ଡେରାଡୁନ,୨୨।୭(ଏଜେନ୍ସି): ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଏବେ ଚର୍ଚ୍ଚାରେ । ତାହାର କାରଣ ହେଉଛି ଗତ ଏପ୍ରିଲରୁ ଜୁନ ୩ମାସ ହେଲା ଏଠାରେ ଜଣେ ହେଲେ କନ୍ୟା ସନ୍ତାନ ଜନ୍ମ ହୋଇନାହାନ୍ତି । ଆଶା କର୍ମୀମାନେ ଦାଖଲ କରିଥିବା ସନ୍ତାନ ଜନ୍ମ ରିପୋର୍ଟ ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଛି । ଏଥିରୁ ଜିଲ୍ଲାରେ କନ୍ୟାଭ୍ରୂଣ ହତ୍ୟା ଘଟଣାର ଗନ୍ଧ ବାରିହୋଇ ପଡୁଛି । ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ଆଦେଶ ଦିଆଯାଇଥିବା ଜିଲ୍ଲା ମାଜିଷ୍ଟ୍ରେଟ ଡକ୍ଟର ଆଶିଷ ଚୌହାନ ସୂଚନା ଦେଇଛନ୍ତି ।
{"id":28721,"align":"right","width":411,"height":341}
ରିପୋର୍ଟ ଅନୁସାରେ ଉତ୍ତରକାଶୀର ୧୩୩ଟି ଗାଁରେ ଗତ ୩ ମାସ ଭିତରେ ପ୍ରାୟ ୨୧୮ ଜଣ ଶିଶୁ ଜନ୍ମ ହୋଇଛନ୍ତି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ସବୁ ସନ୍ତାନ ହେଉଛନ୍ତି ପୁତ୍ର । ଗୋଟିଏ ହେଲେ କନ୍ୟା ସନ୍ତାନ ନାହାନ୍ତି । ଏହା ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ କହିଛନ୍ତି ଯେ ଏହି ଘଟଣାରୁ କିଛି ଗଡବଡ ଲାଗୁଛି । ଏହାର ତଦନ୍ତ ହେଲେ ପୁରା ତଥ୍ୟ ସାମ୍ନାକୁ ଆସିବ । ସେ କହିଛନ୍ତି ସବୁ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ପରୀକ୍ଷା କରାଯିବାର ଆବଶ୍ୟକତା ରହିଛି । ଯଦି କେହି ଦୋଷୀ ବୋଲି ଜଣାପଡିବ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିଭଳି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଏଭଳି ରିପୋର୍ଟକୁ ସ୍ୱୀକାର କରିଛନ୍ତି । କହିଛନ୍ତି ଏହା କିଭଳି ହେଲା ତାହାର ସବିଶେଷ ଯାଞ୍ଚ କରିବାକୁ କୁହାଯାଇଛି । ଯଦି କୌଣସି ସରକାରୀ ଅଧିକାରୀ, ଡାକ୍ତର କିମ୍ବା ଗର୍ଭ ପରୀକ୍ଷା କେନ୍ଦ୍ର ଏଥିରେ ସାମିଲଥିବାର ଜଣାପଡିବ ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
{"id":28722,"align":"left","width":399,"height":224}
ସେହିଭଳି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ବିଜୟ ବଡଥ୍ୱଲ କହିଛନ୍ତି ଏହା ଗଭୀର ଚିନ୍ତାଜନକ ବିଷୟ । ଏହା ପ୍ରକୃତିର ବିପରୀତ । ମହିଳା କମିଶନ ଏହା ଉପରେ ନଜର ରଖିଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଠାରୁ ସବିଶେଷ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଇତିମଧ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ ଚୌହାନ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଜିଲ୍ଲାର ୧୪୭ଟି ଗାଁକୁ ରେଡ୍ ଜୋନ୍ରେ ସାମିଲ କରାଯାଇଛି । ସେହି ସବୁ ଗାଁକୁ ଭ୍ରୂଣ ଲିଙ୍ଗ ନିରୂପଣ ଦୃଷ୍ଟିରୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ପ୍ରତ୍ୟେକ ଗାଁରେ ତଦନ୍ତ କରିବା ଲାଗି ପୃଥକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ସେମାନଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ।
୨୦୧୧ ଜନଗଣନା ଅନୁସାରେ ଉତ୍ତରକାଶୀର ଲିଙ୍ଗ ଅନୁପାତ ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ରହିଥିଲା ୯୬୩ । ଜାତୀୟ ହାର ଠାରୁ ଏହା ସନ୍ତୋଷଜନକ ଥିଲା । କିନ୍ତୁ ଏପ୍ରିଲ ୧ ତାରିଖ ଠାରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଓ ହସ୍ପିଟାଲରେ ହୋଇଥିବା ପ୍ରସବ ସମ୍ପର୍କିତ ସ୍ୱାସ୍ଥ୍ୟ ଅଧିକାରୀ ଓ ଆଶାକର୍ମୀଙ୍କ ରିପୋର୍ଟ ପ୍ରଶାସନକୁ ଘୋର ଚିନ୍ତାରେ ପକାଇ ଦେଇଛି । ଏଭଳି କେତେକ ଗ୍ରାମ ରହିଛି ଯେଉଁଠାରେ ବାଳିକାଙ୍କ ଜନ୍ମ ଅନୁପାତ ୨୫ ପ୍ରତିଶତରୁ କମ୍ ରହିଛି । ଚୌହାନଙ୍କ କହିବାନୁଯାୟୀ ଜିଲ୍ଲାର ୩ଟି ବ୍ଲକ ଯଥା ଭଟୱାଡି, ହୁଣ୍ଡା ଓ ଚିନ୍ୟାଲିସୌଡ ଅଞ୍ଚଳର ଚିତ୍ର ଅଧିକ ସଙ୍ଗୀନ ରହିଛି । ଏହି ବ୍ଲକ୍ରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ କନ୍ୟା ସନ୍ତାନ ଜନ୍ମ ସଂଖ୍ୟା ପୁଅଙ୍କ ତୁଳନାରେ ବହୁତ କମ୍ ରହିଥିଲା ବେଳେ ଏପ୍ରିଲରୁ ଜୁନ୍ ମଧ୍ୟରେ କନ୍ୟା ସନ୍ତାନ ଜନ୍ମ ହୋଇନାହାନ୍ତି ।