ଅମୃତସର,୧୬/୦୨: ଦ୍ୱିତୀୟ ପର୍ଯ୍ୟାୟରେ ଆମେରିକାରୁ ଆଉ ୧୧୯ ଜଣ ଅବୈଧ ପ୍ରବାସୀ  ଭାରତୀୟ ସ୍ୱଦେଶ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୪  ଜଣ ମହିଳା ଓ ୨ ଜଣ ନାବାଳକ ଅଛନ୍ତି । ଆମେରିକାର  ସାମରିକ ପରିବହନ ବିମାନ ଯୋଗେ ଶନିବାର ରାତିରେ  ସେମାନେ ଅମୃତସର ବିମାନବନ୍ଦରରେ ଆସି  ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ୬୭ ଜଣ ପଞ୍ଜାବର  ହୋଇଥିଲା ବେଳେ ହରିୟାଣାର ୩୩, ଗୁଜରାଟର  ୮, ଉତ୍ତରପ୍ରଦେଶର ୩, ମହାରାଷ୍ଟ୍ରର ୨, ରାଜସ୍ଥାନର  ୨, ଗୋଆର ୨ ଏବଂ ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରର ଜଣେ ଲେଖାଏ ଅଛନ୍ତି । 

ରବିବାର ତୃତୀୟ ପର୍ଯ୍ୟାୟରେ ଆହୁରି ୧୫୭ ଜଣ ଅବୈଧ ପ୍ରବାସୀ ଭାରତୀୟଙ୍କୁ ଧରି ଆମେରିକାର  ଏକ ବିମାନ ଆସିବ ବୋଲି ସୂଚନା ମିଳିଛି । ଗତ ୫  ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଜଣ ଭାରତୀୟଙ୍କୁ  ଧରି ଆମେରିକାର ଏକ ବିମାନ ଅମୃତସରରେ  ପହଞ୍ଚିଥିଲା । ଗତ ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ  ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ  କରିବା ପରେ ଅବୈଧ ପ୍ରବାସୀଙ୍କ ଉପରେ କଠୋର  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।  ଏହି କ୍ରମରେ ଦେଶର ବିଭିନ୍ନ ରାଜ୍ୟରେ ଚଢ଼ାଉ  କରାଯାଇ ଅବୈଧ ପ୍ରବାସୀଙ୍କୁ ଧରାଯିବା ସହ ନିଜ  ନିଜ ଦେଶକୁ ପଠାଇ ଦିଆଯାଉଛି ।