ନୂଆଦିଲ୍ଲୀ ୦୪/୦୪: ସୋସିଆଲ ମିଡିଆରେ ଭାଇରାଲ ହେବାର ନିଶା ଓ ପର୍ଫେକ୍ଟ ଲୁକ୍ ପାଇବାର ଇଚ୍ଛା ଏବେ ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି । ଏବେ ଏକ ନୂଆ ଓ ଅତ୍ୟନ୍ତ ଭୟଙ୍କର ଟ୍ରେଣ୍ଡ ଖୁବ୍ ଭାଇରାଲ ହେଉଛି । ଏହାକୁ ‘ବୋନ୍ ସ୍ମାଶିଙ୍ଗ୍’ କୁହାଯାଉଛି । ଏହି ଟ୍ରେଣ୍ଡରେ ଯୁବପିଢ଼ି ନିଜ ମୁହଁର ହାଡ଼, ଖାସ୍କରି ହନୁହାଡ଼କୁ ଆକର୍ଷଣୀୟ କରିବା ପାଇଁ ମୁହଁକୁ ହାତୁଡ଼ିରେ ମାରୁଛନ୍ତି । ଇନ୍ଷ୍ଟାଗ୍ରାମ୍, ଟିକ୍ଟକ୍ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଏହି ଟ୍ରେଣ୍ଡ୍ ସବୁଠୁ ଅଧିକ ଦେଖିବାକୁ ମିଳୁଛି । ଲୋକେ ଏହାର ଭିଡିଓ କରି ଶେୟାର କରୁଛନ୍ତି ।
ଏହି ଟ୍ରେଣ୍ଡରେ ଲୋକଙ୍କ ବିଶ୍ୱାସ ଯେ ସେମାନେ ନିଜ ଚେହେରାର ହନୁ ହାଡ଼ରେ ଯଦି ଜୋର ଜୋର୍ ପ୍ରହାର କରିବେ, ସେଠାରେ ଛୋଟ ଛୋଟ ଫ୍ରାକ୍ଚର ହେବ । ଯେତେବେଳେ ଏହି ହାଡ଼ ଠିକ୍ ହେବ, ପୂର୍ବାପେକ୍ଷା ଅଧିକ ମଜଭୁତ ଓ ଚଉଡ଼ା ହୋଇଯିବ । ଏହା ଦ୍ୱାରା ସେମାନଙ୍କ ହନୁହାଡ଼ ଅଧିକ ଆକର୍ଷଣୀୟ ହୋଇଯିବ । ଏହି ଟ୍ରେଣ୍ଡ ‘ଲୁକ୍ସ୍ମାଶିଙ୍ଗ୍’ ନାମକ ଏକ ଅନ୍ଲାଇନ୍ ସମୁଦାୟ ସହ ଜଡ଼ିତ । ଏଥିରେ ଲୋକେ ନିଜ ଲୁକ୍କୁ ଆହୁରି ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି, ତାହା ସୁରକ୍ଷିତ ହେଉ ବା ନ ହେଉ ।
ତେବେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏ ନେଇ କଡ଼ା ଚେତାବନୀ ଦେଇଛନ୍ତି । ସେମାନେ ସ୍ପଷ୍ଟ କରିଛନ୍ତି, ଚେହେରାରେ ହାତୁଡ଼ିରେ ମାଡ଼ କରିବା ଦ୍ୱାରା ହାଡ଼ ମଜଭୁତ ହୁଏନାହିଁ, ବରଂ ନଷ୍ଟ ହୋଇଯାଏ । ଚେହେରା ସବୁଦିନ ପାଇଁ ଖରାପ ବା ବଙ୍କା ହୋଇପାରେ । ସ୍ନାୟୁଗୁଡ଼ିକର ଗମ୍ଭୀର କ୍ଷତି ହୋଇପାରେ । ଆଭ୍ୟନ୍ତର ରକ୍ତସ୍ରାବ ହୋଇପାରେ । ଦୃଷ୍ଟିଶକ୍ତି ହରାଇବାର ବିପଦ ମଧ୍ୟ ରହିଛି ।
ଆହୁରି ପଢ଼ନ୍ତୁ...ଦୁନିଆର ସବୁଠୁ ଭୟାନକ ଡାଇନେସୋର ଚମଡ଼ାରୁ ତିଆରି ହୋଇଛି ହ୍ୟାଣ୍ଡବ୍ୟାଗ୍, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍