ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ଥଙ୍କ ପରଲୋକ

ନୁଆଦିଲ୍ଲୀ ୫/୬: ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ଥଙ୍କର ଆମେରିକାରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନରୁ ଅସୁସ୍ଥ ପନ୍ଥ ଆମେରିକା ୟୁନିଭର୍ସିଟି ଅଫ ଟେକ୍ସାସର ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁ ଖବରକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତ ଗଭୀର ଶୋକବ୍ୟକ୍ତ କରିବା ସହ ରାଜ୍ୟରେ ୩ ଦିବସୀୟ ସରକାରୀ ଶୋକ ଘୋଷଣା କରିଛନ୍ତି। ଗୁରୁବାର ଅର୍ଥାତ ଜୁନ ୬ ତାରିଖରେ ଉତ୍ତରାଖଣ୍ଡର ସମସ୍ତ ସରକାରୀ ଓ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟ ସମେତ ପ୍ରତିଷ୍ଠାନ ବନ୍ଦ ରହିବ।
ପ୍ରକାଶ କିଛି ଦିନ ପୂର୍ବରୁ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ଏହା ପୂର୍ବରୁ ଦିଲ୍ଲୀରେ ରାଜୀବ ଗାନ୍ଧୀ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିଲା । ତେବେ ତାଙ୍କ ରୋଗ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନି । ସେ ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।
ପ୍ରକାଶ ପନ୍ଥ ଉତ୍ତରାଖଣ୍ଡର ପିଥୌରାଗଡ ବିଧାନସଭାରୁ ୨୦୦୨ ରୁ ୨୦୦୭ରେ ନିର୍ବାଚିତ ହୋଇଥିଲେ । ବଜେଟ୍ ଅଧିବେଶନ ସମୟରେ ବିଧାନସଭାରେ ବଜେଟ୍ ଆଗତ କରିବା ସମୟରେ ପ୍ରକାଶ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ସେ ସମ୍ପୂର୍ଣ୍ଣ ବଜେଟ୍ ଭାଷଣ ପଢିପାରିଲେନି । ସେହି ସମୟରେ ତାଙ୍କ ବଜେଟ୍ ସିଏମ୍ ରାୱତ ସମ୍ପୂର୍ଣ୍ଣ କରିଥିଲେ ।