ନୂଆଦିଲ୍ଲୀ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଇସ୍ରାଏଲ ଯାତ୍ରାରେ ଯାଇଥିଲେ। ପିଏମ୍ ମୋଦି ତେଲ୍ ଅଭିଭ୍ରୁ ଫେରିବାର ତୁରନ୍ତ ପରେ ଇସ୍ରାଏଲ ପକ୍ଷରୁ ଇରାନ ଉପରେ ଆକ୍ରମଣ କରାଯାଇଥିଲା। ଇସ୍ରାଏଲ ଓ ଆମେରିକା ମିଳିତ ଭାବରେ ଇରାନର ପ୍ରବଳ କ୍ଷୟକ୍ଷତି କରିଛନ୍ତି। ଏହି ଆକ୍ରମଣର ଖବର ଯେତେବେଳେ ଭାରତରେ ପହଁଞ୍ଚିଥିଲା, ସେତେବେଳେ ଏହାର ଟାଇମିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ସେଭଳି ଏବେ ଭାରତରେ ଅବସ୍ଥାପିତ ଇସ୍ରାଏଲର ରାଷ୍ଟ୍ରଦୂତ ରିୟୁଭେନ୍ ଅଜର ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ‘ସେହି ଅପରେସନାଲ ଅବସର’ ବେଳେ ହୋଇଛି,ଯାହାକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲ୍ ଅଭିଭ୍ ଯିବା ପରେ ସାମନାକୁ ଆସିଛି।
ଅଜରଙ୍କ କହିବା ଅନୁସାରେ,ପିଏମ୍ ମୋଦିଙ୍କ ଯାତ୍ରା ବେଳେ ଇସ୍ରାଏଲକୁ ଏହି ସୂଚନା ନଥିଲା ଯେ, ଇରାନ ଉପରେ ଆକ୍ରମଣ କରାଯିବ। ସେ କହିଛନ୍ତି,ମୋଦିଙ୍କ ସହ ଆଞ୍ଚଳିକ ସ୍ଥିିତ ଉପରେ ଚର୍ଚ୍ଚା ହୋଇଥିଲା,କିନ୍ତୁ ଯେଉଁ ଅପରେସନର ସେ ସମୟରେ ହେବାର ଯୋଜନା ନଥିଲା, ତା ବିଷୟରେ କଥା ହେବାର କୌଣସି ପ୍ରଶ୍ନ ଉଠୁନି।
ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ଇସ୍ରାଏଲୀ ରାଷ୍ଟ୍ରଦୂତ କହିଛନ୍ତି,ପିଏମ୍ ମୋଦିଙ୍କ ଗସ୍ତର ପ୍ରାୟ ଦୁଇ ଦିନ ପରେ ଇରାନ ଉପରେ ଆକ୍ରମଣର ନିଷ୍ପତ୍ତି ନିଆଯାଇଥିଲା। ସେ କହିଛନ୍ତି,ଶନିବାର ସକାଳ (୨୮ ଫେବୃଆରୀ) ସୁରକ୍ଷା କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ ମିଳିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଓ ୨୬ ଫେବୃଆରୀରେ ଦୁଇ ଦିବସୀୟ ରାଜକୀୟ ଯାତ୍ରାରେ ଇସ୍ରାଏଲରେ ଥିଲେ। ସେଠାରେ ତାଙ୍କର ୨୦୧୭ ପରେ ଦ୍ବିତୀୟ ଯାତ୍ରା ଥିଲା। ୨୦୧୭ ବେଳେ ଭାରତ-ଇସ୍ରାଏଲ ସମ୍ପର୍କ ଐତିହାସିକ ବୋଲି କୁହାଯାଇଥିଲା,ଯାହାଫଳରେ ଦୁଇ ଦେଶର ରଣନୈତିକ ସମ୍ପର୍କକୁ ନୂତନ ଦିଗ ମିଳିଥିଲା। ମୋଦି ତେଲ୍ ଅଭିଭରୁ ଫେରିବାର ଦିନକ ପରେ ୨୮ ଫେବୃଆରୀରେ ଇସ୍ରାଏଲ ଓ ଆମେରିକା ମିଳିତ ଅଭିଯାନ ଅନୁସାରେ ଇରାନର ବହୁ ସହରରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ପାଖାପାଖି ୮୦୦ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।