ନୂଆଦିଲ୍ଲୀ, ୧୨|୪: ଆମେରିକା ଓ ଇରାନ ମଧ୍ୟରେ ୪୦ ଦିନ ଧରି ଭୀଷଣ ଯୁଦ୍ଧ ପରେ ଏବେ ଯୁଦ୍ଧବିରତି ଚାଲିଛି । ଏହାକୁ ସଫଳ ରୂପରେଖ ଦେବା ଲାଗି ପାକିସ୍ତାନରେ ଦୁଇଦେଶ ମଧ୍ୟରେ ଆଲୋଚନା ହୋଇଛି । ମାତ୍ର ଏଥିରେ କିଛି ନିଷ୍କର୍ସ ବାହାରି ନାହିଁ । ଆମେରିକା ସାର୍ତକୁ ସିଧା ସିଧା ମାନିବାକୁ ମନା କରି ଦେଇଛି ଇରାନ । ଏଭଳି ସ୍ଥିତିରେ ଟ୍ରମ୍ପ୍ ପ୍ରଶାସନ ଆକ୍ସନକୁ ଆସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆମେରିକାରେ ରହୁଥିବା ଇରାନୀ ବଂଶୋଦ୍ଭବଙ୍କୁ ଖୋଜି ଗିରଫ କରାଯାଇଛି । ଇରାନର ବରିଷ୍ଠ ଅଧିକାରୀ ଏବଂ ପୂର୍ବତନ ବଡ଼ ଅଧିକାରୀଙ୍କ ସମ୍ପର୍କୀୟଙ୍କ ଗ୍ରୀନ୍ କାର୍ଡ ବା ଆମେରିକାରେ ରହିବାର ସ୍ଥାୟୀ ଅନୁମତିକୁ ରଦ୍ଦ କରାଯାଉଛି । ସେମାନଙ୍କୁ ଗିରଫ କରାଯାଉଛି ।
ଗ୍ରୀନ୍ କାର୍ଡ ଆମେରିକୀୟ ସରକାରଙ୍କ ତରଫରୁ ଦିଆଯାଉଥିବା ଏକ ସ୍ୱତନ୍ତ୍ର ଦସ୍ତାବିଜ । ଆମେରିକାରେ ସ୍ଥାୟୀ ଭାବେ ରହିବା ପାଇଁ ବିଦେଶୀ ନାଗରିକଙ୍କୁ ଏହା ମିଳିଥାଏ । ଯେଉଁମାନଙ୍କ ପାଖରେ ଏହା ରହିଥାଏ, ସେମାନଙ୍କୁ ‘ଆଇନଗତ ସ୍ଥାୟୀ ବାସିନ୍ଦା’ ବିବେଚନା କରାଯାଏ । ସୂଚନା ମୁତାବକ, ଆମେରିକାର ବିଦେଶ ବିଭାଗ ୩ ଜଣଙ୍କର ଗ୍ରୀନ୍ କାର୍ଡ ରଦ୍ଦ କରିଦେଇଛି । ଏମାନେ ସମସ୍ତେ ଇରାନରେ ଜନ୍ମଗ୍ରହଣ କରିଥିଲେ ଏବଂ ଦୀର୍ଘଦିନ ଧରି ଆମେରିକାରେ ସ୍ଥାୟୀ ଭାବେ ରହିଆସୁଥିଲେ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୟଦ ଈସା ହାଶମୀ । ସେ ଲସ୍ ଏଞ୍ଜିଲସ ନିକଟସ୍ଥ ଏକ ବିଦ୍ୟାଳୟରେ ମନୋବିଜ୍ଞାନ ବା ସାଇକୋଲୋଜି ଶିକ୍ଷକ ଅଛନ୍ତି । ତାଙ୍କ ସହ ପତ୍ନୀ ଏବଂ ପୁଅଙ୍କର ଗ୍ରୀନ୍ କାର୍ଡ ବି ରଦ୍ଦ କରାଯାଇଛି । ସୟଦ ଈସା ହାଶମୀଙ୍କ ମାଆଙ୍କର ନାମ ମାସୂମେହ ଏବ୍ତେକାର ।
୧୯୭୯ରେ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ ବେଳେ ହମଲାକାରୀଙ୍କ ସପକ୍ଷରେ ଏବ୍ତେକାର ବୟାନ ଦେଇଥିଲେ । ପରେ ସେ ଇରାନର ପ୍ରଥମ ମହିଳା ଉପରାଷ୍ଟ୍ରପତି ହୋଇଥିଲେ । ଏବେ ତାଙ୍କର ସେହି କାର୍ଯ୍ୟକୁ ଦୃଷ୍ଟିରେ ରଖି ତାଙ୍କ ପୁତ୍ର ଓ ପରିବାରକୁ ଟାର୍ଗେଟ୍ କରାଯାଉଛି । ଏହି କାର୍ଯ୍ୟାନୁଷ୍ଠାନକୁ ଅନେକଙ୍କ ତରଫରୁ ବିରୋଧ କରାଯାଇଛି । ଗତ ସପ୍ତାହରେ ମଧ୍ୟ ଆମେରିକାରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଜେନେରାଲ କାସିମ ସୁଲେମାନୀଙ୍କ ଝିଆରୀ ଏବଂ ତାଙ୍କ ଝିଅଙ୍କର ଗ୍ରୀନ୍ କାର୍ଡ ରଦ୍ଦ କରାଯାଇଥିଲା । ସୁଲେମାନୀ ୨୦୨୦ ଜାନୁଆରୀରେ ବାଗଦାଦରେ ହୋଇଥିବା ଆମେରିକୀୟ ହମଲାରେ ପ୍ରାଣ ହରାଇଥିଲେ । ଇସଲାମାବାଦରେ ବୈଠକ ବେଳେ ଇରାନ ଉପରେ ଚାପ ପକାଇବା ପାଇଁ ଆମେରିକା ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।
ଅଧିକ ପଢ଼ନ୍ତୁ-ଇରାନକୁ ନୂଆ ଏୟାର ଡିଫେନ୍ସ ସିଷ୍ଟମ ଦେବ ଚୀନ୍ ତେହରାନ୍,ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ସୁଦୃଢ଼ କରିବାକୁ ଉଦ୍ୟମ