ନୂଆଦିଲ୍ଲୀ ୨୧/୦୩: ଇରାନ ଓ ଆମେରିକା-ଇସ୍ରାଏଲ ଯୁଦ୍ଧରେ ଏବେ ନୂଆ ମୋଡ଼ ଆସିଛି । ଇରାନ କାତାରର ସବୁଠୁ ବଡ଼ ଗ୍ୟାସ୍ ପ୍ଲାଣ୍ଟ୍ ସାର ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟିରେ ମିସାଇଲ ଓ ଡ୍ରୋନ୍ ମାଡ଼ କରିଛି । ଏହା ବିଶ୍ୱର ସବୁଠୁ ବଡ଼ ଏଲ୍ଏନ୍ଜି (ତରଳୀକୃତ ପ୍ରାକୃତିକ ଗ୍ୟାସ୍) ପ୍ଲାଣ୍ଟ । ଆକ୍ରମଣ ଯୋଗୁ ପ୍ଲାଣ୍ଟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି । କାତାର ଏନର୍ଜି ସିଇଓ କହିଛନ୍ତି, ପ୍ଲାଣ୍ଟ ୧୭ ପ୍ରତିଶତ କ୍ଷମତାରେ କାମ କରୁଛି । ୩-୫ ବର୍ଷ ଯାଏ ଏହା ବନ୍ଦ ରହିବ । ଏହାକୁ ପୁନଃ ଚାଲୁ କରିବାରେ ସମୟ ଲାଗିବ । ସବୁଠୁ ବଡ଼ ସମସ୍ୟା ହେଉଛି ହିଲିୟମ୍ ଗ୍ୟାସ୍ର ଉତ୍ପାଦନ ମଧ୍ୟ ଠପ୍ ହୋଇଯାଇଛି । କାତାର ବିଶ୍ୱର ୩୩ ପ୍ରତିଶତ ହିଲିୟମ୍ ଗ୍ୟାସ୍ ଯୋଗାଣ କରୁଥିଲା । ଏବେ ବିଶ୍ୱର ଏକ ତୃତୀୟାଂଶ ହିଲିୟମ୍ ଗୋଟିଏ ରାତିରେ ଉଭାନ୍ ହୋଇଛି ।
ହିଲିୟମ୍ ଏକ ଅତ୍ୟନ୍ତ ହାଲୁକା ଓ ଥଣ୍ଡା ଗ୍ୟାସ୍ । ଚିପ୍ କାରଖାନା(ସେମିକଣ୍ଡକ୍ଟର) ରେ ମେସିନ୍ଗୁଡ଼ିକୁ ଥଣ୍ଡା ରଖିବା ପାଇଁ, ଏମ୍ଆର୍ଆଇ ମେସିନ୍ରେ ଏବଂ ରକେଟ୍ ଇନ୍ଧନ ଓ ଅନେକ ଇଣ୍ଡଷ୍ଟ୍ରିରେ ଏହାର ଉପଯୋଗ ହୁଏ । ଏହାର କୌଣସି ଶସ୍ତା ବିକଳ୍ପ ନାହିଁ । ଏବେ ଯୋଗାଣ ବନ୍ଦ ହେବାରୁ ଏହାର ମୂଲ୍ୟ ଦୁଇଗୁଣ ହୋଇଛି । ଅନେକ ଦେଶରେ ସଙ୍କଟ ଦେଖାଯାଇଛି । ବିଶ୍ୱର ୧୨ ବଡ଼ ଦେଶ ଏହି ଆକ୍ରମଣ ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛନ୍ତି । ଦକ୍ଷିଣ କୋରିଆ କାତାରରୁ ୬୪.୭ ପ୍ରତିଶତ ହିଲିୟମ୍ ଆମଦାନି କରେ । ସାମ୍ସଙ୍ଗ୍ ଓ ଏସ୍କେ ହାଇନିକ୍ସର ଚିପ୍ କାରଖାନା ଏବେ ବିପଦରେ । ତାଇୱାନ ବିଶ୍ୱର ୧୮ ପ୍ରତିଶତ ଚିପ୍ ପ୍ରସ୍ତୁତ କରେ । ଏହି ଆକ୍ରମଣ ପରେ କମ୍ପାନି ଚିନ୍ତାରେ ପଡ଼ିଛି । ଜାପାନ ଚିପ୍ ଫାବ୍ ଓ ଏମ୍ଆର୍ଆଇ ମେସିନ ପ୍ରସ୍ତୁତିର ବଡ଼ କେନ୍ଦ୍ର । କାତାର ପ୍ଲାଣ୍ଟ ଯଦି ୬୦ରୁ ଅଧିକ ଦିନ ବନ୍ଦ ରହେ, ତେବେ ସର୍ବପ୍ରଥମେ ଏଠାରେ କାମ ବନ୍ଦ ହୋଇଯିବ ।
ସିଙ୍ଗାପୁର ସେମିକଣ୍ଡକ୍ଟର ହବ୍ । ବୈଜ୍ଞାନିକ ରିପୋର୍ଟରେ କାତାର ଉପରେ ଏହାର ନିର୍ଭରଶୀଳତା ପୂର୍ବରୁ ସ୍ପଷ୍ଟ ହୋଇଥିଲା । ଭାରତର ହସ୍ପିଟାଲଗୁଡ଼ିକରେ ଏମ୍ଆର୍ଆଇ ମେସିନ୍ ପାଇଁ କାତାରରୁ ହିଲିୟମ୍ ଆସେ । ଏଣିକି ଭାରତରେ ଏମ୍ଆର୍ଆଇ ସ୍କାନିଂ ମହଙ୍ଗା ହେବ । ଆମେରିକାର ପୁରୁଣା ହିଲିୟମ୍ ଭଣ୍ଡାର ଶେଷ ହେଉଛି । ଏଚ୍ପି, ଡେଲ୍, ଲେନୋଭୋ ନିଜର ଉତ୍ପାଦ ମୂଲ୍ୟ ୧୫- ୨୦ ପ୍ରତିଶତ ବଢ଼ିବ ବୋଲି ଗ୍ରାହକଙ୍କୁ ଚେତାବନୀ ଦେଇଛନ୍ତି । ବ୍ରିଟେନରେ ହିଲିୟମ୍ ପ୍ରସ୍ତୁତ ହୁଏନାହିଁ । ଏବେ ଏନ୍ଏଚ୍ଏସ୍ ହସ୍ପିଟାଲଗୁଡ଼ିକର ଏମ୍ଆର୍ଆଇ ମେସିନ ପ୍ରଭାବିତ ହୋଇଛନ୍ତି । ଫ୍ରାନ୍ସରେ ଏୟାର ଲିକ୍ୱିଡ୍ ରହିଛି, କିନ୍ତୁ ଏହା ନୂଆ ହିଲିୟମ୍ ପ୍ରସ୍ତୁତ କରିପାରେ ନାହିଁ । ଚୀନ୍ ଚିପ୍ ଫାବ୍ ଓ ଏମ୍ଆ୍ଆଇ ପାଇଁ ହିଲିୟମ୍ ଆମଦାନି କରେ । ଏବେ ଏଥିଲାଗି ସାଇବେରିଆରେ ନିଜେ ଅନ୍ୱେଷଣ ଚେଷ୍ଟା କରୁଛି । ଅଷ୍ଟ୍ରେଲିଆ ଅଳ୍ପ ହିଲିୟମ୍ ରପ୍ତାନି କରେ, କିନ୍ତୁ କାତାରର କ୍ଷତିକୁ ସମ୍ପୂର୍ଣ୍ଣ ଭରଣା କରିପାରିବ ନାହିଁ ।
ଆହୁରି ପଢ଼ନ୍ତୁ...ସିଜଫାୟାର ମୁଡ୍ରେ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ, କହିଲେ ଇରାନକୁ ମାଟିରେ ମିଶାଇ ଦେବି
କାତାର ଅନୁସାରେ, ତା’ର ହିଲିୟମ୍ ପ୍ଲାଣ୍ଟ ୫ ବର୍ଷ ଯାଏ ଅଚଳ ହୋଇଛି । ଇତିମଧ୍ୟରେ କୌଣସି ନୂଆ ପ୍ଲାଣ୍ଟ ଆରମ୍ଭ ହୋଇପାରିବ ନାହିଁ । ତରବରିଆ ଭାବେ ହିଲିୟମ୍ ପ୍ରସ୍ତୁତି ହୋଇପାରିବ ନାହିଁ । ଚିପ୍ ପ୍ରସ୍ତୁତକାରୀ କମ୍ପାନି ପୂର୍ବରୁ ଷ୍ଟକ୍ ଶେଷ ହେବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସଙ୍କଟ ଯଦି ୨-୩ ମାସ ଚାଲିବ, ତେବେ ଲାପ୍ଟପ୍, ଏଆଇ ଚିପ୍, କାର୍ ଓ ଏମ୍ଆର୍ଆଇ ସ୍କାନ୍ ଆଦି ମହଙ୍ଗା ଓ କମ୍ ଉପଲବ୍ଧ ହେବ । ମଧ୍ୟପ୍ରାଚ୍ୟରେ ଏହି ଛୋଟ ଆକ୍ରମଣ ବିଶ୍ୱର ଟେକ୍ ଓ ଚିକିତ୍ସା ଉଦ୍ୟୋଗକୁ ଦୋହଲାଇ ଦେଇଛି ।