ନୂଆଦିଲ୍ଲୀ, ୨।୭: ଆଫଗାନିସ୍ତାନରେ ପୁଣି ଏକ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବୁଧବାର ଉତ୍ତର-ପୂର୍ବ ଆଫଗାନିସ୍ତାନର ଜୁର୍ମ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିବା ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ (USGS) ପକ୍ଷରୁ ସୂଚନା ଦିଆଯାଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ତେବେ ଏହି ଭୂଇଁକମ୍ପ ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନି କିମ୍ବା କ୍ଷୟକ୍ଷତିର ସୂଚନା ମିଳିନାହିଁ । ରିପୋର୍ଟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ ୨୧୬.୭ କିଲୋମିଟର ଗଭୀରତାରେ ଥିଲା । ଭୂକମ୍ପର କେନ୍ଦ୍ରବିନ୍ଦୁ ବହୁ ଗଭୀରରେ ଥିବା ହେତୁ ଭୂପୃଷ୍ଠରେ ଏହାର ତୀବ୍ରତା ଓ ପ୍ରଭାବ କମ୍ ରହିଥିବା ଅନୁମାନ କରାଯାଉଛି ।

ଜୁର୍ମ ଅଞ୍ଚଳଟି ଆଫଗାନିସ୍ତାନର ପାର୍ବତ୍ୟ ବଦାଖଶାନ ପ୍ରଦେଶରେ ଅବସ୍ଥିତ । ଏହି ଅଞ୍ଚଳରେ ପ୍ରାୟତଃ ଭୂକମ୍ପ ଝଟକା ଅନୁଭୂତ ହୋଇଥାଏ । ଭୂବିଜ୍ଞାନୀଙ୍କ ଅନୁସାରେ, ଏହି ଅଞ୍ଚଳଟି ଇଣ୍ଡିଆନ ଏବଂ ଇଉରେସିଆନ ଟେକ୍ଟୋନିକ ପ୍ଲେଟ୍ର ମିଳନ ସ୍ଥଳ ନିକଟରେ ଥିବାରୁ ଏଠାରେ ବାରମ୍ବାର ଭୂକମ୍ପ ସୃଷ୍ଟି ହୋଇଥାଏ । ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳାରେ ସୃଷ୍ଟି ହେଉଥିବା ଏହି ଗଭୀର ଭୂକମ୍ପର ଝଟକା ଆଫଗାନିସ୍ତାନ ସମେତ ପାକିସ୍ତାନ ଏବଂ ମଧ୍ୟ ଏସିଆର କେତେକ ଅଂଶରେ ମଧ୍ୟ ଅନୁଭୂତ ହୋଇଥାଏ । ବିଶ୍ୱର ସବୁଠାରୁ ଭୂକମ୍ପ ପ୍ରବଣ ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ ମଧ୍ୟ ସାମିଲ । ଏଠାକାର ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ଦୁର୍ବଳ ଭିତ୍ତିଭୂମି ଏବଂ ଦୁର୍ଗମ ଗ୍ରାମଗୁଡ଼ିକ ଯୋଗୁଁ ବଡ଼ ଧରଣର ଭୂକମ୍ପ ପରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ପହଞ୍ଚାଇବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ ।

ଏହା ବି ପଢ଼ନ୍ତୁ... World's Largest Superconducting Magnet: କୃତ୍ରିମ ସୂର୍ଯ୍ୟକୁ ବଳ, ନିର୍ମାଣ ହେଲା ସର୍ବବୃହତ ଚୁମ୍ବକ

ବିଗତ ବର୍ଷଗୁଡ଼ିକର କରାଳ ରୂପ:

ସେପ୍ଟେମ୍ବର ୨୦୨୫: ଗତବର୍ଷ ପୂର୍ବ ଆଫଗାନିସ୍ତାନରେ ୬.୦ ତୀବ୍ରତାର ଏକ ବିନାଶକାରୀ ଭୂକମ୍ପ ଆସିଥିଲା, ଯେଉଁଥିରେ ପ୍ରାୟ ୨,୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୨,୮୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।

ଅକ୍ଟୋବର ୨୦୨୩: ପଶ୍ଚିମ ଆଫଗାନିସ୍ତାନର ହେରାତ୍ ସହର ନିକଟରେ କ୍ରମାଗତ ଶକ୍ତିଶାଳୀ ଭୂକମ୍ପ ଘଟିଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ ।