ଟିକା ବଦଳରେ ଉପହାର: ଗାଁରେ ଟିକାକରଣ କ୍ୟାମ୍ପର ଆୟୋଜନ କଲେ ଫଟୋ ଷ୍ଟୁଡିଓ ମାଲିକ, ଭ୍ୟାକ୍ସିନ୍ ନେଉଥିବା ବ୍ୟକ୍ତିଙ୍କୁ ବାଣ୍ଟିଲେ ରୋଷେଇ ବାସନ

ନୂଆଦିଲ୍ଳୀ ୦୪/୦୬: କରୋନା ମହାମାରୀ ସମୟରେ ଟିକାକୁ ଏକମାତ୍ର ଅସ୍ତ୍ର ବୋଲି ବିଶେଷଜ୍ଞ ମାନେ କହୁଛନ୍ତି । ଏହି ସ୍ଥିତିରେ ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଲାଗି ଭିଲ୍ଲୁପୁରମ୍ର ଜଣେ ଫଟୋ ଷ୍ଟୁଡିଓ ମାଲିକ ଉଲୁନ୍ଦୁରପେଟ ନିକଟସ୍ଥ ଏକ ଗାଁ ବାସିନ୍ଦାଙ୍କୁ ଉପହାର ବାଣ୍ଟିଛନ୍ତି । ଗତ ୩ ଦିନରୁ କିଲିୟୁର ସ୍ଥିତ ଏକ ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ୍ କୁନ୍ନାଥୁର ଗାଁରେ ଟିକାକରଣ କ୍ୟାମ୍ପର ଆୟୋଜନ କରିଛନ୍ତି ।
ଗୁଜବ ଓ ଭୟ ଯୋଗୁ ପ୍ରଥମ ଦିନ ଗାଁର ମାତ୍ର ୨୫ ଜଣ ଟିକା ନେଲେ । ଏହି ପରିସ୍ଥିତିରେ ୩୦ ବର୍ଷୀୟ ଫଟୋ ଷ୍ଟୁଡିଓ ମାଲିକ ଆର୍ ଥାମ୍ବିଦୁରାଇ ଏକ ଉପାୟ ଚିନ୍ତାକଲେ । ଲୋକଙ୍କୁ ଟିକା ନେବାକୁ ଉତ୍ସାହିତ କରିବାକୁ ସେ କିଛି ରୋଷେଇ ବାସନ ଯଥା- ପ୍ଲେଟ୍, ଟିଫିନ୍ ଆଦିର ବ୍ୟବସ୍ଥା କଲେ । ଟିକା ନେଉଥିବା ବ୍ୟକ୍ତିଙ୍କୁ ସେହି ସାମଗ୍ରୀ ଗୁଡ଼ିକୁ ଉପହାର ସ୍ୱରୂପ ପ୍ରଦାନ କରିବାକୁ ସେ ନିଷ୍ପତ୍ତି ନେଲେ । ତାଙ୍କର ଏହି ତରିକା ସଫଳ ହେଲା । ଗାଁର ୮୦ ଜଣ ଟିକା ନେଲେ । ଧୀରେ ଧୀରେ ଟିକା ନେବାକୁ ଲୋକଙ୍କ ଭିଡ଼ ଜମିଲା । ତାଙ୍କର ଏହି ପ୍ରୟାସକୁ ଗ୍ରାମବାସୀ ଖୁବ୍ ପ୍ରଶଂସା କରୁଛନ୍ତି । ଟିକାକରଣର ମହତ୍ୱ ବୁଝି ଗାଁର ଅଧିକାଂଶ ଲୋକ ଏହାର ଡୋଜ୍ ନେବାକୁ ଆଗଭର ହୋଇଛନ୍ତି।