ନୂଆଦିଲ୍ଲୀ, ୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନା ବିଫଳ ହେବା ପରେ ପଶ୍ଚିମ ଏସିଆରେ ପୁଣି ଥରେ ଯୁଦ୍ଧର ବାଦଲ ଘେରିବାକୁ ଆରମ୍ଭ କରିଛି । ବିଶେଷ କରି ସାମରିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହୋର୍ମୁଜ ପ୍ରଣାଳୀକୁ ନେଇ ଇରାନ ଏବେ 'ଆର-ପାର' ମୁଡ୍ରେ ଥିବା ଜଣାପଡ଼ିଛି । ଇରାନର ଶକ୍ତିଶାଳୀ ସେନା 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ' (IRGC) ପକ୍ଷରୁ ଆମେରିକାକୁ ଏକ କଡ଼ା ଚେତାବନୀ ଦିଆଯାଇ କୁହାଯାଇଛି ଯେ, ଏହି ଅଞ୍ଚଳରେ ଶତ୍ରୁପକ୍ଷର କୌଣସି ବି ଭୁଲ୍ ପଦକ୍ଷେପ ମରଣାନ୍ତକ ସାବ୍ୟସ୍ତ ହେବ । ଇରାନ ନୌସେନା ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ଡ୍ରୋନ୍ ଫୁଟେଜ୍ ଜାରି କରି ନିଜର ଶକ୍ତି ପ୍ରଦର୍ଶନ କରିଛି । IRGC ଦାବି କରିଛି ଯେ, ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ପ୍ରତ୍ୟେକ ଜାହାଜ ଏବଂ ପ୍ରତିଟି ଗତିବିଧି ଇରାନ ସଶସ୍ତ୍ର ବାହିନୀର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଆମେରିକାର ଦୁଇଟି ଯୁଦ୍ଧ ଜାହାଜ USS Michael Murphy ଏବଂ USS Frank E. Petersenକୁ ପଛଘୁଞ୍ଚା ଦେବାକୁ ଇରାନ ବାଧ୍ୟ କରିଛି । କୌଣସି ବି ବିଦେଶୀ ଯୁଦ୍ଧ ଜାହାଜ ଯଦି ଏହି ସୀମା ମଧ୍ୟକୁ ପ୍ରବେଶ କରେ, ତେବେ ତାହାକୁ 'ସିଜ୍ଫାୟାର' ବା ଅସ୍ତ୍ରବିରତିର ଉଲ୍ଲଂଘନ ବୋଲି ଧରାଯିବ ।

ଏହା ବି ପଢ଼ନ୍ତୁ... ବ୍ୟାକ୍ ଟୁ ୱାର ! ଇରାନ ଉପରେ ପୁଣି ଆକ୍ରମଣ ନିର୍ଦ୍ଦେଶ ଦେଇପାରନ୍ତି ଟ୍ରମ୍ପ, WSJ ରିପୋର୍ଟରେ ଦାବି

ଆମେରିକା-ଇରାନ ମଧ୍ୟରେ ବଢ଼ୁଛି ତିକ୍ତତା:

ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ତଳେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଦାବି କରିଥିଲା କି ସେମାନଙ୍କର ଯୁଦ୍ଧ ଜାହାଜ ହୋର୍ମୁଜ ପ୍ରଣାଳୀ ଦେଇ ଗତି କରିବା ସହ ସମୁଦ୍ରରୁ ବାରୁଦୀ ସୁଡ଼ଙ୍ଗ ହଟାଇବା ଅଭିଯାନ ଆରମ୍ଭ କରିଛି । ମାତ୍ର ଇରାନ ଏହି ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ କେବଳ ଏକ 'ପ୍ରୋପାଗାଣ୍ଡା' ବୋଲି କହିଛି ।

ବିଫଳ ହେଲା ଶାନ୍ତି ଆଲୋଚନା:

ଇସଲାମାବାଦରେ ଆୟୋଜିତ 'ପିସ୍ ଟକ୍' ବା ଶାନ୍ତି ଆଲୋଚନା ବିଫଳ ହେବା ପରେ ଏହି ଉତ୍ତେଜନା ଆହୁରି ବଢ଼ିଯାଇଛି । ଯଦିଓ ଉଭୟ ଦେଶ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, କିନ୍ତୁ ଏହାର ସର୍ତ୍ତାବଳୀକୁ ନେଇ କୌଣସି ସହମତି ହୋଇପାରିନାହିଁ । ହୋର୍ମୁଜ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ବଡ଼ ତୈଳ ପରିବହନ ମାର୍ଗ । ଯଦି ଏଠାରେ ଯୁଦ୍ଧ ସ୍ଥିତି ଉପୁଜେ, ତେବେ ସାରା ବିଶ୍ୱରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବା ସହ ବିଶ୍ୱ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବ ।