ଜୟପୁର, ୨୨/୦୫(ପ୍ରକାଶ ଚନ୍ଦ୍ର ଦାଶ): ଅତିଥି ଦେବୋ ଭବଃ । ଏକଥାକୁ ସେମାନେ ଭଲ ଭାବେ ବୁଝିଛନ୍ତି । ସ୍ୱାର୍ଥଠାରୁ ଦୂରରେ ରହି ସମ୍ପର୍କକୁ ଜାବୁଡ଼ି ଧରିଛନ୍ତି । ଲାଭକ୍ଷତିର କେବେ ହିସାବ କରିନାହାନ୍ତି । ପ୍ରକୃତି କୋଳରେ ଜନ୍ମ । ସରଳ ଓ ନିରାଡମ୍ବର ଜୀବନ । ଆଧୁନିକତା କେବେ ଛୁଇଁପାରିନି ସେମାନଙ୍କୁ । ହୋଇପାରନ୍ତି ସେମାନେ ବନବାସୀ, ଅପାଠୁଆ, ସାଦାସିଧା ମଣିଷ । ଅସାଧାରଣ କିନ୍ତୁ ସେମାନଙ୍କ ଭଲ ପାଇବା । ଯେଉଁମାନେ ପିଢ଼ି ପରେ ପିଢ଼ି ସଙ୍ଗାତ ଗାଁ ସହ ସମ୍ପର୍କକୁ ଚିର ସବୁଜ, ସତେଜ ରଖି ଆସିଛନ୍ତି । କେବଳ ପରିବାର କି ପଡ଼ୋଶୀ ଭିତରେ ସୀମିତ ନୁହେଁ ସେମାନଙ୍କ ସମ୍ପର୍କ...ପରିବ୍ୟାପ୍ତ ଦୁଇ ଗାଁ ମଧ୍ୟରେ । ଶହ ଶହ ଲୋକଙ୍କ ଭିତରେ । ତା ପୁଣି ଭାଇ-ଭଉଣୀର ସମ୍ପର୍କ । ପ୍ରତି ୩ରୁ ୪ ବର୍ଷରେ ନିଆରା ଢଙ୍ଗରେ ସଙ୍ଗାତ ଗାଁକୁ ନିମନ୍ତ୍ରଣ କରନ୍ତି । ସେମାନେ ପହଞ୍ଚିବା ପରେ ଅଜାଡ଼ି ଦିଅନ୍ତି ଅଭୁଲା ଆତିଥ୍ୟ । ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା, ପାଦଧୁଆ, ଜୁହାରଭେଟ୍ ପରମ୍ପରାକୁ ଯିଏ ଦେଖିଛି ସିଏ ତାଜୁବ୍ ହୋଇଛି । ତିନି ଦିନ, ଦୁଇ ରାତି ଚାଲେ ନାଚଗୀତ, ଦେଶିଆ ନାଟ । ଭୋଜିଭାତର ଆସର ଜମେ । ଖର୍ଚ୍ଚ ହୁଏ ଲକ୍ଷ ଲକ୍ଷ ଟଙ୍କା । ତଥାପି ଆୟୋଜକ ଗାଁ ଲୋକଙ୍କ ମନରେ ସମାନ୍ୟତମ ସଂକୋଚ ନଥାଏ କି ନଥାଏ ତିଳେ ହେଲେ ଅବଶୋଷ ।
ଅବିଭକ୍ତ କୋରାପୁଟ ଜିଲ୍ଲାରେ ରହିଛି ଏମିତି ତିନିଯୋଡ଼ା (୬) ଆଦିବାସୀ ସଙ୍ଗାତ ଗାଁ । କେବେଠୁ ସେମାନେ ଏଭଳି ବନ୍ଧୁତାରେ ବାନ୍ଧି ହୋଇଛନ୍ତି-କେହି ଜାଣନ୍ତିନି । ପୂର୍ବପୁରୁଷରୁ ଚାଲି ଆସୁଥିବା ନିଆରା ସମ୍ପର୍କ ଓ ପୂଜ୍ୟପୂଜା ପରମ୍ପରାକୁ କେବଳ ଆଗେଇ ନେବା ଲାଗି ଉଦ୍ୟମ ଜାରି ରଖିଛନ୍ତି । ଉଦାହରଣ ଭାବେ ନିଆଯାଇପାରେ ଦୁଇ ଗାଁ- ଉଦୟଗିରି ଓ ପୂଜାରୀପୁଟକୁ । ଉଦୟଗିରି ଗାଁ ରହିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ର କର୍ତ୍ତନପାଲ୍ଲି ପଞ୍ଚାୟତରେ । ଆଉ ପୂଜାରୀପୁଟ ଗାଁର ଅବସ୍ଥିତି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ର ରାମଗିରି ପଞ୍ଚାୟତରେ । ଉଭୟ ଗାଁ ମଧ୍ୟରେ ଦୂରତା ପ୍ରାୟ ୮୦ କିମି । ଅଥଚ ଏହି ଦୂରତା ସେମାନଙ୍କ ପବିତ୍ର ସମ୍ପର୍କରେ କେବେ ପ୍ରତିବନ୍ଧକ ସାଜିପାରିନି । ପ୍ରତି ୩ ବର୍ଷରେ ଥରେ ଗୋଟିଏ ଗାଁ ଅନ୍ୟ ଗାଁକୁ ନିମନ୍ତ୍ରଣ କରିଥାନ୍ତି । ଏଇ ଯେମିତି ଏଥର ପାଳି ପଡ଼ିଥିଲା ପୂଜାରୀପୁଟର । ମାସକ ଆଗରୁ ଗାଁରେ ବସିଥିଲା ବୈଠକ । ସମୂହ ନିଷ୍ପତ୍ତି ମୁତାବକ ସଙ୍ଗାତ ଗାଁ ଉଦୟଗିରିକୁ ପାରମ୍ପରିକ ଢଙ୍ଗରେ କରାଯାଇଥିଲା ନିମନ୍ତ୍ରଣ । ସାଙ୍ଗରେ ନଡ଼ିଆ, କଦଳୀ, ମିଠା, ଦୁବ, ଧୂପକାଠି ଓ ହଳଦୀମିଶା ଅରୁଆ ଚାଉଳ ଧରି ପହଞ୍ଚିଥିଲେ ପୂଜାରୀପୁଟର ପ୍ରତିନିଧି ଦଳ । ସଙ୍ଗାତ ଗାଁର ମୁଖିଆ, ନାୟକ, ଚାଲାଣଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ଦିନରେ ଗାଁକୁ ଆସିବାକୁ ସାଦର ନିମନ୍ତ୍ରଣ କରିଥିଲେ ।
ବନ୍ଧୁ ଡାକରା ପାଇ ଗତ ୧୦ ତାରିଖରେ ପୂଜାରୀପୁଟରେ ପହଞ୍ଚିଥିଲେ ଉଦୟଗିରିର ପିଲାଛୁଆ, ଧାଙ୍ଗଡ଼ା ଧାଙ୍ଗିଡ଼ିଠାରୁ ଆରମ୍ଭ କରି ୫ ଶହରୁ ଅଧିକ ଲୋକ । ସେମାନଙ୍କୁ ଆଣିବା ଲାଗି ପୂଜାରୀପୁଟ ତରଫରୁ ହୋଇଥିଲା ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା । ଗାଁ ମୁଣ୍ଡ ସ୍ୱାଗତ ତୋରଣ ନିକଟରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ସମ୍ବର୍ଦ୍ଧନା ପର୍ବ । ପିଢ଼ା ପକାଇ ସମସ୍ତଙ୍କ ପାଦ ଧୋଇଥିଲେ ପୂଜାରୀପୁଟ ବାସିନ୍ଦା । ମଥାରେ ଚନ୍ଦନ, ସିନ୍ଦୂର ଲଗାଇଥିଲେ । ତା’ ପରେ ଆରମ୍ଭ ହୋଇଥିଲା ସବୁଠୁ ମନଛୁଆଁ ଜୁହାର ଭେଟ୍ ବା ପୂଜ୍ୟପୂଜା ପରମ୍ପରା । ଛୋଟମାନେ ବଡ଼ମାନଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ । ପରେ ପରେ ବାଜାବାଜଣା ସହ ଶୋଭାଯାତ୍ରାରେ ଗାଁ ଭିତରକୁ ସମସ୍ତଙ୍କୁ ପାଛୋଟି ନିଆଯାଇଥିଲା । ଅତିଥି ସେବାରେ କୌଣସି ଊଣା କରି ନ ଥିଲେ ପୂଜାରୀପୁଟ ବାସିନ୍ଦା । ଭଳିକିଭଳି ଭୋଜିଭାତରେ ଆପ୍ୟାୟିତ କରିଥିଲେ । ଏକାଠି ବସି ସୁସ୍ୱାଦୁ ଖାଦ୍ୟର ମଜା ନେଇଥିଲେ ସଭିଏଁ । ପାଦରେ ପାଦ ଓ କାନ୍ଧରେ କାନ୍ଧ ମିଳାଇ ମନଭରି ନାଚିଥିଲେ । ମନୋରଞ୍ଜନର ଅନ୍ୟତମ ମାଧ୍ୟମ ସାଜିଥିଲା ଦେଶିଆ ନାଟ । କେବେଠୁ ଏ ପରମ୍ପରା, କାହାକୁ ଜଣା ନ ଥିଲା । ସମସ୍ତଙ୍କ ମନରେ କିନ୍ତୁ ଥିଲା ଏକ ଅପାସୋରା ଆନନ୍ଦ । ଭାଇ-ଭଉଣୀର ପବିତ୍ର ସମ୍ପର୍କ । ଏଥିଲାଗି ଉଭୟ ଗାଁ ମଧ୍ୟରେ କେବେ ବିବାହ କଥା ହିଁ ଉଠିନି । ତୃତୀୟ ଦିନ ମଧ୍ୟାହ୍ନ ଭୋଜନ ପରେ ବେଳ ଆସିଥିଲା ସଙ୍ଗାତମାନଙ୍କୁ ବିଦାୟ ଦେବାର । ପରସ୍ପରକୁ ସେମାନେ କୋଳାଗ୍ରତ କରିଥିଲେ । ପୁଣିଥରେ ବଡ଼ମାନଙ୍କ ପାଦଛୁଇଁ ଜୁହାର କରିଥିଲେ ସାନମାନେ । ବନ୍ଧୁମାନଙ୍କୁ ଖୁସିରେ ବିଭିନ୍ନ ଭେଟି ଦେଇ ଅଶ୍ରୁଳ ନୟନରେ ବିଦାୟ ଜଣାଇଥିଲେ ପୂଜାରୀପୁଟ ବାସିନ୍ଦା ।
ଅନୁରୂପ ସମ୍ପର୍କରେ ବନ୍ଧା କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଦୁଇ ଗାଁ ଗଡ଼ପଦର ଓ ଏକମ୍ବା ଏବଂ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତର ମେଣ୍ଡକୁଲି ଓ କର୍ତ୍ତନପାଲ୍ଲୀ । ୪ ବର୍ଷ ପରେ ଏଥର ମୈତ୍ରୀ ଗାଁ ଗଡ଼ପଦରବାସୀଙ୍କୁ ନିମନ୍ତ୍ରଣ କରିଥିଲେ ଏକମ୍ବା ବାସିନ୍ଦା । ନିମନ୍ତ୍ରଣ ପାଇ ଗତ ଏପ୍ରିଲ୍ ୭ ତାରିଖରେ ଗଡ଼ପଦରର ୩ ଶହରୁ ଅଧିକ ଆବାଳ ବୃଦ୍ଧବନିତା ପହଞ୍ଚିଥିଲେ ଏକମ୍ବାରେ । ସାଙ୍ଗରେ ବନ୍ଧୁଭେଟି ଭାବେ ଆଣିଥିଲେ ମେଣ୍ଢାଠାରୁ ଆରମ୍ଭ କରି ବିଭିନ୍ନ ଫଳମୂଳ । ବୟସ୍କଙ୍କୁ ଭେଟି ଦେଇଥିଲେ ଧୋତି । ପୂଜାରୀପୁଟ ଭଳି ସମାନ ଢଙ୍ଗରେ ସେମାନଙ୍କୁ ସ୍ୱାଗତ କରାଯାଇ ଭବ୍ୟ ଆତିଥ୍ୟ ପ୍ରଦାନ କରାଯାଇଥିଲା । ୩ ଦିନ ଧରି ନାଚଗୀତ ଓ ବନ୍ଧୁମିଳନରେ ଉଛୁଳି ଉଠିଥିଲା ଏକମ୍ବା ଅଞ୍ଚଳ ।
ସେହିପରି ଗତ ୧୮ ତାରିଖରୁ ୩ ଦିନ ଧରି ମାଥିଲି ବ୍ଲକର ମେଣ୍ଡକୁଲି ଗାଁ ଥିଲା ବେଶ୍ ଚଳଚଞ୍ଚଳ । ସେମାନଙ୍କ ନିମନ୍ତ୍ରଣ ରକ୍ଷା କରି ପହଞ୍ଚିଥିଲେ କର୍ତ୍ତନପାଲ୍ଲୀ ବାସିନ୍ଦା । ସଙ୍ଗାତ ଗାଁର ଲୋକମାନଙ୍କୁ ପରମ୍ପରା ଅନୁଯାୟୀ ଆତିଥ୍ୟ ଦେବାରେ ଆଦୌ ଅବହେଳା କରି ନ ଥିଲେ ମେଣ୍ଡକୁଲିବାସିନ୍ଦା । ବାସ୍ତବରେ ଆଦିବାସୀ ସଙ୍ଗାତ ଗାଁର ଏହି ସୁନ୍ଦର ପରମ୍ପରା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି । ସରଳ ଭାଷାରେ ବୁଝାଇଦେବାକୁ ଚେଷ୍ଟା କରିଛି ଯେ, ସମ୍ପର୍କ ବିନା ଏ ଜୀବନ ତୁଚ୍ଛ । ବନ୍ଧୁତାର ବନ୍ଧନରେ ବାନ୍ଧି ହୋଇ କେଇକ୍ଷଣର ଏ ଜୀବନକୁ ହସିହସି ଜିଇଁନେବା ହିଁ ଶ୍ରେୟସ୍କର ।
ଅଧିକ ପଢ଼ନ୍ତୁ- Vigilance Raid: ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍,ଆର୍ଥିକ ଅନିୟମିତତା ଅଭିଯୋଗ