ନୂଆଦିଲ୍ଲୀ, ୧୫।୪: ଖାଡ଼ି ଦେଶର ସମୁଦ୍ରରେ ଆମେରିକା ଏବେ ଇରାନକୁ ଏଭଳି ଭାବେ ଘେରିଛି, ଯାହାକୁ ଭେଦ କରିବା ତେହେରାନ ପାଇଁ ଅସମ୍ଭବ ହୋଇପଡ଼ିଛି । ଇରାନର ୮ଟି ତୈଳ ଟ୍ୟାଙ୍କର ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ’ର ଲହରୀକୁ ତ ପାର୍ କରିଯାଇଛନ୍ତି, କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଟଣାଯାଇଥିବା ଲକ୍ଷ୍ମଣ ରେଖା ଡେଇଁପାରି ନାହାନ୍ତି । ସମୁଦ୍ର ମଝିରେ ଆମେରିକୀୟ ନୌସେନା ଏହି ସମସ୍ତ ୮ଟି ଜାହାଜକୁ ଅଟକାଇ ରଖିଥିବା ଜଣାପଡ଼ିଛି । ଇରାନର ତୈଳ ରପ୍ତାନିକୁ ସମ୍ପୂର୍ଣ୍ଣ ଠପ୍ କରି ବୁଝାମଣା ପାଇଁ ବାଧ୍ୟ କରିବା ହେଉଛି ଆମେରିକାର ମୂଳ ଉଦ୍ଦେଶ୍ୟ ।  

ଓମାନ ଖାଡ଼ିରେ ବିଛାଯାଇଛି ଜାଲ:

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁସାରେ, ଇରାନ ବିରୋଧରେ ଆମେରିକାର ସାମୁଦ୍ରିକ ଘେରାବନ୍ଦୀ ଏବେ ଅତ୍ୟନ୍ତ କଠୋର ହୋଇଛି । ଜାହାଜଗୁଡ଼ିକ ଇରାନ ବନ୍ଦରରୁ ବାହାରି ହୋର୍ମୁଜ ପ୍ରଣାଳୀ ପାର୍ କରୁଛନ୍ତି, କିନ୍ତୁ ପ୍ରକୃତ ଘେରାବନ୍ଦୀ ଓମାନ ଖାଡ଼ିରେ କରାଯାଇଛି । ସାଟେଲାଇଟ୍ ଏବଂ ଡ୍ରୋନ୍ ଜରିଆରେ ପ୍ରତିଟି ଜାହାଜ ଉପରେ ନଜର ରଖାଯାଉଛି । ଯେମିତି ହିଁ ଏହି ଟ୍ୟାଙ୍କରଗୁଡ଼ିକ ଓମାନ ଖାଡ଼ି ଆଡ଼କୁ ବଢ଼ୁଛନ୍ତି, ଆମେରିକୀୟ ଯୁଦ୍ଧପୋତ ସେମାନଙ୍କୁ ଅଟକାଇ ପୁଣି ଫେରିଯିବାକୁ ବାଧ୍ୟ କରୁଛନ୍ତି । ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଏହି ରଣନୀତିର ନାଁ ହେଉଛି ‘ଧର ଏବଂ ଫେରାଇ ଦିଅ’ ।

ଏହା ବି ପଢ଼ନ୍ତୁ... ​​​​​​​US-Iran Peace Talk : ମଧ୍ୟପ୍ରାଚ୍ୟରେ ଥମିବ କି ରକ୍ତପାତ ? ଟ୍ରମ୍ପ କହିଲେ ୨ ଦିନ ମଧ୍ୟରେ ଇସଲାମାବାଦରେ ଶାନ୍ତି ଆଲୋଚନା

୩୬ ଘଣ୍ଟାରେ ଇରାନର ୯୦% ବ୍ୟାପାର ଠପ୍:

ଆମେରିକୀୟ ସେଣ୍ଟ୍ରାଲ କମାଣ୍ଡର ଆଡମିରାଲ ବ୍ରାଡ୍ କୁପର ଏହି ସଫଳତା ନେଇ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, "ମଧ୍ୟ-ପ୍ରାଚ୍ୟ ସମୁଦ୍ରରେ ଏବେ କେବଳ ଆମେରିକାର ରାଜ୍ ଚାଲିଛି । ଆମର ମାରିଟାଇମ୍ ସୁପରିଅରିଟି ବଜାୟ ରହିଛି । ଘେରାବନ୍ଦୀ ଲାଗୁ ହେବାର ମାତ୍ର ୩୬ ଘଣ୍ଟା ମଧ୍ୟରେ ଇରାନର ସାମୁଦ୍ରିକ ବାଣିଜ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।" ସୂଚନାଯୋଗ୍ୟ ଯେ, ଇରାନର ଅର୍ଥନୀତି ୯୦ ପ୍ରତିଶତ ସାମୁଦ୍ରିକ ବାଣିଜ୍ୟ ଉପରେ ନିର୍ଭର କରେ, ତେଣୁ ଏହି କାର୍ଯ୍ୟାନୁଷ୍ଠାନ ଇରାନକୁ ବଡ଼ ଆର୍ଥିକ ଝଟକା ଦେଇଛି ।

ପରମାଣୁ ବୋମା ନେଇ ଟ୍ରମ୍ପଙ୍କ କଡ଼ା ଚେତାବନୀ:

ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଇରାନ ପାଖରେ ପରମାଣୁ ବୋମା ରହିବାକୁ କଦାପି ଗ୍ରହଣ କରାଯାଇପାରିବ ନାହିଁ । ବର୍ତ୍ତମାନ ସ୍ଥିତିରେ ସେ କୌଣସି ପ୍ରକାରର ‘ଯୁଦ୍ଧବିରତି’ ବଢ଼ାଇବା ସପକ୍ଷରେ ନାହାନ୍ତି । ବର୍ତ୍ତମାନ ହୋର୍ମୁଜ ଏବଂ ଓମାନ ଖାଡ଼ିରେ ଆମେରିକାର ସମରସଜ୍ଜା ବୃଦ୍ଧି ପାଇଥିବା ବେଳେ ସାରା ବିଶ୍ୱର ନଜର ଏହି କୂଟନୈତିକ ଏବଂ ସାମରିକ ତିକ୍ତତା ଉପରେ ରହିଛି ।