାଇଛି ଯେ, ଗତ ଆର୍ଥିକବର୍ଷ ଦେଶରେ ବେକାରୀ ହାର ୬.୧% ରହିଛି । ଅନ୍ତିମ ଥର ପାଇଁ ୧୯୭୨-୭୩ରେ ଏହି ସ୍ତର ଦେଖିବାକୁ ମିଳିଥିଲା । ସହରାଞ୍ଚଳରେ ଏହା ୭.୮% ଥିବାବେଳେ ଗ୍ରାମାଞ୍ଚଳରେ ୫.୩% ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ସର୍ଭେ ଅନୁସାରେ, ୨୦୧୭-୧୮ରେ ଗ୍ରାମାଞ୍ଚଳରେ ୧୫ରୁ ୨୯ ବର୍ଷ ବୟସ୍କ ପୁରୁଷ ବର୍ଗରେ ବେକାରୀ ହାର ୧୭.୪% ରହିଛି, ଯାହାକି ୨୦୧୧-୧୨ ତୁଳନାରେ ୩ ଗୁଣରୁ ଅଧିକ । ୨୦୧୧-୧୨ରେ ଗ୍ରାମାଞ୍ଚଳରେ ଏହି ବର୍ଗରେ ବେକାରି ହାର ୫% ଥିଲା । ମହିଳାଙ୍କ କ୍ଷେତ୍ରରେ ମଧ୍ୟ ସମାନ ଟ୍ରେଣ୍ଡ୍‌ ଦେଖିବାକୁ ମିଳିଛି । ସମାନ ବୟସ ବର୍ଗରେ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ବେକାରି ହାର ୧୩.୬%କୁ ବୃଦ୍ଧି ପାଇଛି, ଯାହାକି ୨୦୧୧-୧୨ରେ ୪.୮% ଥିଲା । ତେବେ ଗ୍ରାମାଞ୍ଚଳରେ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ବେକାର ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସମାନ ବୟସ ବର୍ଗରେ ସହରାଞ୍ଚଳରେ ୧୮.୭% ପୁରୁଷ ଏବଂ ୨୭.୨% ମହିଳା ବେକାର ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଶିକ୍ଷିତ ନାଗରିକଙ୍କ ମଧ୍ୟରେ ବି ବେକାରି ହାର ବଢ଼ିଛି । ୨୦୦୪-୦୫ରେ ଗ୍ରାମୀଣ ଭାରତରେ ଶିକ୍ଷିତ ମହିଳାଙ୍କ ମଧ୍ୟରେ ବେକାରି ହାର ୯.୭% ଥିବାବେଳେ ୨୦୧୧-୧୨ରେ ୧୫.୨%କୁ ବୃଦ୍ଧି ପାଇଛି । ୨୦୧୭-୧୮ରେ ଏହା ୧୭.୩%କୁ ସମ୍ପ୍ରସାରିତ ହୋଇଛି । ସେହିପରି ଗ୍ରାମୀଣ ଭାରତରେ ଶିକ୍ଷିତ ପୁରୁଷଙ୍କ ମଧ୍ୟରେ ବେକାରି ହାର ଗତ ଆର୍ଥିକବର୍ଷ ୧୦.୫% ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
୨୦୧୭ ଜୁଲାଇରୁ ୨୦୧୮ ଜୁନ୍‌ ମଧ୍ୟରେ ଏହି ସର୍ଭେ ପାଇଁ ତଥ୍ୟ ସଂଗ୍ରହ କରାଯାଇଥିଲା । ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୋଟ୍‌ବନ୍ଦୀ ପରେ ଏହା ସରକାରଙ୍କ ଦ୍ୱାରା ନିଯୁକ୍ତି ସଂକ୍ରାନ୍ତ ପ୍ରଥମ ସର୍ଭେ ହୋଇଥିବାରୁ ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରୁଛି । ଶ୍ରମବଳ ଯୋଗଦାନ ହାର (ଏଲ୍‌ଏଫ୍‌ପିଆର୍‌), ଯାହାକି ନିଯୁକ୍ତି ଅନ୍ୱେଷଣରେ ଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟାକୁ ଦର୍ଶାଇଥାଏ ତାହା ୨୦୧୧-୧୨ରେ ୩୯.୫% ଥିବାବେଳେ ୨୦୧୭-୧୮ରେ ୩୬.୯%କୁ ହ୍ରାସ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଜାତୀୟ ପରିସଂଖ୍ୟାନ ଆୟୋଗ(ଏନ୍‌ଏସ୍‌ସି)ର ଦୁଇ ଜଣ ସଦସ୍ୟ ଗତ ସୋମବାର ଇସ୍ତଫା ଦେଇଥିବାବେଳେ ଏହି ରିପୋର୍ଟ ବର୍ତ୍ତମାନ ଏକ ନୂଆ ବିବାଦ ସୃଷ୍ଟି କରିବାକୁ ଯାଉଛି । ଇସ୍ତଫା ଦେଇଥିବା ଏନ୍‌ଏସ୍‌ସି ଅଧ୍ୟକ୍ଷ ପି. ସି. ମୋହନନ୍‌ ଏବଂ ଅନ୍ୟ ଜଣେ ସଦସ୍ୟ ଦିଲ୍ଲୀ ସ୍କୁଲ ଅଫ୍‌ ଇକୋନୋମିକ୍ସ ପ୍ରଫେସର ଜେ. ଭି. ମୀନାକ୍ଷୀ ଅଭିଯୋଗ କରିଥିଲେ ଯେ, ଏନ୍‌ଏସ୍‌ସିର ଅନୁମୋଦନ ସତ୍ତେ୍ୱ ବେକାରି ଏବଂ ନିଯୁକ୍ତି ରିପୋର୍ଟକୁ ସରକାର ଅଟକାଇ ଦେଇଥିଲେ । ଏ ନେଇ ଏନ୍‌ଏସ୍‌ଇର ପ୍ରମୁଖ ସଦସ୍ୟମାନଙ୍କୁ ଅବଗତ କରାଯାଇ ନ ଥିବା ଉଭୟ କହିଥିଲେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ସେମାନଙ୍କୁ ଏଥିରେ ସାମିଲ କରାଯାଉ ନ ଥିବା ସେମାନେ ଦର୍ଶାଇଥିଲେ । ବର୍ତ୍ତମାନ ଗଣମାଧ୍ୟମରେ ପ୍ରକାଶିତ ଏହି ରିପୋର୍ଟ ସରକାରଙ୍କୁ ଆହୁରି ବିବାଦକୁ ଠେଲିପାରେ ।
ପ୍ରକାଶଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି(ସିଏମ୍‌ଆଇଇ) ଏକ ରିପୋର୍ଟ ପ୍ରକାଶ କରିଥିଲା । ଗତ ବର୍ଷ ଦେଶରେ ୧.୧ କୋଟି ନିଯୁକ୍ତି କମିଥିବା ଏହା ଦର୍ଶାଇଥିଲା ।

ସମ୍ବନ୍ଧିତ ଖବର