ଛତ୍ରପୁର, ୧୦/୮: ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟ ଭାରତୀୟ ବିରଳ ମୃତ୍ତିକା (ଆଇଆରଇ) ଲିମିଟେଡ୍ ପରିସରରେ ସମୁଦ୍ରର ଲୁଣି ପାଣିକୁ ମଧୁର ଜଳରେ ପରିଣତ କରିବା ପ୍ରକଳ୍ପ ରବିବାର ଉଦଘାଟିତ ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଏସଆର୍ ପାଣ୍ଠିର ଅନୁଦାନ ୧୩୧ କୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପରୁ ଦୈନିକ ୧.୫ ଏମ୍ଏଲଡି ମଧୁର ଜଳ ମିଳିବ, ଯାହା ପ୍ଲାଣ୍ଟ ଚାହିଦା ସମେତ ନିକଟସ୍ଥ ୨ଟି ଗାଁ ମାଟିଖାଲ ଓ ଆର୍ଜିପଲ୍ଲୀ ବାସିନ୍ଦାଙ୍କୁ ଯଥେଷ୍ଟ ପରିମାଣର ପିଇବା ପାଣି ଯୋଗାଇ ଦେବ।
ଏହି ପ୍ରକଳ୍ପ ଉଦଘାଟନ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ଲାଣ୍ଟ୍ ବୁଲି ତାହାର କାର୍ଯ୍ୟକାରିତା ଅନୁଧ୍ୟାନ କରିଥିଲେ। କମ୍ପ୍ୟୁଟର ମନିଟରିଂ ସିଷ୍ଟମ୍ ବୁଲି ଦେଖିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ସହ ବ୍ରହ୍ମପୁର ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।