ନୂଆଦିଲ୍ଲୀ, ୧୪।୭: ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆହୁରି ଭୟାନକ ରୂପ ନେବାରେ ଲାଗିଛି । ଏହି ମହାଯୁଦ୍ଧରେ ମୃତ୍ୟୁ ହୋଇଥିବା ଆମେରିକୀୟ ସୈନିକଙ୍କ ସଂଖ୍ୟା ଏବେ ୧୪ରେ ପହଞ୍ଚିଛି । ଆରବ ସାଗରରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଗମ୍ଭୀର ଭାବେ ଆହତ ହୋଇଥିବା ଆମେରିକା ନୌସେନାର ଜଣେ ପାଇଲଟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ଅନ୍ୟପଟେ ଯୁଦ୍ଧରେ ଆହତ ହୋଇଥିବା ଆମେରିକୀୟ ସୈନିକଙ୍କ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଥିବା ନେଇ ଆମେରିକା ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି । ମସ୍ତିଷ୍କରେ ଗମ୍ଭୀର ଆଘାତର ଶିକାର ସୈନିକ ଆମେରିକା ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆହତ ହୋଇଥିବା ସୈନିକମାନଙ୍କ ମଧ୍ୟରୁ ଅଧିକାଂଶ ‘ଟ୍ରମାଟିକ ବ୍ରେନ୍ ଇଞ୍ଜୁରି’ ବା ମସ୍ତିଷ୍କରେ ଗମ୍ଭୀର ଆଘାତର ଶିକାର ହୋଇଛନ୍ତି । କ୍ଷେପଣାସ୍ତ୍ର ମାଡ଼ ଏବଂ ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ସୈନିକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ହେଉଛି ନୂଆ ମୃତ୍ୟୁ ମାମଲା । ଏହା ପୂର୍ବରୁ ବିଭିନ୍ନ ସଂଘର୍ଷ ଏବଂ ଦୁର୍ଘଟଣାରେ ୧୩ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିଲେ । ହେଲିକପ୍ଟର କ୍ରାଶ୍ ନେଇ ପେଣ୍ଟାଗନର ସ୍ପଷ୍ଟୀକରଣ ସାମ୍ପ୍ରତିକ ସ୍ଥିତିରେ ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ଆକ୍ରମଣ ପ୍ରତିଆକ୍ରମଣ ତେଜିବାରେ ଲାଗିଛି । ତେବେ ଜୁଲାଇ ୧ରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଆମେରିକା ନୌସେନା ପୂର୍ବରୁ ଏହାକୁ ଏକ ଜରୁରୀକାଳୀନ ଅବତରଣ ବୋଲି କହିଥିଲା । କୌଣସି ଶତ୍ରୁପକ୍ଷର ଆକ୍ରମଣ ଯୋଗୁଁ ହେଲିକପ୍ଟରଟି କ୍ରାଶ୍ ହୋଇନଥିବା ସେନା ସ୍ପଷ୍ଟ କରିଥିଲା । ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ସୈନିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ପାଇଲଟଙ୍କର ମୃତ୍ୟୁ ଘଟିଛି । ଆମେରିକା ପ୍ରତିରକ୍ଷା ବିଭାଗ ‘ପେଣ୍ଟାଗନ’ ଏହାକୁ ଯୁଦ୍ଧକାଳୀନ ମୃତ୍ୟୁ ଶ୍ରେଣୀରେ ସାମିଲ କରିନାହିଁ ।
ଏହା ବି ପଢ଼ନ୍ତୁ... ରାସ୍ତାରେ ବୁଲୁଛି ୧୦୦୦ ଟନ୍ର ସିଲ୍ ମାଛ, ସମୁଦ୍ରରୁ ବାହାରି ସହରରେ କରୁଛି ଆରାମ
କୁଏତ୍, ସାଉଦି ଓ ଇରାକରେ ୧୩ ସୈନ୍ୟଙ୍କ ଜୀବନ ଯାଇଥିଲା । ଏହା ପୂର୍ବରୁ ଘଟିଥିବା ୧୩ଟି ମୃତ୍ୟୁ ମଧ୍ୟରୁ କୁଏତରେ ଏକ କମାଣ୍ଡ ସେଣ୍ଟର ଉପରେ ଇରାନର ଡ୍ରୋନ୍ ଆକ୍ରମଣ ଯୋଗୁଁ ୬ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଥିଲେ । ସାଉଦି ଆରବରେ ପ୍ରିନ୍ସ ସୁଲତାନ ଏୟାର ବେସରେ ହୋଇଥିବା ଆକ୍ରମଣରେ ଜଣେ ସୈନିକ ଗୁରୁତର ହୋଇ ପ୍ରାଣ ହରାଇଥିଲେ । ଇରାକରେ ସେନା ଅପରେସନରେ ନିୟୋଜିତ ଥିବା ଆମେରିକୀୟ ବାୟୁସେନାର ଏକ KC-135 ଇନ୍ଧନ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ୬ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା । ସେଣ୍ଟ୍ରାଲ କମାଣ୍ଡର ସୂଚନା ମୁତାବକ, ନିକଟରେ ଆମେରିକୀୟ ଏୟାରଫୋର୍ସର ଆଉ ଜଣେ ଯବାନ ଆହତଙ୍କ ତାଲିକାରେ ସାମିଲ ହୋଇଛନ୍ତି । ତେବେ ତାଙ୍କ ଆଘାତ ସମ୍ପର୍କରେ କୌଣସି ବିଶେଷ ସୂଚନା ଦିଆଯାଇ ନାହିଁ । ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ, ଆହତ ହୋଇଥିବା ଅଧିକାଂଶ ସୈନିକ ସୁସ୍ଥ ହେବା ପରେ ପୁଣି ଥରେ ନିଜ ନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି ।