ବନ୍ଧୁକ ରଖିବା ପାଇଁ ନାଗରିକଙ୍କୁ ଅଧିକାର ! ସାର୍ବଜନୀନ ଭାବରେ ବନ୍ଧୁକ ରଖିପାରିବେ ଏହି ଦେଶର ନାଗରିକ; ସମ୍ନତି ଦେଲେ ଅଦାଲତ

Image Courtesy : Al Jazeere
ଓ୍ବାଶିଂଟନ୍,୨୪/୦୬: ବନ୍ଧୁକ ରଖିବା ପାଇଁ ନାଗରିକଙ୍କୁ ମିଳିଛି ଅଧିକାର। ଏବେ ସାର୍ବଜନୀନ ଭାବରେ ନିଜର ସୁରକ୍ଷା ପାଇଁ ବନ୍ଧୁକ ରଖିପାରିବେ ଲୋକମାନେ। ଆମେରିକାର ସୁପ୍ରିମକୋର୍ଟ ଗୁରୁବାର ଏମିତି କିଛି ନିଷ୍ପତ୍ତି ନେଇଛନ୍ତି। ଆଉ ଏହି ନିଷ୍ପତ୍ତି ଏମିତି ଏକ ସମୟରେ ନିଆଯାଇଛି, ଯେତେବେଳେ ଆମେରିକାରେ ଫାୟାରିଂ ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛିଦିନ ତଳେ ଆମେରିକାର ବଜାର ଓ ସ୍କୁଲରେ ଦୁବୃତ୍ତ ମାନେ ଫାୟାରିଂ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।
୬-୩ରେ ଅଦାଲତ ଏହି ନିଷ୍ପତ୍ତି ନେଇଥିଲେ। ସୂଚନା ଥାଉକି , କିଛି ଦିନ ତଳେ ଆତ୍ମରକ୍ଷା କରିବାକୁ ନେଇ ଘରେ ବନ୍ଧୁକ ରଖିବା ପାଇଁ ଅଦାଲତରେ ଆବେଦନ କରିଥିଲେ ଜଣେ ଆମେରିକୀୟ ନାଗରିକ। ତେବେ ଦିର୍ଘଦିନ ପରେ ଏହି ନିଷ୍ପତ୍ତିକୁ ନେଇ ରାଷ୍ଟ୍ରପତି ଜୋ ବାଇଡେନ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏହା ଉଭୟ ସାଧାରଣ ଜ୍ଞାନ ଏବଂ ସମ୍ବିଧାନର ବିରୋଧୀ। ଏହା ଆମ ସମସ୍ତଙ୍କୁ ବହୁତ କଷ୍ଟ ଦେଇଛି। ଜୋ ବାଇଡେନ କହିଛନ୍ତି ଯେ ଆମେରିକୀୟମାନଙ୍କୁ ସୁରକ୍ଷା ଦେବା ପାଇଁ ଆମ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସମସ୍ତେ ଚକିତ ଥିବା କହିଛନ୍ତି ବାଇଡେନ୍।
ତେବେ ବାଇଡେନ ମଧ୍ୟ ଆମେରିକାରେ ଘଟିଥିବା ଦୁଇ ପ୍ରମୁଖ ଘଟଣାକୁ ନେଇ ଯୁକ୍ତି କରିଛନ୍ତି। ମେ ମାସରେ ଆମେରିକାରେ ଘଟିଥିବା ଦୁଇ ଦୁଇଟି ଗୁଳିବିନମୟ ହିଁ ଆମେରିକାରେ ଆତଙ୍କରାଜର ଚିତ୍ରକୁ ସାମ୍ନାକୁ ଆଣିଥିଲା। ତେବେ ସ୍କୁଲ ଓ ବଜାରରେ ହୋଇଥିବା ଗୁଳିବିନିମୟରେ ଅନେକ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ତଦନ୍ତ କରିଥିଲା ପୁଲିସ୍। ଏବେ ଆତ୍ମସୁରକ୍ଷାକୁ ନଜରରେ ରଖି ଆମେରିକା ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ।
ସାଧାରଣ ନାଗରିକମାନେ ବନ୍ଧୁକ ରଖିଲେ ଆତଙ୍କ ବଢ଼ିବ, ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ବାଇଡେନ। ଅବଶ୍ୟ ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ବା ଦଣ୍ଡ ରହିଛି, ତଥାପି ଏହା ଦ୍ବାରା ଅସାମାଜିକ କାର୍ଯ୍ୟ ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କୁହାଯାଉଛି। ତେବେ ଏହାର ପୂନର୍ବିଚାର ପାଇଁ ଆବେଦନ କରାଯାଇଥିବା ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ସଂସ୍ଥାରୁ ଜଣାପଡ଼ିଛି।