ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ମାନଙ୍କୁ ଆକ୍ରମଣ ଘଟଣା ତ ଏକ ସାଧାରଣ କଥା ହୋଇଗଲାଣି । କାହିଁକି ନାଁ ଏଠାରେ ପ୍ରତ୍ୟକ ଦିନ କେଉଁଠି ହିନ୍ଦୁଙ୍କୁ ହତ୍ୟା କରାଗଲାଣି ତ ଆଉ କେଉଁଠି ହିନ୍ଦୁ ମହିଳାଙ୍କୁ ଦୁଷ୍କର୍ମ କରାଗଲାଣି । ଆଉ ଏହି ସମୟରେ ଏଠାରେ ସାଧାରଣ ନିର୍ବାଚନ ପୂର୍ବରୁ କିଛି ଆପତ୍ତିଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଏହି ଭିଡିଓ ଗୁଡ଼ିକରେ କିଛି ଧର୍ମଗୁରୁ ଏବଂ ଧାର୍ମିକ ବକ୍ତା ମାନେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଘୃଣାପୂର୍ଣ୍ଣ ବୟାନ ଦେଉଥିବା ଏବଂ ହିନ୍ଦୁ କିମ୍ବା ଅଣ-ମୁସଲିମ ପ୍ରାର୍ଥୀଙ୍କୁ ଭୋଟ ନ ଦେବାକୁ ଅନୁରୋଧ କରୁଥିବା ଦେଖାଯାଇଛି। ଏହି ବୟାନ ଗୁଡ଼ିକ ବାଂଲାଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ବିଷୟରେ ଚିନ୍ତା ସୃଷ୍ଟି କରିଛି।

'ହିନ୍ଦୁଙ୍କୁ ଭୋଟ ଦେବା ହରାମ'...

ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଧର୍ମଗୁରୁ ଏକ ଧାର୍ମିକ କାର୍ଯ୍ୟକ୍ରମ ସମୟରେ କହୁଛନ୍ତି ଯେ, କୌଣସି ହିନ୍ଦୁ କିମ୍ବା "କାଫିର" ପ୍ରାର୍ଥୀଙ୍କୁ ଭୋଟ ଦେବା ଇସଲାମରେ ହରାମ। ଏହି ବୟାନ ନିର୍ବାଚନ ପୂର୍ବରୁ ପରିବେଶକୁ ଖରାପ କରିବ ବୋଲି କୁହାଯାଉଛି।

ମନ୍ଦିର ଏବଂ ଇସ୍କନକୁ ଧମକ...

ଅନ୍ୟ ଏକ ଭିଡିଓରେ, କିଛି ବକ୍ତା ଖୋଲାଖୋଲି ଭାବରେ ହିନ୍ଦୁ ମନ୍ଦିର ଏବଂ ଧାର୍ମିକ ପ୍ରତିଷ୍ଠାନକୁ ଧମକ ଦେଉଥିବା ଦେଖାଯାଇଛି। ଭିଡିଓ ଅନୁଯାୟୀ, ସେମାନେ ମନ୍ଦିର ଏବଂ ମୂର୍ତ୍ତି ନଷ୍ଟ କରିବା ବିଷୟରେ କଥା ହେଉଛନ୍ତି। ବାଂଲାଦେଶରେ ରହିଥିବା ସଂଗଠନ ଇସ୍କନ, ନାମ ମଧ୍ୟ ଉଲ୍ଲେଖ କରାଯାଇଛି।

ଚଳିତ ସପ୍ତାହରେ ବୃଦ୍ଧି ପାଇଥିବା ହିଂସା...

ଏହି ଭିଡିଓ ଗୁଡ଼ିକ ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ସାମ୍ପ୍ରତିକ ଦିନରେ ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ମାନଙ୍କ ଉପରେ ଅନେକ ଆକ୍ରମଣ ହୋଇଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି, ଯାହା ଭୟର ବାତାବରଣ ସୃଷ୍ଟି କରିଛି।

ଭାରତ ଚିନ୍ତା ପ୍ରକାଶ କରିଛି...

ଏହି ଘଟଣା ଗୁଡ଼ିକ ଉପରେ ଭାରତ ସରକାର ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ବାଂଲାଦେଶରେ ସଂଖ୍ୟାଲଘୁ ଏବଂ ସେମାନଙ୍କ ସମ୍ପତ୍ତି ଉପରେ ବାରମ୍ବାର ଆକ୍ରମଣ ହେଉଛି ଏକ ଗମ୍ଭୀର ଚିନ୍ତାର ବିଷୟ। ରଣଧୀର ଜୟସୱାଲ କହିଛନ୍ତି ଯେ ଏପରି ମାମଲାରେ ଶୀଘ୍ର ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣ ଗୁଡ଼ିକୁ ବ୍ୟକ୍ତିଗତ ବିବାଦ କିମ୍ବା ରାଜନୈତିକ ବିବାଦ ଭାବରେ ଖାରଜ କରିବା ଭୁଲ।

ଏହା ସହ ପଢନ୍ତୁ : ସରକାରୀ ଚାକିରି ବିଜ୍ଞପ୍ତି: ଆବେଦନ ପାଇଁ ଖୋଲୁନି ସାଇଟ୍, ଆଶାୟୀ ପ୍ରାର୍ଥୀ ହତାଶ, ନିଯୁକ୍ତି ସଂସ୍ଥା ନିଘୋଡ଼ ନିଦରେ