ନୂଆଦିଲ୍ଲୀ, ୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ନୂଆ ମୋଡ଼ ନେଇଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂ ଚୁକ୍ତିନାମା ହେବା ନେଇ ଯେଉଁ ଆଶା ସୃଷ୍ଟି ହୋଇଥିଲା, ତାହା ଏବେ ଧୂଳିସାତ ହେବାକୁ ବସିଛି । ଆମେରିକୀୟ ସେନା ପକ୍ଷରୁ ସମୁଦ୍ରକୂଳବର୍ତ୍ତୀ ଇରାନୀ ଅଞ୍ଚଳ ଉପରେ ପୁଣି ଏକ ବଡ଼ଧରଣର ଆକ୍ରମଣ କରାଯାଇଥିବା ଦାବି ହୋଇଛି, ଯାହା ପରେ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି । ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦିଆଯାଇଛି । ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି ଯେ, ହୋର୍ମୁଜ୍ ପ୍ରଣାଳୀ ଆଡ଼କୁ ମାଡ଼ି ଆସୁଥିବା ଇରାନର ୪ଟି ‘ୱାନ୍-ୱେ ଆଟାକ୍ ଡ୍ରୋନ୍’କୁ ଆମେରିକୀୟ ସେନା ସଫଳତାର ସହ ମାରି ଖସାଇଛି । ଏହି ଡ୍ରୋନ୍ ଗୁଡ଼ିକ ଯୋଗୁଁ ସେହି ସାମୁଦ୍ରିକ ପଥରେ ଯାତାୟାତ କରୁଥିବା ଜାହାଜ ଗୁଡ଼ିକ ପ୍ରତି ସ୍ପଷ୍ଟ ବିପଦ ରହିଥିଲା । ଭବିଷ୍ୟତରେ ଏଭଳି ଆକ୍ରମଣକୁ ରୋକିବା ପାଇଁ ଆମେରିକୀୟ ସେନା ନିଜର ସୁରକ୍ଷା ଦୃଷ୍ଟିରୁ ‘ଗୋରୁକ୍’ ଏବଂ ‘କେଶମ ଦ୍ୱୀପ’ରେ ଥିବା ଇରାନର ଉପକୂଳବର୍ତ୍ତୀ ସର୍ଭେଲାନ୍ସ ରଡାର୍ ସାଇଟଗୁଡ଼ିକୁ ମିସାଇଲ୍ ମାଡ଼ କରି ଧ୍ୱଂସ କରିଦେଇଛି । ଆମେରିକା ନିଜର ଆତ୍ମରକ୍ଷା ପାଇଁ ଏବଂ ଯେକୌଣସି ଇରାନୀ ଆକ୍ରମଣର ମୁହଁତୋଡ଼ ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି CENTCOM ପ୍ରକାଶ କରିଛି । 

ଇରାନ ପାଖରେ ଏବେ ବି ଅଛି ଯୁଦ୍ଧ କରିବା ସାମର୍ଥ୍ୟ: ଟ୍ରମ୍ପ

ଏହି ଯୁଦ୍ଧକୁ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କ୍ରମାଗତ ଭାବେ ଆନ୍ତର୍ଜାତୀୟ ଚାପ ବଢ଼ିବାରେ ଲାଗିଛି । ଏହି ସମୟରେ ‘ଏନବିସି ନ୍ୟୁଜ୍’କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ, ଆମେରିକାର ସ୍ୱତନ୍ତ୍ର ଆକ୍ରମଣ ସତ୍ତ୍ୱେ ଇରାନ ପାଖରେ ଏବେ ମଧ୍ୟ ଯୁଦ୍ଧ ଲଢ଼ିବାର କ୍ଷମତା ରହିଛି । ଟ୍ରମ୍ପ କହିଛନ୍ତି, "ଇରାନର ଅଧିକାଂଶ ଡ୍ରୋନ୍ ଫ୍ୟାକ୍ଟ୍ରି, ଲଞ୍ଚିଂ ପ୍ୟାଡ୍ ଏବଂ ମିସାଇଲ୍ ତିଆରି କରୁଥିବା କେନ୍ଦ୍ରଗୁଡ଼ିକୁ ଆମେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛୁ । କିନ୍ତୁ ଏହା ସତ୍ତ୍ୱେ ସେମାନଙ୍କ ପାଖରେ କିଛି ପରିମାଣରେ ମିସାଇଲ୍ ଏବଂ ଡ୍ରୋନ୍ ମହଜୁଦ ଅଛି । ଯଦି ଆମେ ପ୍ରତିଶତ ହିସାବ ଦେଖିବା, ତେବେ ସେମାନଙ୍କର ପ୍ରାୟ ୨୧% ରୁ ୨୨% ମିସାଇଲ୍ କ୍ଷମତା ଏବେ ବି ସୁରକ୍ଷିତ ରହିଛି । ଏହା ଏକ ବଡ଼ ସଂଖ୍ୟା, କିନ୍ତୁ ଆମେ ପ୍ରଥମେ ଆକ୍ରମଣ କରିବା ସମୟରେ ସେମାନଙ୍କର ଯେଉଁ ଶକ୍ତି ଥିଲା, ଏହା ତାହାଠାରୁ ବହୁତ କମ୍ ।"

​​​​​​​

ସମାଚାର ସଂସ୍ଥା ‘ରଏଟର୍ସ’ ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ସୀମିତ ଅସ୍ତ୍ରବିରତି ଲାଗୁ ହେବା ପରେ ଏହାକୁ ସବୁଠାରୁ ବଡ଼ ସାମରିକ ଆକ୍ରମଣ ବୋଲି କୁହାଯାଉଛି । ଏହି ଆକ୍ରମଣ ଯୋଗୁଁ ପୂର୍ବରୁ ଦୋହଲି ଯାଇଥିବା ଶାନ୍ତି ପ୍ରକ୍ରିୟା ବା ଅସ୍ତ୍ରବିରତି ଏବେ ସମ୍ପୂର୍ଣ୍ଣ ଭାଙ୍ଗିଯିବା ଆଶଙ୍କା ଦେଖାଦେଇଛି । ଅନ୍ୟପଟେ ଇରାନର ସରକାରୀ ଗଣମାଧ୍ୟମ ‘IRIB’ ମଧ୍ୟ ନିଜ ଅଞ୍ଚଳରେ ଆକ୍ରମଣ ହୋଇଥିବା ନେଇ ଆଶଙ୍କା ବ୍ୟକ୍ତ କରିଛି । ରିପୋର୍ଟ ମୁତାବକ, ଦକ୍ଷିଣ ଇରାନର ‘ସିରିକ୍’ ଅଞ୍ଚଳରେ ଭୋର ପ୍ରାୟ ୨:୩୦ ମିନିଟ୍‌ରେ କେତେକ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । ତେବେ ଏହି ବିସ୍ଫୋରଣ ପଛର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେତେ କ୍ଷୟକ୍ଷତି ହୋଇଛି, ସେ ନେଇ ଇରାନ ସରକାରଙ୍କ ପକ୍ଷରୁ କୌଣସି ଆଧିକାରୀକ ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଆମେରିକାର ଏହି ମିସାଇଲ୍ ଆକ୍ରମଣ ପରେ ପଶ୍ଚିମ ଏସିଆରେ ପୁଣି ଥରେ ଯୁଦ୍ଧର କଳାବାଦଲ ଘେରିଯାଇଛି, ଯାହା ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇ ଦେଇଛି ।

ଆହୁରି ପଢ଼ନ୍ତୁ... Sahara Desert Tragedy: ସାହାରା ମରୁଭୂମିରେ ଟ୍ରକ୍ ଅଚଳ, ଶୋଷରେ ଚାଲିଗଲା ୫୦ ଜୀବନ