ନୂଆଦିଲ୍ଲୀ ୧୪/୦୭: ଅଷ୍ଟ୍ରେଲିଆର ତାସ୍ମାନିଆ ରାଜ୍ୟରେ ଆଜିକାଲି ଏକ ସାମୁଦ୍ରିକ ଜୀବକୁ ନେଇ ଚର୍ଚ୍ଚା । ନାଁ ‘ନିଲ୍’ । ଏହା ଏକ ସଦର୍ନ ଏଲିଫ୍ୟାଣ୍ଟ ସିଲ୍ । ଓଜନ ପ୍ରାୟ ୧୦୦୦ କିଲୋ । ନିଲ୍ ସମୁଦ୍ରରୁ ବାହାରି ସହରର ରାସ୍ତାରେ ପହଞ୍ଚିଛି । କେତେବେଳେ ରାସ୍ତା ମଝିରେ ବୁଲୁଛି, ଆଉ କେତେବେଳେ ରାସ୍ତା କଡ଼ରେ ଆରାମ କରୁଛି । ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ନିଲ୍କୁ ଦେଖିବାକୁ ଖୁବ୍ ଭିଡ଼ ଜମୁଛି । ତା’ଠୁ ଦୂରରେ ରହିବାକୁ ଓ ତାକୁ ହଇରାଣ ନ କରିବାକୁ ବନ୍ୟଜୀବ ଅଧିକାରୀ ବାରମ୍ବାର ଲୋକଙ୍କୁ କହୁଛନ୍ତି । ସେମାନଙ୍କ ଅନୁସାରେ, ନିଲ୍ ଏବେ ଆରାମ କରୁଛି । ତେଣୁ ତା’ସହ ଲଗିବା ଉଚିତ୍ ନୁହେଁ । ଅଷ୍ଟ୍ରେଲିଆରେ ସାମୁଦ୍ରିକ ଜୀବଙ୍କର ତଟକୁ ଚାଲିଆସିବା ସାଧାରଣ କଥା । କିନ୍ତୁ ବିଶାଳକାୟ ଏଲିଫ୍ୟାଣ୍ଟ ସିଲ୍ ସହରରେ ପହଞ୍ଚିବା ଖୁବ୍ ବିରଳ ।
ବୈଜ୍ଞାନିକଙ୍କ ଅନୁସାରେ, ନିଲ୍ ଏବେ ପୂରା ବଡ଼ ହୋଇନାହିଁ । ଆଗାମୀ ଦିନରେ ଏହାର ଓଜନ ଓ ଆକାର ଉଭୟ ଆହୁରି ବଢ଼ିବ । ବିଶେଷଜ୍ଞଙ୍କ ଅନୁସାରେ, ଏଲିଫ୍ୟାଣ୍ଟ ସିଲ୍ ଅନେକ ସମୟରେ ସମୁଦ୍ରରୁ ବାହାରି ତଟ କିମ୍ବା ଆଖପାଖରେ ଆରାମ କରନ୍ତି । ଏହି ସମୟରେ ସେମାନଙ୍କ ଶରୀରର ପୁରୁଣା ଚମଡ଼ା ଓ କେଶ ଝଡ଼େ ଓ ନୂଆ ପରସ୍ତ ସୃଷ୍ଟି ହୁଏ । ଏହାକୁ ମୋଲ୍ଟିଂ କୁହାଯାଏ । ସେଥିପାଇଁ ଏମାନେ ଅନେକ ଦିନ ଧରି ଗୋଟିଏ ସ୍ଥାନରେ ଆରାମ କରନ୍ତି । ନିଲ୍ ମଧ୍ୟ ଏଥିପାଇଁ ସହର ଆଖପାଖରେ ଦେଖାଯାଉଛି । ୧ ଟନ୍ର ନିଲ୍କୁ ରାସ୍ତାରେ ବୁଲୁଥିବାର ଦେଖି ଲୋକେ ଚକିତ ହେଉଛନ୍ତି ।
ଆହୁରି ପଢ଼ନ୍ତୁ...Bedsheets Stolen From Indian Railways: ଟ୍ରେନ୍ରୁ ୧.୨୭ କୋଟି ବେଡସିଟ୍, କମ୍ବଳ ଚୋରି : ପ୍ରମାଣ ପାଉନି ରେଳବାଇ
ସଦର୍ନ ଏଲିଫ୍ୟାଣ୍ଟ ସିଲ୍ ବିଶ୍ୱର ସର୍ବବୃହତ ସିଲ୍ ପ୍ରଜାତି । ଏହି ପ୍ରଜାତିର ଅଣ୍ଡିରା ସିଲ୍ ୫-୬ ମିଟର ଲମ୍ବା ଓ ୩-୪ ହଜାର କିଲୋ ଓଜନର ହୋଇପାରେ । ତେବେ ମାଈ ଏହାଠୁ ଖୁବ୍ ଛୋଟ । ଦକ୍ଷିଣ ମହାସାଗର, ଆଣ୍ଟାର୍କଟିକା ଆଖପାଖ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଆଖପାଖ ଦ୍ୱୀପରେ ଏମାନେ ବିଚରଣ କରନ୍ତି । ୧୦୦୦ ମିଟରରୁ ଅଧିକ ଗଭୀରକୁ ଏମାନେ ପହଁରି ପାରନ୍ତି ।