ରାଉରକେଲା, ୨୭।୧୨: ଏନ୍ଆଇଟି ରାଉରକେଲାରେ ବହୁ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାଗତ ପ୍ରକଳ୍ପର ଉଦ୍ଘାଟନ କଲେ ଶିକ୍ଷାମନ୍ତ୍ରୀ । ମାନ୍ୟନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଏହି ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ୍ ୨୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ଏହି ଅବସରରେ ଏକ ଆଧୁନିକ ଇଣ୍ଡୋର୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଓ ହଜାରେ ଆସନ ବିଶିଷ୍ଟ ଓପନ୍ଏୟାର୍ ଥିଏଟର ଉଦ୍ଘାଟିତ ହୋଇଛି । ଏଥିସହ ଆଉ ୩ଟି ବଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ଇଣ୍ଡୋର୍ ସ୍ପୋର୍ଟସ୍ କମ୍ପ୍ଲେକ୍ସଟି ୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହା ଛାତ୍ରଛାତ୍ରୀଙ୍କର ଶାରୀରିକ ଫିଟ୍ନେସ୍ ଓ ସମଗ୍ର ବିକାଶକୁ ଆଗେଇ ନେବାରେ ସାହାଯ୍ୟ କରିବ । ଏହି କମ୍ପ୍ଲେକ୍ସରେ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଡେପ୍ୟୁଟି ସ୍ପିକର ଶ୍ରୀ ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ଶ୍ରୀ ସରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଓ ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ ।
ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ନିର୍ମାଣ ହୋଇଥିବା ଏହି ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଅନେକ ସୁବିଧା ରହିଛି । ଯେପରିକି ବ୍ୟାଡମିଣ୍ଟନ, ଲନ୍ ଟେନିସ ଓ ଭଲିବଲ ପାଇଁ ହଲ୍ । ଯୋଗ, ନୃତ୍ୟ, ସଙ୍ଗୀତ ଓ ନାଟକ ପାଇଁ ଅଲଗା ହଲ୍ । ଦୁଇଟି ଡବଲ୍-ହାଇଟ୍ ସ୍କ୍ୱାସ୍ କୋର୍ଟ । ବାସ୍କେଟବଲ ଓ ବ୍ୟାଡମିଣ୍ଟନ କୋର୍ଟ । ଫିଲ୍ମ ଓ ଫଟୋଗ୍ରାଫି ରୁମ୍ । ଟେବୁଲ ଟେନିସ୍, କ୍ୟାରମ ଓ ଚେସ୍ ପାଇଁ ସ୍ୱତନ୍ତ୍ର ରୁମ୍ । ଆଧୁନିକ ଜିମନାସିୟମ ଓ ଅନ୍ୟାନ୍ୟ କକ୍ଷ ଓ ଲକର୍ ସୁବିଧା ମଧ୍ୟ ରହିଛି । ଏହି କ୍ରୀଡ଼ା କମ୍ପ୍ଲେକ୍ସ ଖେଳ ଓ ସାଂସ୍କୃତିକ କାର୍ଯ୍ୟକଳାପ ପାଇଁ ଏକ ସମ୍ପୂର୍ଣ୍ଣ ସୁବିଧା କେନ୍ଦ୍ର ଭାବେ ଗଢ଼ିଉଠିଛି ।