ନୂଆଦିଲ୍ଲୀ, ୨।୭: ଆରବ ସାଗରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । ଆମେରିକୀୟ ନୌସେନାର ଏକ ପ୍ରତିରକ୍ଷା ହେଲିକପ୍ଟର 'MH-60S Sea Hawk' ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ପଡ଼ିଯାଇଛି । ଏହି ଭୟାବହ ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୪ ଜଣ କ୍ରୁ ମେମ୍ବରଙ୍କ ମଧ୍ୟରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ବୁଧବାର ଆମେରିକା ସେନା ପକ୍ଷରୁ ଏକ ସରକାରୀ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି । ଆମେରିକା ନୌସେନାର '୫ମ ଫ୍ଲିଟ୍' ପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଘଟଣା କୌଣସି ଶତ୍ରୁ ଦେଶର ଆକ୍ରମଣ ଯୋଗୁଁ ହୋଇନାହିଁ । ପ୍ରାଥମିକ ଦୃଷ୍ଟିରୁ ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି ଅନୁମାନ କରାଯାଉଛି । ରିପୋର୍ଟ ଅନୁଯାୟୀ, ଜୁଲାଇ ୧ ତାରିଖ ସ୍ଥାନୀୟ ସମୟ ଭୋର ପ୍ରାୟ ୩:୩୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ହେଲିକପ୍ଟରଟି ଆମେରିକାର ବିଶାଳ ଯୁଦ୍ଧପୋତ 'ୟୁଏସଏସ ଜର୍ଜ ଏଚ୍. ଡବ୍ଲ୍ୟୁ. ବୁଶ୍' ଏୟାରକ୍ରାଫ୍ଟ କ୍ୟାରିୟରରେ ନିୟୋଜିତ ଥିଲା ଏବଂ ସେହିଠାରୁ ହିଁ ଏହା ଉଡ଼ାଣ ଭରିଥିଲା ।
ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଆମେରିକା ନୌସେନା ପକ୍ଷରୁ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅପରେସନ ଆରମ୍ଭ କରାଯାଇଥିଲା । ସମୁଦ୍ର ଭିତରୁ ୩ ଜଣ ଆହତ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ଚିକିତ୍ସା ପାଇଁ ପଠାଯାଇଛି । ତେବେ ନିଖୋଜ ଥିବା ଚତୁର୍ଥ ସଦସ୍ୟଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ । ଆମେରିକା ନୌସେନାର ସ୍ପେଶାଲ ଟିମ୍ ସମୁଦ୍ର ମଧ୍ୟରେ ତାଙ୍କୁ ଖୋଜିବା ପାଇଁ ଅପରେସନ ଜାରି ରଖିଛନ୍ତି । ଏହାସହ ଏହି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ଏହା ବି ପଢ଼ନ୍ତୁ... Earthquake hits Afghanistans: ଭୂକମ୍ପରେ ଥରିଲା ଆଫଗାନିସ୍ତାନ; ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୩ ରେକର୍ଡ, ଜମ୍ମୁ-କାଶ୍ମୀରରେ ବି ଝଟକା ଅନୁଭୂତ
କେତେ ଶକ୍ତିଶାଳୀ ‘ସି ହକ୍’ ହେଲିକପ୍ଟର ?
ଆମେରିକା ସେନାର ସବୁଠାରୁ ବିଶ୍ୱାସଯୋଗ୍ୟ ହେଲିକପ୍ଟର ମଧ୍ୟରେ ‘ସି ହକ୍’ ଅନ୍ୟତମ । ଏହାର କିଛି ପ୍ରମୁଖ ବୈଶିଷ୍ଟ୍ୟ ରହିଛି । ସି ହକ୍ ହେଉଛି ଦୁଇଟି ଶକ୍ତିଶାଳୀ ଇଞ୍ଜିନ ବିଶିଷ୍ଟ ଏକ ଆଧୁନିକ ହେଲିକପ୍ଟର । ଏହାର ବ୍ୟବହାର ମୁଖ୍ୟତଃ ସ୍ୱତନ୍ତ୍ର ସାମରିକ ଅଭିଯାନ, ଉଦ୍ଧାର କାର୍ଯ୍ୟ, ଆଣ୍ଟି-ସବମେରିନ ୱାରଫେୟାର ଏବଂ ଭାରୀ କାର୍ଗୋ ଲିଫ୍ଟିଂ ପାଇଁ କରାଯାଇଥାଏ । ଆମେରିକା ସେନା ପ୍ରଥମେ ୧୯୭୯ ମସିହାରେ 'ୟୁଏଚ-୬୦ ବ୍ଲାକ୍ ହକ୍'କୁ ନିଜ ବେଡ଼ାରେ ସାମିଲ କରିଥିଲା । ଏହାପରେ ନୌସେନାକୁ ୧୯୮୩ରେ 'MH-60S Sea Hawk' ଏବଂ ୧୯୮୮ରେ 'MH-60F' ମିଳିଥିଲା । ଏହି କ୍ରମରେ ' MH-60S' ର ପ୍ରଥମ ଅପରେସନାଲ ସ୍କ୍ୱାଡ୍ରନ 'ହେଲିକପ୍ଟର କମବ୍ୟାଟ ସପୋର୍ଟ ସ୍କ୍ୱାଡ୍ରନ ଫାଇଭ୍' ଥିଲା, ଯାହାର ମୁଖ୍ୟ ବେସ୍ ଗୁଆମ୍ ଦ୍ୱୀପରେ ରହିଥିଲା । ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଆରବ ସାଗରରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଉପରେ ରହିଛି, ଯେଉଁଠି ନିଖୋଜ ସୈନିକଙ୍କୁ ଠାବ କରିବା ପାଇଁ ଆମେରିକୀୟ ନୌସେନା ଜୋରଦାର ପ୍ରୟାସ ଚଳାଇଛି ।