ୱାଶିଂଟନ, ୧୫/୦୪ : ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବାକୁ ନେଇ ପାକିସ୍ତାନରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ। ଗୁରୁବାର ଇସ୍ଲାମାବାଦରେ ଏହି ବୈଠକ ବସିବାର ସମ୍ଭାବନା ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏନେଇ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଛନ୍ତି ପରବର୍ତ୍ତୀ ପର୍ଯ୍ୟାୟ ବୈଠକ ପାକିସ୍ତାନରେ ଦୁଇଦିନ ଭିତରେ ହେବ । ପାକିସ୍ତାନ ସେନାମୁଖ୍ୟ ଅସିମ ମୁନିର ଜଣେ ଆସାଧାରଣ ବ୍ୟକ୍ତି । ସେ ବେଶ୍ ଭଲ କାମ କରିଛନ୍ତି । ସେଥିପାଇଁ ଆମେରିକା ଓ ଇରାନ ଆଲୋଚନା ପାଇଁ ଇସ୍ଲାମାବାଦ ଯିବେ । ପ୍ରଥମ ପର୍ଯ୍ୟାୟ ଆଲୋଚନା ଯେଉଁଠାରେ ହୋଇଥିଲା ସେହିଠାରେ ହିଁ ପୁଣି କଥାବାର୍ତ୍ତା ହେବ । ଯୁଦ୍ଧରେ କୌଣସି ସମ୍ପର୍କ ନଥିବା ଅନ୍ୟ ଦେଶକୁ କାହିଁକି ଆଲୋଚନା ପାଇଁ ଯିବୁ ବୋଲି ଟ୍ରମ୍ପ କହିଛନ୍ତି ।
ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ଭବିଷ୍ୟତରେ ଇରାନ ସହ କଥାବାର୍ତ୍ତା ଲାଗି ଆମେରିକା ଆଉ ପାକିସ୍ତାନ ଫେରିବ ନାହିଁ । ଇସ୍ଲାମାବାଦରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ବୈଠକ ବିଫଳ ହେବା ପରେ ଟ୍ରମ୍ପ ଏକଥା କହିଥିଲେ । ଉଭୟ ଦେଶ ମଧ୍ୟରେ ଗତ ୧୧ ତାରିଖରେ ଇସ୍ଲାମାବାଦର ସେରେନା ହୋଟେଲରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିଲା । ଉଭୟ ଆମେରିକା ଓ ଇରାନ ନିଜ ନିଜ ଜିଦ୍ରେ ଅଟଳ ରହିବାରୁ ବିନା କୌଣସି ବୁଝାମଣାରେ ଆଲୋଚନା ଶେଷ ହୋଇଥିଲା । ବୈଠକ ପରେ ଉଭୟ ଦେଶ ପରସ୍ପର ଉପରେ ଦୋଷ ଦେଇଥିଲେ । ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ୧୪ ଦିନିଆ ଯୁଦ୍ଧବିରତିର ସମୟ ସୀମା ଆସନ୍ତା ୨୨ ତାରିଖରେ ଶେଷ ହେବ । ତା ପୂର୍ବରୁ ଆଉ ଏକ ପର୍ଯ୍ୟାୟ ଆଲୋଚନା କରାଯିବ । ଆଲୋଚନା କରିବା ଲାଗି ପାକିସ୍ତାନ ଉଭୟ ପକ୍ଷକୁ ପୁଣିଥରେ ପ୍ରସ୍ତାବ ଦେଇଥିଲା ।
ଏହି ଖବରଟିକୁ ପଢନ୍ତୁ- Hormuz Tension: ହୋର୍ମୁଜରେ ଟ୍ରମ୍ପଙ୍କ ‘ମାଷ୍ଟରପ୍ଲାନ୍’, ଥମିଗଲା ଇରାନର ଗତିପଥ, ବିନା ଯୁଦ୍ଧରେ ଜିତିଲା ଆମେରିକା !