ଭାଲେଣ୍ଟାଇନ୍ସ ଡେ’ରେ ବାପା ମା’ଙ୍କ ସମ୍ମତି ବିନା ପ୍ରେମ ବିବାହ ନ କରିବାକୁ ଶପଥ ନେବେ ୧୦ ହଜାର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦିନକ ପରେ ଭାଲେଣ୍ଟାଇନ୍ସ ଡେ। ଅର୍ଥାତ୍ କାଲି ହେଉଛି ଭାଲେଣ୍ଟାଇନ୍ସ ସପ୍ତାହର ଶେଷ ଦିନ। କୁହାଯାଏ କି, ଏହି ଦିନ ପ୍ରେମିକା ପ୍ରେମିକ ପରସ୍ପରକୁ ଉପହାର ଦିଆନିଆ କଲେ ପ୍ରେମ ସମ୍ପର୍କ ବଢ଼ିଥାଏ। ମାତ୍ର କାଲି ଏକ ନିଆରା ପରିବେଶ ଦେଖିବାକୁ ମିଳିବ ଗୁଜୁରାଟ ଅନ୍ତଗର୍ତ ସୁରତରେ।

ବାପା ମା’ଙ୍କ ସମ୍ମତି ବିନା ପ୍ରେମ ବିବାହ ନ କରିବାକୁ ୧୦ ହଜାର ସ୍କୁଲ ପିଲା ଭାଲେଣ୍ଟାଇନ୍ସ ଡେ’ ରେ ଶପଥ ଗ୍ରହଣ କରିବେ। ‘ହାସ୍ୟମେଦ ଜୟତେ’ ନାମକ ସ୍ବେଚ୍ଛାସେବୀ ସଙ୍ଗଠନ ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି। କାର୍ଯ୍ୟକ୍ରମ ନିମନ୍ତେ ସୁରତର ପ୍ରାୟ ୧୨ଟି ସ୍କୁଲର ପିଲାମାନଙ୍କୁ ଅଣାଯାଉଛି। ଯଦି ବାପା ମା’ ସମ୍ମତି ଦିଅନ୍ତି ତେବେ ଯାଇ ସେମାନେ ସେମାନଙ୍କ ପ୍ରେମିକ-ପ୍ରେମିକାଙ୍କୁ ବାହା ହେବେ ବୋଲି ଶପଥ ନେବେ। ସହରର ଗୁଡ଼ାଏ କ୍ଲବ ଚଳାଉଥିବା ହାସ୍ୟ ଚିକିତ୍ସକ କମେଳଶ ମସଲାଓ୍ବାଲା ଏଇ ସଙ୍ଗଠନକୁ ଚଳାଉଛନ୍ତି। ସେ କୁହନ୍ତି, ବିଶେଷକରି ତରୁଣ ତରୁଣୀମାନେ ବହୁତ ଜଲଦି ପ୍ରେମରେ ପଡ଼ିଯାଉଛନ୍ତି। ଆଉ ବିବାହ କରିବା ପାଇଁ ସ୍ଥିର କରୁଛନ୍ତି। ଏମିତି କିଛି ପିଲା ଅଛନ୍ତି ଘରୁ ପଳାଇଯାଇ ବିବାହ କରୁଛନ୍ତି। ମାତ୍ର ଏମିତି ବିବାହ ଅଧିକ ଦିନ ଧରି ତିଷ୍ଠି ରହିନଥାଏ। ଜୀବନରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ଗ୍ରହଣ ପୂର୍ବରୁ ପିତାମାତାଙ୍କ ଉପଦେଶର ଗୁରୁତ୍ବ ପ୍ରଚାର କରିବାକୁ ଆମେ ଚାହୁଁଛୁ ବୋଲି ମସଲାଓ୍ବାଲା କହିଛନ୍ତି।

କାର୍ଯ୍ୟକ୍ରମରେ ୧୨ଟି ସ୍କୁଲ ତଥା ସଂସ୍କାର ଭାରତୀ, ଜ୍ଞାନପୀଠ, ଏମବି ବିଦ୍ୟାଳୟ, ସନଗ୍ରେସ ବିଦ୍ୟାଳୟ, ନବଚେତନା ବିଦ୍ୟାଳୟ ଏବଂ ଜ୍ଞାନ ଗଙ୍ଗା ବିଦ୍ୟାଳୟ ସମେତ ଆହୁରି ଅନେକ ସ୍କୁଲର ଛାତ୍ରଛାତ୍ରୀ ସାମିଲ ହେବେ।
.