ନୂଆଦିଲ୍ଲୀ,୨୮।୮: ଆମେରିକା ସବୁବେଳେ ନିଜର ଏଫ୍-୩୫ ଫାଇଟର ଜେଟ୍କୁ ନେଇ ଗର୍ବ କରିଥାଏ। ଏହା ଦୁନିଆର ସବୁଠାରୁ ଉନ୍ନତ ଫାଇଟର ଜେଟ୍। କିନ୍ତୁ ନିକଟରେ ଘଟିଥିବା ଏକ ଘଟଣା ଜେଟ୍କୁ ନେଇ ସାରା ଦୁନିଆକୁ ଚକିତ କରିଛି। ଆମେରିକା ବାୟୁସେନାର ଏକ ଏଫ୍-୩୫ ଜେଟ୍ ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଦୁର୍ଘଟଣା ପୂର୍ବରୁ ପାଇଲଟ୍ ବିମାନକୁ ରକ୍ଷା କରିବାର ସବୁ ପ୍ରକାର ଚେଷ୍ଟା କରିଥିଲେ।

ବିମାନରେ  ଥିବା ତ୍ରୁଟିକୁ ଠିକ୍ କରିବା ପାଇଁ ପାଇଲଟ୍ ଆକାଶରେ ୫୦ ମିନିଟ୍ ପର୍ଯ୍ୟନ୍ତ ଲକହିଡ୍ ମାର୍ଟିନର ୫ ଇଞ୍ଜିନିୟରଙ୍କ ସହ କନଫ୍ରେନ୍ସ କଲ୍ କରିଥିଲେ। ଯେତେବେଳେ ଏହି ଚେଷ୍ଟା ବିଫଳ ହୋଇଥିଲା ପାଇଲଟ୍ ପାରାଚୁଟ୍ ସାହାଯ୍ୟରେ ବିମାନର ତଳକୁ ଡେଇଁ ପଡିଥିଲେ। ଏହାପରେ ଜେଟ୍ ଆଲାସ୍କାର ରନଓ୍ବେରେ କ୍ରାସ୍ ହୋଇଯାଇଥିଲା। ଦୁର୍ଘଟଣାର କାରଣ ଜେଟ୍ ହାଇଡ୍ରୋଲିକ୍ ସିଷ୍ଟମରେ ବରଫ ଜମିବା ବୋଲି କୁହାଯାଉଛି, ଯାହାଫଳରେ ଲ୍ୟାଣ୍ଡିଂ ଗିଅର ଜାମ୍ ହୋଇଯାଇଥିଲା। 

ଉଡାଣ ଭରିବା ମାତ୍ରେ ପାଇଲଟ୍ ଗିୟର ଫେରାଇ ନେବାର ଚେଷ୍ଟା କରିଥିଲେ, କିନ୍ତୁ ବାମ ପଟେ ଅଟକି ଯାଇଥିଲା। ଗିୟର ପୁଣିଥରେ ତଳକୁ କରିବାର ଚେଷ୍ଟା ମଧ୍ୟ ବିଫଳ ହୋଇଥିଲା।  ଜେଟ୍ର ସେନ୍ସର ଭୁଲ ସଙ୍କେତ ଦେଇଥିଲା ଯେ, ବିମାନ ତଳକୁ ଓହ୍ଲାଇ ସାରିଛି। ଯାହାଫଳରେ ଜେଟ୍ ନିୟନ୍ତ୍ରଣ ହରାଇ ବସିଥିଲା। ପାଇଲଟ୍ ଆକାଶରେ ଇଞ୍ଜିନିୟରଙ୍କ ସହ କନଫ୍ରେନ୍ସ କଲ୍ ଆରମ୍ଭ କରିଥିଲେ ଓ ପ୍ରାୟ ୫୦ ମିନିଟ୍ ଠିକ୍ କରିବାର  ଚେଷ୍ଟା କରିଥିଲେ। ଏହି ସମୟରେ ଦୁଇ ଥର ‘ଟଚ୍ ଆଣ୍ଡ ଗୋ’ ଲ୍ୟାଣ୍ଡିଂର ଚେଷ୍ଟା କରାଯାଇଥିଲା।  ତେବେ ସେନ୍ସର ଭୁଲ ସଙ୍କେତ କାରଣରୁ ଜେଟ ପୁରା ନିୟନ୍ତ୍ରଣ ହରାଇ ବସିଥିଲା।