ଅମ୍ବେଦକର ନଗର (ୟୁପି) : ଉତ୍ତର ପ୍ରଦେଶର ଅମ୍ବେଦକର ନଗର ଅନ୍ତର୍ଗତ ଆକବରପୁର କୋତୱାଲି ଅଞ୍ଚଳର ମୁରାଦାବାଦ ମିରାନପୁରର ହୃଦୟ ବିଦାରକ ଘଟଣା। ଚାରି ଭାଇ-ଭଉଣୀଙ୍କ ନିର୍ମମ ହତ୍ୟାକାଣ୍ଡ ମାମଲାରେ ରବିବାର ଏକ ନୂଆ ମୋଡ଼ ଆସିଛି। ଯେଉଁ ପିଲାମାନଙ୍କୁ ହତ୍ୟା କରିଥିବା ଅଭିଯୋଗ ମା’ ବିରୋଧରେ ଆସୁଥିଲା, ସେହି ମହିଳାଙ୍କ ମୃତଦେହ ଘଟଣାସ୍ଥଳରୁ ପ୍ରାୟ ୧୦୦ ମିଟର ଦୂର ଏକ ନାଳରୁ ଉଦ୍ଧାର କରାଯାଇଛି।
ଡ୍ରୋନ୍ ସାହାଯ୍ୟରେ ପୁଲିସ ଚଳାଇଥିବା ସର୍ଚ୍ଚ ଅପରେସନ୍ ବେଳେ ମହିଳାଙ୍କ ମୃତଦେହ ମିଳିଥିଲା। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶନିବାର ଘର ଭିତରୁ ଚାରି ପିଲାଙ୍କ ରକ୍ତାକ୍ତ ଶବ ମିଳିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ପ୍ରାଥମିକ ତଦନ୍ତରେ ମା’ ଉପରେ ସନ୍ଦେହ କରାଯାଉଥିଲା, କାରଣ ସେ ଘଟଣା ପର ଠାରୁ ନିଖୋଜ ଥିଲେ। ଏବେ ମା’ର ମୃତଦେହ ମିଳିବା ପରେ ସମ୍ପୂର୍ଣ୍ଣ ମାମଲା ଜଟିଳ ହୋଇ ଯାଇଛି। ମା’ ପିଲାମାନଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛି, ନା ଏହି ଜଘନ୍ୟ କାଣ୍ଡ ପଛରେ କୌଣସି ତୃତୀୟ ବ୍ୟକ୍ତିର ହାତ ଅଛି - ତାହା ଏବେ ଏକ ବଡ଼ ପ୍ରଶ୍ନ ହୋଇଛି।
ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ସବୁ ଦିଗରୁ ତଦନ୍ତ ଜାରି ରହିଛି। ପୋଷ୍ଟମର୍ଟମ ରିପୋର୍ଟ ଏବଂ ଫୋରେନସିକ୍ ପ୍ରମାଣ ଆଧାରରେ ହିଁ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ବର୍ତ୍ତମାନ ମହିଳାଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ନାନା ପ୍ରକାର ଚର୍ଚ୍ଚା ଲାଗି ରହିଛି।
ଶନିବାରର ଏହି ଘଟଣା ପରେ ମା’ ଘରେ ନ ମିଳିବାରୁ ସେ ଫରାର ଥିବା କୁହାଯାଉ ଥିଲା, କିନ୍ତୁ ରବିବାର ତାଙ୍କ ମୃତଦେହ ମିଳିଲା। ସୂଚନା ଅନୁଯାୟୀ, ମୃତ ପିଲାମାନଙ୍କ ପିତା ମହମ୍ମଦ ନିୟାଜ ଗତ ବର୍ଷେ ହେବ ରୋଜଗାର ପାଇଁ ସାଉଦି ଆରବରେ ରହୁଛନ୍ତି। ମୁରାଦାବାଦ ମହଲ୍ଲାର ଯେଉଁଠାରେ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଏକ ଶାନ୍ତ ଅଞ୍ଚଳ। ଘଟଣା ବିଷୟରେ ଯିଏ ଶୁଣିଲା ସେଠାକୁ ଦୌଡ଼ିଲା। ପୁଲିସ ଗୋଟିଏ ପରେ ଗୋଟିଏ ପିଲାଙ୍କ ଶବ ବାହାରକୁ ଆଣିବା ବେଳେ ଉପସ୍ଥିତ ଲୋକଙ୍କ ଛାତି ଥରି ଉଠି ଥିଲା।
ଶନିବାର ଅପରାହ୍ନ ୩.୪୦ ମିନିଟରେ ପୁଲିସକୁ ସୂଚନା ମିଳିଥିଲା ଯେ, ଗାଜିଆ ଖାତୁନଙ୍କ ଘରେ ପରିସ୍ଥିତି ଅସ୍ୱାଭାବିକ ଅଛି। ଏହା ପୂର୍ବରୁ ଜଣେ କ୍ଷୀରବାଲା କବାଟ ବାଡ଼େଇ ଥିଲେ ମଧ୍ୟ ଭିତରୁ କୌଣସି ଉତ୍ତର ମିଳି ନଥିଲା। ପୁଲିସ ତିନି ମହଲା ବିଶିଷ୍ଟ ଘରର ପ୍ରଥମ ମହଲାକୁ ଯାଇ ଦେଖିବା ବେଳକୁ ରୁମ୍ ଭିତରେ ଚାରୋଟି ଶବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲା। କେତେକଙ୍କ ଗଳାରେ କଟା ଦାଗ ଥିବା ବେଳେ ଅନ୍ୟମାନଙ୍କ ମୁଣ୍ଡକୁ ଇଟାରେ ଛେଚି ଦିଆ ଯାଇ ଥିଲା। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଏବେ ପୁଲିସ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।