ନୂଆଦିଲ୍ଲୀ,୧୪/୦୩: ଇରାକ ରାଜଧାନୀ ବାଗଦାଦର "ଗ୍ରୀନ ଜୋନ" ରେ ଅବସ୍ଥିତ ଆମେରିକୀୟ ଦୂତାବାସ ଉପରେ ବଡ଼ ଆକ୍ରମଣ । ଦୂତାବାସ ପରିସରରେ ଥିବା ହେଲିପ୍ୟାଡକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼। ଏନେଇ ଇରାକୀ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଆମେରିକା ଇରାନର ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପ ଉପରେ ବୋମା ପକାଇଥିଲା। ପ୍ରତିଶୋଧ ସ୍ୱରୂପ ଇରାନ ଇରାକର ବାଗଦାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କରିଛି। ଆକ୍ରମଣ ପରେ ତୁରନ୍ତ ଦୂତାବାସ ପରିସରରୁ କଳା ଧୂଆଁ ବାହାରୁଥିବା ଦେଖାଯାଇଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏକ ଆତ୍ମଘାତୀ ଡ୍ରୋନ ଆମେରିକୀୟ ଦୂତାବାସର ରାଡାର ସିଷ୍ଟମକୁ ଟାର୍ଗେଟ କରିଥିବା ଜଣାପଡିଛି।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓଗୁଡ଼ିକରେ ଆମେରିକୀୟ ଦୂତାବାସ ପରିସର ଭିତରୁ ଧୂଆଁର ଗୁଣ୍ଡ ବାହାରୁଥିବା ସ୍ପଷ୍ଟ ଦେଖାଯାଉଛି। ତଥାପି, ଆମେରିକୀୟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ଦୂତାବାସ ଭିତରେ କ୍ଷତିର ସଠିକ ପରିମାଣ ସରକାରୀ ଭାବରେ ନିଶ୍ଚିତ କରାଯାଇ ନାହିଁ। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ଏହି ଆକ୍ରମଣ ଏପରି ଏକ ସମୟରେ ହୋଇଛି ଯେତେବେଳେ ସଦ୍ୟତମ ' ଇରାକୀ ଇସଲାମିକ୍ ପ୍ରତିରୋଧ' ଆମେରିକୀୟ ସାମରିକ ଏବଂ ଗୁଇନ୍ଦା କର୍ମଚାରୀଙ୍କ ଉପରେ ଏକ ବିପୁଳ ପୁରସ୍କାର ଘୋଷଣା କରିଥିଲା । ଏକ ଆମେରିକୀୟ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଥିଲା।
ଆହୁରି ପଢନ୍ତୁ- ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଉତ୍ତର କୋରିଆର ମିସାଇଲ୍ ବର୍ଷା, ଦକ୍ଷିଣ କୋରିଆ ଏବଂ ଜାପାନ ଛାତି ଧଡ଼ଧଡ଼
ଏହି ଆକ୍ରମଣ ସମାନ ସିରିଜର ଏକ ଅଂଶ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି। ଦୂତାବାସ ଆକ୍ରମଣକୁ ୱାଶିଂଟନ ପାଇଁ ଏକ ସିଧାସଳଖ ଚ୍ୟାଲେଞ୍ଜ ଭାବରେ ଦେଖାଯାଉଛି। ବାଗଦାଦରେ ଥିବା ଆମେରିକୀୟ ଦୂତାବାସକୁ ସବୁଠାରୁ ସୁରକ୍ଷିତ କୂଟନୈତିକ ପରିସର ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ, ତଥାପି ହେଲିପ୍ୟାଡକୁ କ୍ଷେପଣାସ୍ତ୍ର ପହଞ୍ଚିବା ଏକ ବଡ଼ ସୁରକ୍ଷା ଉଲ୍ଲଂଘନ ବୋଲି ବିବେଚନା କରାଯାଏ।