ନୂଆଦିଲ୍ଲୀ: ବେସ୍ କିଛି ସମୟ ଧରି ଆଫଗାନିସ୍ତାନରେ ବିନାଶ ଘଟାଇ ଆସୁଛି ପାକିସ୍ତାନୀ ସେନା। ଆଫଗାନିସ୍ତାନ ସହର ଗୁଡ଼ିକରେ ବହୁ ବିମାନ ଆକ୍ରମଣ କରି ଆସୁଛି ପାକ୍ ସେନା,ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଆଫଗାନ ନାଗରିକ ଆହତ ହୋଇଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ମଧ୍ୟରେ, ଆଫଗାନିସ୍ତାନରେ ଥିବା ଜାତିସଂଘ (ସଂଯୁକ୍ତ ରାଷ୍ଟ୍ର) ମିଶନ ଆଜି (ଗୁରୁବାର) ଏକ ସରକାରୀ ବିବୃତ୍ତି ଜାରି କରିଛି।

ଏହାର ସରକାରୀ ବିବୃତ୍ତିରେ, ଜାତିସଂଘ ମିଶନ ଗତକାଲି (ବୁଧବାର) ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଘଟିଥିବା ସଂଘର୍ଷରେ ହୋଇଥିବା ମୃତାହତ ଏବଂ ଆହତଙ୍କ ସୂଚନା ସେୟାର କରିଛି। ଏହା ଉପରେ ଜାତିସଂଘ ମିଶନ କହିଛି ଯେ,ଗତକାଲି (ବୁଧବାର) ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣରେ ୧୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ସହିତ, ଏହି ଆକ୍ରମଣରେ ମୋଟ ୩୪୬ ଜଣ ଗୁରୁତର ଆହତ ହୋଇଛନ୍ତି।

ଏହି ସଂଘର୍ଷ ଆରମ୍ଭରେ,ପାକିସ୍ତାନୀ ସେନା କେବଳ ଆଫଗାନ ସାମରିକ ଘାଟି ଗୁଡ଼ିକୁ ଟାର୍ଗେଟ କରୁଥିଲା। କିନ୍ତୁ ଗତକାଲି (ବୁଧବାର) ପାକିସ୍ତାନୀ ସେନା ଆଫଗାନିସ୍ତାନର ଖୋଷ୍ଟ ଏବଂ କାନ୍ଦାହାର ସୀମା ନିକଟବର୍ତ୍ତୀ ଆବାସିକ ଅଞ୍ଚଳ ଉପରେ ମଧ୍ୟ ବିମାନ ଆକ୍ରମଣ କରିଥିଲା।

ଏହି ବିମାନ ଆକ୍ରମଣରେ୧୨ ରୁ ଅଧିକ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ୧୦୦ ରୁ ଅଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ଆଫଗାନ ସାମ୍ବାଦିକ ଅବଦୁଲ ଘଫୁର ଆବିଦ ମଧ୍ୟ ଥିଲେ, ଯିଏ ପାକିସ୍ତାନୀ ଆକ୍ରମଣ ଉପରେ ଖବର ରିପୋର୍ଟ କଭରେଜ୍ କରୁଥିଲେ। ଆଉ ଜଣେ ସ୍ଥାନୀୟ ଆଫଗାନ ସାମ୍ବାଦିକ ତୱାବ ଅରମାନ ମଧ୍ୟ ପାକିସ୍ତାନୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।