PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କାନ୍ସରେ କାର୍ଟିୟରର ନକଲି ‘କୁମ୍ଭୀର’ ହାର ପିନ୍ଧିଲେ ଉର୍ବଶୀ ରୌତେଲା, ସୋସିଆଲ୍ ମିଡିଆରେ ହେଲେ ଟ୍ରୋଲ୍

ନୂଆଦିଲ୍ଲୀ ୨୩/୦୫: ସମ୍ମାନସ୍ପଦ କାନ୍‌ ଚଳଚ୍ଚିତ୍ର ମହୋତ୍ସବର ୭୬ତମ ସଂସ୍କରଣରେ ନିଜର ପୋଷାକ ଚୟନକୁ ନେଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା। କାନ୍‌-୨୦୨୩ରେ ତାଙ୍କର ଫାଷ୍ଟ୍‌ ଲୁକ୍‌  ଏବେ ଟ୍ରେଣ୍ଡ୍‌ରେ ଅଛି । ଏ ଅବସରରେ ସେ ଏକ ଗୋଲାପି ରଙ୍ଗର  ଗାଉନ୍‌ ପିନ୍ଧିଥିଲେ । ତା’ସହିତ ମ୍ୟାଚ୍‌ କରି ଗଳାରେ ପିନ୍ଧିଥିଲେ ‘କୁମ୍ଭୀର’ ହାର । ବିଳାସପୂର୍ଣ୍ଣ ଡିଜାଇନର୍‌ ସାମଗ୍ରୀ ପ୍ରସ୍ତୁତକାରୀ  ଫ୍ରାନ୍ସର କମ୍ପାନି କାର୍ଟିୟର ଏହାକୁ ପ୍ରସ୍ତୁତ କରିଛି ବୋଲି ସେ ଦାବି କରିଥିଲେ ।

Urvashi Rautela

ପୂର୍ବ ରିପୋର୍ଟ ଅନୁସାରେ, ଏହି  ଡିଜାଇନର୍‌ ହାର ହୀରା ଓ ପାନ୍ନାରେ ପ୍ରସ୍ତୁତ ହୋଇଛି,  ଯାହାର ମୂଲ୍ୟ ୨୦୦ କୋଟି ଟଙ୍କା । ତେବେ ଉର୍ବଶୀଙ୍କୁ ଏଥିଲାଗି ଇଣ୍ଟର୍‌ନେଟ୍‌ ୟୁଜର୍‌ ସମାଲୋଚନା କରିଛନ୍ତି । ତାଙ୍କର କାନ୍‌ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ୟୁଜର୍‌ କହିଲେ ଯେ ସେ ପିନ୍ଧିଥିବା  ହାରଟି ସତସତିକା କାର୍ଟିୟର କମ୍ପାନିର ଉତ୍ପାଦ ନୁହେଁ ।  ଲୋକଙ୍କ ଅଭିଯୋଗ ଯେ ସେ ନକଲି କାର୍ଟିୟର ହାର ପିନ୍ଧିଛନ୍ତି । ଅରୁନ୍ଧତି ଡି-ଶେଠ୍‌ ନାମ୍ନୀ ଜଣେ ଗହଣା  କନ୍‌ସଲଟାଣ୍ଟ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଉର୍ବଶୀଙ୍କର ଅନେକ ଫଟୋ ଶେୟାର କରିଛନ୍ତି ଏବଂ  ଦାବି କରିଛନ୍ତି ଯେ ସେ ପିନ୍ଧିଥିବା  ହାରଟି ଜିୟା ଡାଇମଣ୍ଡ୍‌ସ ଦ୍ୱାରା  ପ୍ରସ୍ତୁତ । ଏକ ଐତିହାସିକ ହାରର  ନକଲି ଉତ୍ପାଦ ପିନ୍ଧିଥିବାରୁ  ଉର୍ବଶୀଙ୍କୁ ସେ ସମାଲୋଚନା ମଧ୍ୟ  କରିଛନ୍ତି । ଏହା ପରେ ଅନେକ  ୟୁଜର୍‌ ମିଛ କହିବା ପାଇଁ ଉର୍ବଶୀଙ୍କୁ  ଗାଳି କରିଛନ୍ତି ।

ସୂଚନାଯୋଗ୍ୟ,  ପୂର୍ବରୁ ଏକ ଗଣମାଧ୍ୟମକୁ ଉର୍ବଶୀ  କହିଥିଲେ, ଏଇଟି ଏକ କିମ୍ବଦନ୍ତୀ  ଗହଣା । ୨୦୦୬ ମସିହାରେ କାନ୍‌  ମହୋତ୍ସବରେ ମୋନିକା ବେଲ୍ଲୁଚି ଏହାକୁ ପିନ୍ଧିଥିଲେ ବୋଲି  ସେ ପରେ ଜାଣିବାକୁ  ପାଇଲେ । କିନ୍ତୁ  ଏଇଟି ଫ୍ରେଞ୍ଚ୍‌ ବ୍ରାଣ୍ଡ  କାର୍ଟିୟର୍‌ର ନୁହେଁ  ବୋଲି ୟୁଜର୍‌ ଦାବି  କରିବା ପରେ ଉର୍ବଶୀ  ମୁହଁ ଖୋଲିନାହାନ୍ତି ।