ନୂଆଦିଲ୍ଲୀ: ପୁଣି ପୁରୁଣା ଦାବିକୁ ଦୋହରାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହି ସମାନ୍ କଥା...ମୁଁ ଅଟକାଇଛି ଭାରତ-ପାକିସ୍ତାନ ଯୁଦ୍ଧ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ମୁଁ। ମୋ ପାଇଁ ବଞ୍ଚିଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ। ସେ ଫ୍ଲୋରିଡାରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଏହି ବିବୃତ୍ତି ଦେଇଛନ୍ତି।

ଫ୍ଲୋରିଡାରେ ସେ କ’ଣ କହିଛନ୍ତି ?...

ଶୁକ୍ରବାର ଫ୍ଲୋରିଡାରେ ଭାଷଣ ଦେଇ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଅନେକ ଶାନ୍ତି ଚୁକ୍ତିନାମା କରିଛି। ସେ ଦାବି କରିଛନ୍ତି ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ରୋକିବା ପାଇଁ ଶ୍ରେୟ ଦେଇଛନ୍ତି ।

'୧ କୋଟି ଲୋକଙ୍କ ଜୀବନ ବଞ୍ଚାଇଛି'...

ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ତାଙ୍କୁ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧକୁ ରୋକି ଅତି କମରେ ୧ କୋଟି ଲୋକଙ୍କ ଜୀବନ ବଞ୍ଚାଇଛନ୍ତି। ଟ୍ରମ୍ପ ଏହାକୁ ତାଙ୍କ ପାଇଁ ସମ୍ମାନ ବୋଲି କହିଛନ୍ତି।

ଆଠଟି ଶାନ୍ତି ଚୁକ୍ତିନାମା କରିଛି...

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେରିକା ଗୋଟିଏ ବର୍ଷରୁ କମ୍ ସମୟ ମଧ୍ୟରେ ଆଠଟି ଶାନ୍ତି ଚୁକ୍ତିନାମା କରିଛି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ଗାଜାରେ ଯୁଦ୍ଧ ଶେଷ ହୋଇଛି ଏବଂ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ହୋଇଛି, ଯାହାକୁ ପୂର୍ବରୁ ଅସମ୍ଭବ ବୋଲି ବିବେଚନା କରାଯାଉଥିଲା।

ଭାରତ-ପାକିସ୍ତାନ ଉତ୍ତେଜନାକୁ କମ କରିବାରେ ସାହାଯ୍ୟ କରିଛି...

ଟ୍ରମ୍ପ କହିଛନ୍ତି ଯେ, ଆମେରିକା ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିଛି। ତାଙ୍କ ମତରେ, ଦୁଇ ଦେଶ ମଧ୍ୟରେ ଶତ୍ରୁତା ରୋକିବା ଏକ ବଡ଼ ସଫଳତା ଥିଲା। ଟ୍ରମ୍ପ୍ ଏହି ଦାବି ଅନେକ ଥର କରିଛନ୍ତି। ଗତ ବର୍ଷ ମେ ୧୦ ତାରିଖରୁ, ସେ ପ୍ରାୟ ୮୦ ଥର କହିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷକୁ ରୋକିଛନ୍ତି ।

ପ୍ରଥମେ କହିଥିଲେ ମାର୍ଚ୍ଚ ମାସରେ...

ଟ୍ରମ୍ପ୍ ପ୍ରଥମେ ମାର୍ଚ୍ଚ ୧୦ ତାରିଖରେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ଆମେରିକା ଦ୍ୱାରା ମଧ୍ୟସ୍ଥତା ପରେ ଭାରତ ଏବଂ ପାକିସ୍ତାନ ସଂଘର୍ଷ ବନ୍ଦ କରିବାକୁ ରାଜି ହୋଇଛନ୍ତି। କିନ୍ତୁ ଭାରତ ସରକାର ନିରନ୍ତର ଭାବରେ କହି ରଖିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ଯୁଦ୍ଧ ଥମିବାରେ କୌଣସି ତୃତୀୟ ଦେଶର ହାତ ନାହିଁ । ଭାରତ ପୂର୍ବରୁ ଟ୍ରମ୍ପଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିସାରିଛି । 

ଏହା ସହ ପଢନ୍ତୁ : ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ନାରା, ମୁସଲିମ୍ ଧର୍ମଗୁରୁ କହିଲେ, ‘ହିନ୍ଦୁଙ୍କୁ ଭୋଟ୍ ଦେବା ହରାମ୍’...