ନୂଆଦିଲ୍ଲୀ,୨୧/୦୩ : ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ଆମେରିକା ସାମରିକ ଉପସ୍ଥିତିକୁ ସୁଦୃଢ଼ କରି ଆହୁରି ୩ଟି ଯୁଦ୍ଧଜାହାଜ ଏବଂ ପ୍ରାୟ ୨, ୫୦୦ ଅତିରିକ୍ତ ମେରାଇନ ମୁତୟନ କରିଥିବା ଆମେରିକୀୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି । ଏବେ ହୋର୍ମୁଜରେ ମୁହାଁମୁହିଁ ଯୁଦ୍ଧ ହେବା ଆଶଙ୍କା କରାଯାଉଛି । ତେହେରାନର ସର୍ବୋଚ୍ଚ ସାମରିକ ମୁଖପାତ୍ର ଜେନେରାଲ ଆବୋଲଫଜଲ ଶେକାରଚି ଚେତାବନୀ ଦେଇଛନ୍ତି ଯେ, ବିଶ୍ୱରେ ପର୍ଯ୍ୟଟନ ସ୍ଥାନଗୁଡ଼ିକ ଇରାନର ଶତ୍ରୁମାନଙ୍କ ପାଇଁ ସୁରକ୍ଷିତ ରହିବ ନାହିଁ ।
ଆମେରିକା-ଇସ୍ରାଏଲର ମିଳିତ କାର୍ଯ୍ୟାନୁଷ୍ଠାନରେ ଅନେକ ଶୀର୍ଷ ଇରାନୀ ନେତାଙ୍କ ମୃତ୍ୟୁ ଏବଂ ଏହାର ପ୍ରତିରକ୍ଷା ଏବଂ ଶକ୍ତି ଭିତ୍ତିଭୂମିକୁ ଯଥେଷ୍ଟ କ୍ଷତି ପହଞ୍ଚାଇବା ପରେ ଏହି ବିବୃତ୍ତି ଆସିଛି । ଯୁଦ୍ଧ ମଧ୍ୟରେ ମଧ୍ୟ ଇରାନ ମିସାଇଲ ବିକାଶ କରୁଥିବା ଦାବି କରିଆସୁଛି । ଇସ୍ରାଏଲୀ ଆକ୍ରମଣରେ ପୂର୍ବତନ ଇରାନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ, ତାଙ୍କ ପୁଅ ଆୟାତୋଲ୍ଲା ମୋଜତାବା ଖାମେନେଇ ଦାୟିତ୍ୱ ଗ୍ରହଣ କଲେ । ତାଙ୍କର ପ୍ରଥମ ବିବୃତ୍ତିରେ, ସେ କହିଥିଲେ, "ଶତ୍ରୁମାନଙ୍କ ସୁରକ୍ଷା ଛଡ଼ାଇ ନିଆଯିବା ଉଚିତ୍ ।" ଇସ୍ରାଏଲ ତେହେରାନ ଉପରେ ବାରମ୍ବାର ଆକ୍ରମଣ କରିଆସୁଛି । ଶୁକ୍ରବାର ବାସିଜ ଫୋର୍ସ ଗୁପ୍ତଚର ମୁଖ୍ୟ ଇସମାଇଲ ଅହମଦିଙ୍କ ମୃତ୍ୟୁ ନିଶ୍ଚିତ କରିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦାବି କରିଛନ୍ତି ଯେ, ଇରାନର ନୌସେନା ଏବଂ ବାୟୁସେନା ଧ୍ୱଂସ ହୋଇଯାଇଛି, ଏହି ଦାବିକୁ ଇରାନ ଅସ୍ୱୀକାର କରିଛି ।
ଏହା ବି ପଢନ୍ତୁ...ବିଶ୍ୱର ସବୁଠୁ ବଡ଼ ଏଲ୍ଏନ୍ଜି ପ୍ଲାଣ୍ଟ୍ରେ ହମ୍ଲା, ମହଙ୍ଗା ହେବ ଟେକ୍ ଉତ୍ପାଦ
ମାନବିକ ସଙ୍କଟ- ଇରାନରେ ଏପର୍ଯ୍ୟନ୍ତ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଲେବାନନରେ ଇସ୍ରାଏଲୀୟ ଆକ୍ରମଣ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ବାସହରା କରିଛି। ଇସ୍ରାଏଲରେ ଇରାନୀ ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ, ଆମେରିକା ୧୩ ଜଣ ସୈନିକଙ୍କୁ ହରାଇଛି ।
ବିଶ୍ୱ ତୈଳ ସଙ୍କଟ ଘନିଭୂତ- ଉପସାଗରୀୟ ଅଞ୍ଚଳରେ ଶକ୍ତି ଭିତ୍ତିଭୂମି ଉପରେ ଇରାନର ଆକ୍ରମଣ ଏବଂ ହୋର୍ମୁଜ୍ ପ୍ରଣାଳୀ ଅବରୋଧ କରିବା ଫଳରେ ବିଶ୍ୱ ତୈଳ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହା ଯୋଗୁଁ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୮ ଡଲାରକୁ ବୃଦ୍ଧି ପାଇଛି । ଏସିଆ, ବିଶେଷକରି ଭାରତ, ଚୀନ୍ ଏବଂ ଜାପାନ ବିଶେଷ ଭାବରେ ପ୍ରଭାବିତ ହେଉଛି । କମ୍ପ୍ୟୁଟର ଚିପ୍ସରେ ବ୍ୟବହୃତ ହିଲିୟମ ଏବଂ ସାରରେ ବ୍ୟବହୃତ ସଲଫରର ଯୋଗାଣ ମଧ୍ୟ ବର୍ତ୍ତମାନ ବାଧାପ୍ରାପ୍ତ ହୋଇଛି ।