ନୂଆଦିଲ୍ଲୀ,୦୬/୦୪; ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଖୁବ୍ ଶୀଘ୍ର ନୂଆ ମୋଡ଼ ଦେଖିବାକୁ ମିଳିପାରେ । କାରଣ ଇରାନ ବିରୋଧରେ ଯୁଦ୍ଧ ମଇଦାନରେ ଏବେ ଆମେରିକା ନିଜର ସବୁଠୁ ଘାତକ ଅସ୍ତ୍ର ଜେଏଏସଏସଏମଇଆର ଷ୍ଟିଲଥ କ୍ରୁଜ ମିସାଇଲର ବ୍ୟାପକ ମୁତୟନ ଆରମ୍ଭ କରିଛି । ଏହି ମିସାଇଲ୍ ୯୬୫ କିମି ଦୂରରୁ ଶତ୍ରୁପକ୍ଷର ଏୟାରଡିଫେନ୍ସ ସିଷ୍ଟମକୁ ଚକମା ଦେଇ ଠିକ୍ ଆକ୍ରମଣ କରିବାରେ ସକ୍ଷମ । ଏଥିଯୋଗୁ ଆମେରିକୀୟ ପାଇଲଟଙ୍କୁ ବିପଜ୍ଜନକ କ୍ଷେତ୍ରକୁ ଯିବାର ଆବଶ୍ୟକତା ପଡି଼ବ ନାହିଁ ।

ଜେଏଏସଏସଏମ-ଇଆର ମିସାଇଲ୍‌ର ପୂରା ନାମ ହେଲା ଜଏଣ୍ଟ ଏୟାର ଟୁ ସରଫେସ୍ ମିସାଇଲ୍-ଏକ୍ସଟେଣ୍ଡେଡ୍ ରେଞ୍ଜ । ଏହା ୨୦୦୧ରୁ ଆମେରିକୀୟ ସେନାରେ ବ୍ୟବହାର ହେଉଛି । ବର୍ତ୍ତମାନ ଏହା ଆମେରିକୀୟ ବାୟୁସେନାର ମେରୁଦଣ୍ଡ ପାଲଟିଛି । ଏହାକୁ ଏଭଳି ଭାବେ ନିର୍ମାଣ କରାଯାଇଛି ଯେ ଏହା ଅତ୍ୟାଧୁନିକ ରାଡାରରେ ନଜର ଆସେନାହିଁ । ଏଥିରେ ପ୍ରାୟ ୪୫୦ କିଲୋର ଶକ୍ତିଶାଳୀ ୱାରହେଡ୍ ରହିଛି ଯାହାଫଳରେ ଏହା ଶତ୍ରୁପକ୍ଷର ଏୟାର ଡିଫେନ୍ସ ସିଷ୍ଟମ ଭେଦ କରି ମଜଭୁତ ଏବଂ ସୁରକ୍ଷିତ ଠିକଣାକୁ ନଷ୍ଟ କରିଥାଏ । ତେଣୁ ପାଇଲଟ ସୁରକ୍ଷିତ ଦୂରତାରେ ରହି ଆକ୍ରମଣ କରିପାରନ୍ତି । ଏହାକୁ ଆମେରିକୀୟ ବାୟୁସେନାର ଯୁଦ୍ଧବିମାନ ଯେପରିକି ଏଫ୍-୧୫ଇ, ଏଫ୍-୧୬ ଏବଂ ବି-୫୨ଏଚ୍, ବି-୧ବି, ବି-୨ଭଳି ଭାରୀ ବୋମାବର୍ଷୀ ବିମାନରୁ ଲଞ୍ଚ କରାଯାଇପାରିବ ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଆମେରିକା ଇରାନ ବିରୋଧରେ ନିଜର ଜେଏଏସଏସଏମଇଆର ମିସାଇଲର ପୂରା ଭଣ୍ଡାରକୁ ବ୍ୟବହାର କରିବାକୁ ବିଚାର କରୁଛି । ସେଥିଯୋଗୁ ପ୍ରାୟ ୧୩ କୋଟି ମୂଲ୍ୟର ଏହି ମିସାଇଲ୍‌କୁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଆମେରିକାର ଅନ୍ୟ ଠିକଣାରୁ ହଟାଇ ଇରାନ ସହ ଜଡି଼ତ ‘ସେଣ୍ଟ୍ରାଲ କମାଣ୍ଡ’ର ବେସ୍ ଏବଂ ବ୍ରିଟେନର ଆରଏଏଫ୍ ଫେୟାରଫୋର୍ଡ ବେସକୁ ପଠାଯାଇଛି । ଆମେରିକୀୟ ଜେନେରାଲ୍ ଡାନ କେନ୍‌ଙ୍କ ଅନୁସାରେ, ବି-୫୨ ବୋମାବର୍ଷୀ ବିମାନ ଏବେ ଇରାନ ଉପରେ ଉଡୁଛନ୍ତି । ସେଥିଯୋଗୁ ଶସ୍ତା ଜେଡିଏଏମ୍ ଗାଇଡେଡ୍ ବୋମାର ବ୍ୟବହାର ସହଜ ହୋଇଯାଇଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଆମେରିକା ଜେଏଏସଏସଏମ-ଇଆର୍ ମିସାଇଲ୍ ଷ୍ଟକ୍ର ପ୍ରାୟ ୮୨% ଅଂଶ ବ୍ୟବହାର କରିବାକୁ ପ୍ରସ୍ତୁତି କରୁଛି । ଯଦି ଏପରି ହୁଏ ଚୀନ୍ ଭଳି ଅଧିକ ସକ୍ଷମ ପ୍ରତିଦ୍ୱନ୍ଦ୍ୱୀଙ୍କ ଲାଗି ଆମେରିକା ନିକଟରେ ଅସ୍ତ୍ରର ଅଭାବ ଦେଖାଯାଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।