ଭୁବନେଶ୍ୱର,୦୨/୦୬: ୟୁନିଟ୍-୨ର କ୍ୱାର୍ଟର୍ସ ନଂ ୨ ଆରଏ ୨୨ । ଭିତରେ ବିଦେଶୀ ବ୍ରାଣ୍ଡର ମଦବୋତଲ ଗଡୁଛି । ପାଖରେ ପଡିଛି ସୋଢା ବୋତଲ, ସିଗାରେଟ୍ ଖୋଳ ।କ୍ୱାର୍ଟର୍ସ ନଂ ଆଇଭିଏ ୨୪/୬ । ବଣ ଜଙ୍ଗଲ ଭିତରେ ସରୁ ବାଟ ଯାଇଛି । ଭିତରେ ମାଳ ମାଳ କଣ୍ଡୋମ ଗଦା ହୋଇଛି ।ସହରର ହୃଦୟ କୁହାଯାଉଥିବା ୟୁନିଟ-୨ର ଅନେକ ପରିତ୍ୟକ୍ତ ସରକାରୀ କ୍ୱାର୍ଟର୍ସରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଅବ୍ୟବହୃତ କ୍ୱାଟର୍ସ ଏବେ ରଙ୍ଗଶାଳା ପାଲଟିଛି । ରାତି ହେଲେ ଦେହବେପାର, ନିଶାଡ଼ିଙ୍କ ଆଡ୍ଡା ଜମୁଛି ।
ୟୁନିଟ୍-୨ ଅଞ୍ଚଳରେ ୨୩୦ ପୁରୁଣା କ୍ୱାର୍ଟର୍ସ ଭଙ୍ଗାଯିବ । ଏହାକୁ ଭାଙ୍ଗି ବହୁତଳ ବିଶିଷ୍ଟ କୋଠା ନିର୍ମାଣ ହେବ । କଂଗ୍ରେସ ଭବନ ୪ନଂ ରୋଡ୍ରେ ଥିବା ଭିଏ ୧୪/୧ କ୍ୱାର୍ଟର୍ସରୁ ନେଇ ରାଜମହଲ ଓଭରବ୍ରିଜ୍ ଯାଏ ଥିବା ସମସ୍ତ କ୍ୱାର୍ଟର୍ସ ଭଙ୍ଗାଯିବ । ଓଭରବ୍ରିଜ୍ରୁ ପେଟ୍ରୋଲ ପମ୍ପ ପାଖ ଦେଇ ମାର୍କେଟ୍ ବିଲ୍ଡିଂ ମୁଖ୍ୟ ଫାଟକ ସାମ୍ନା ଦେଇ ଗାନ୍ଧୀ ମାର୍ଗକୁ ଯାଇଥିବା ରାସ୍ତା ଭିତରେ ଆସୁଥିବା ସବୁ କ୍ୱାର୍ଟର୍ସ ଭାଙ୍ଗିବାକୁ ନୋଟିସ୍ ହୋଇଛି । ଏଥିରୁ ପ୍ରାୟ ୫୦ରୁ ୬୦ କ୍ୱାର୍ଟର୍ସ ପାଇଥିବା ଲୋକେ ଘର ଖାଲି କରି ସାରିଲେଣି । କିନ୍ତୁ ପ୍ରସ୍ତାବିତ ଯୋଜନା ଆଗଉନି । ଏଥିପାଇଁ ଘରଗୁଡ଼ିକ ସେମିତି ଖାଲି ଓ ଅବ୍ୟବହୃତ ହୋଇ ପଡ଼ିଛି । ଏହାକୁ କିଛି ଅସାମାଜିକ ଲୋକେ କବ୍ଜା କରି ନେଲେଣି । ସେଠାରେ ଅନୈତିକ କାରବାର ଚାଲୁଥିବା ଦେଖାଯାଉଛି ।
ନିଶାଡ଼ିଙ୍କ ଭୂସ୍ୱର୍ଗ ପାଲଟିଛି କ୍ୱାର୍ଟର୍ସ । ସନ୍ଧ୍ୟା ହେବା ମାତ୍ରେ ବ୍ରାଉନସୁଗର, ଗଞ୍ଜେଇ, ମଦର ଆସର ଜମୁଛି । ବିଳମ୍ବିତ ରାତି ଯାଏ ହୋ-ହଲ୍ଲାରେ ଫାଟି ପଡୁଛି । ରାତିରେ ଏହି କ୍ୱାର୍ଟର୍ସ ରାସ୍ତାରେ ଯିବାକୁ ଲୋକେ ଅସୁରକ୍ଷିତ ମନେ କରୁଛନ୍ତି । ଏହି କ୍ୱାର୍ଟର୍ସ ପାଖରେ ରହୁଥିବା ଲୋକେ ଭୟଭୀତ ହୋଇ ରହୁଛନ୍ତି ।
୧୪ ନଂ ଲେନ୍କୁ ଲାଗିଥିବା କିଛି ଅବ୍ୟବହୃତ କ୍ୱାଟର୍ସରେ ଦେହବେପାର ଚାଲୁଥିବା ଅଭିଯୋଗ ଆସିଛି । ରାତି ୧୦ଟା ପରେ ଏଠାରେ ଦେହଜୀବୀ ଛିଡ଼ା ହେଉଛନ୍ତି । କ୍ୱାର୍ଟର୍ସ ପାଚେରୀ ଭାଙ୍ଗି ଏହା ଭିତରକୁ ପଶୁଛନ୍ତି । ଅନ୍ଧାରିଆ ସ୍ଥାନକୁ ଗ୍ରାହକଙ୍କୁ ଡାକି ନେଉଛନ୍ତି । କିଛି କ୍ୱାର୍ଟର୍ସକୁ ଦେହଜୀବୀ ଓ ଦଲାଲମାନେ ନିଜ କବ୍ଜାରେ ରଖିଥିବା ଅନୁସନ୍ଧାନରୁ ଜଣାପଡ଼ିଛି ।
ୟୁନିଟ୍-୨ ମାର୍କେଟ ବିଲ୍ଡିଂକୁ ଲାଗି ଥିବା କିଛି କ୍ୱାର୍ଟର୍ସକୁ ଉଠାଦୋକାନୀ ମାଡ଼ି ବସିଛନ୍ତି । ତାଲା ଭାଙ୍ଗି ଜିନିଷ ପତ୍ର ରଖୁଛନ୍ତି । ଜନପଥକୁ ଲାଗି ଥିବା କିଛି କ୍ୱାର୍ଟର୍ସରେ ବେତ, ଲସି ଦୋକାନ ସାମଗ୍ରୀ ଗଦା ହୋଇଛି । ଆଉ କିଛି କ୍ୱାର୍ଟର୍ସକୁ ଭଡ଼ାରେ ଲଗାଯାଇଛି । କ୍ୱାର୍ଟର୍ସ ଭିତରେ ଥିବା ଦାମୀ କାଠ, ଲୁହା, ପିଏଚ୍ଡି ଓ ଇଲେକ୍ଟ୍ରିକ୍ ସାମଗ୍ରୀ ଚୋରି ହୋଇଗଲାଣି । ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଉପକରଣ ଦୈନିକ ଲୁଟ୍ ହେଉଛି । ଏକ ବର୍ଷରୁ ଅଧିକ ସମୟ ହେଲା କ୍ୱାର୍ଟର୍ସ ଛାଡ଼ିବାକୁ ନୋଟିସ୍ ଦେଇ ସାଧାରଣ ପ୍ରଶାସନ ବିଭାଗ ଶୋଇପଡ଼ିଛି । କ୍ୱାର୍ଟର୍ସ ଭାଙ୍ଗି ପୂରା ଅଞ୍ଚଳକୁ ଖାଲି କରିବାକୁ ଯୋଜନା ଥିଲେ ବି ଏହା ଆଗେଇ ପାରୁନି । ପୂର୍ତ୍ତ ବିଭାଗକୁ ଭାଙ୍ଗିବା ଦାୟିତ୍ୱ ଦିଆଯାଇଥିଲେ ବି ସେ ଏହାକୁ ଭାଙ୍ଗୁନି । ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉନି ।
କିଛିଦିନ ତଳେ ଖାଲି ପଡ଼ିଥିବା ଏକ କ୍ୱାର୍ଟର୍ସରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ହୋଇଥିଲା । ଏଥିରେ ଜଣେ ଆହତ ହୋଇଥିଲେ । ସେହିଭଳି ଆଉ ଏକ କ୍ୱାର୍ଟର୍ସରୁ ଏସ୍ଟିଏଫ୍ ବ୍ରାଉନସୁଗର ଜବତ କରିଛି ।
ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀ କହଛନ୍ତି, କ୍ୱାର୍ଟର୍ସରେ ଅନୈତିକ କାରବାର ଚାଲୁଥିବା ସମ୍ପର୍କରେ ବାରମ୍ବାର ସାଧାରଣ ପ୍ରଶାସନ ବିଭାଗକୁ ଜଣାଇଛୁ । ପୁଲିସକୁ ବି ଅବଗତ କରିଛୁ । କିନ୍ତୁ ସାଧାରଣ ପ୍ରଶାସନ ବିଭାଗ ଆମକୁ ଭାଙ୍ଗିବାକୁ ଚିଠି କରୁନି କି ଅର୍ଥ ମଞ୍ଜୁର କରୁନି । ଏଥିପାଇଁ ଆମେ ଭାଙ୍ଗିପାରୁନି । ସେପଟେ ସାଧାରଣ ପ୍ରଶାସନ ବିଭାଗ ଓଲଟା ପୂର୍ତ୍ତକୁ ଦୋଷ ଠେଲିଛି । କହିଛି, କ୍ୱାର୍ଟର୍ସ ଭାଙ୍ଗିବା ପାଇଁ କେତେ ଅର୍ଥ ଲାଗିବ ତାର ଆକଳନ କରି ଏଷ୍ଟିମେଣ୍ଟ ଦେବାକୁ ଆମେ ପୂର୍ତ୍ତ ବିଭାଗକୁ ଜଣାଇଛୁ । ୩୧ ତାରିଖ ସୁଦ୍ଧା ଏଷ୍ଟିମେଟ୍ ଦେବାକୁ କୁହାଯାଇଛି । ସେମାନେ ଏଷ୍ଟିମେଟ୍ ଦେଲେ ଆମେ ଭାଙ୍ଗିବାକୁ ଅର୍ଥ ମଞ୍ଜୁର କରିବୁ । କ୍ୱାର୍ଟର୍ସରେ ରହୁଥିବା କିଛି ଲୋକେ ପୁଲିସକୁ ଦୋଷ ଦେଇଛନ୍ତି । କ୍ୱାର୍ଟର୍ସରେ ଅନୈତିକ ଓ ଅସାମାଜିକ କାମ ଚାଲୁଥିବା ଆମେ ପୁଲିସକୁ ଜଣାଇଲେ ବି କିଛି ପଦକ୍ଷେପ ନିଆଯାଉନି ବୋଲି ସେ ଅଭିଯୋଗ କରିଛନ୍ତି ।