ନୂଆଦିଲ୍ଲୀ,୨୮/୫ : ଆଇପିଏଲ୍ ୨୦୨୬ର ଏଲିମିନେଟର ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କ ଧୂଆଁଧାର ବ୍ୟାଟିଂ ପୂରା ବିଶ୍ବ ଦେଖିଲା । ବୈଭବ ୨୯ବଲରେ ୮୭ରନ୍ କରିଥିଲେ ଏବଂ ଏହି ପାଳିରେ ୧୨ଛକ୍କା ଏବଂ ୫ଚୌକା ଲଗାଇଥିଲେ । ଏଲିମିନେଟରରେ ରାଜସ୍ଥାନ ସନରାଇଜର୍ସ ହାଇଦ୍ରାବାଦକୁ ୪୭ରନରେ ହରାଇଛି । ସେହିଭଳି ମ୍ୟାଚ୍ ଜିତାଇବା ପାଳି ଲାଗି ବୈଭବ ସୂର୍ଯ୍ୟବଂଶୀଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଚୟନ କରାଯାଇଥିଲା । ଏହି ଐତିହାସିକ ପାଳି ପରେ ବୈଭବ ନିଜ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ।
ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ବୈଭବ ଆଇପିଏଲର ସବୁଠାରୁ ଦ୍ରୁତ ଶତକ ଲଗାଇପାରିନଥିଲେ । କିନ୍ତୁ ସେ ଗୋଟିଏ ସିଜନରେ ସବୁଠାରୁ ଅଧିକ ଛକ୍କା ଲଗାଇବାରେ କ୍ରିସ୍ ଗେଲଙ୍କ ରେକର୍ଡ଼ ଭାଙ୍ଗି ଦେଇଥିଲେ । ଏବେ ପର୍ଯ୍ୟନ୍ତ ବୈଭବ ଆଇପିଏଲ୍ ୨୦୨୬ରେ ପ୍ରାୟ ୬୫ଛକ୍କା ଲଗାଇଦେଇଛନ୍ତି । ଏଲିମିନେଟର ମ୍ୟାଚ୍ ପରେ ବୈଭବ ସୂର୍ଯ୍ୟବଂଶୀ ଇନଷ୍ଟାଗ୍ରାମରେ ନିଜ ଫଟୋ ସେୟାର କରିଛନ୍ତି । ଏହାସହ କ୍ୟାପଶନରେ ଲେଖିଛନ୍ତି, ‘ରନର ଆହୁରି ଭୋକ ଅଛି’ । ବୈଭବଙ୍କ ଏହି ପୋଷ୍ଟରେ ସୁରେଶ ରୈନାଙ୍କ ବି କମେଣ୍ଟ ଆସିଛି । ସୁରେଶ ରୈନା ଲେଖିଛନ୍ତି, ବହୁତ ଭଲ ଭାଇ, ଶାନଦାର୍ ପାଳି । ବଲିଉଡ଼ ଅଭିନେତା ଏବଂ ମଡେଲ ଶାହନାଜ ଗିଲ ବି ବୈଭଙ୍କ ପ୍ରଶଂସା କରିବାକୁ ଯାଇ ନିଜକୁ ରୋକି ପାରି ନଥିଲେ । ଶାହନାଜ ଲେଖିଛନ୍ତି, ଭାଇ ଆମକୁ ଆପଣଙ୍କ ଉପରେ ବହୁତ ଗର୍ବ ଅଛି । ବୈଭବ ନିଜର ଛୋଟ ଆଇପିଏଲ୍ କ୍ୟାରିୟରରେ କେତେକ ବଡ଼ ରେକର୍ଡ଼ ଧ୍ବଂସ କରିଛନ୍ତି ।
୨୨ମାର୍ଚ୍ଚରୁ ୯୩୨ରନ୍ କରି ସାରିଛନ୍ତି । ତାଙ୍କ ନାମରେ ୨ଶତକ ଏବଂ ୫ଅର୍ଦ୍ଧଶତକ ରହିଛି । ତାଙ୍କ କ୍ୟାରିୟର ଷ୍ଟ୍ରାଇକ ରେଟ ୨୩୧.୮୪ର ଅଟେ, ଯାହା ଅବିଶ୍ବସନୀୟ ଅଟେ । ଏହାଠାରୁ ବି ଆଶ୍ଚର୍ଯ୍ୟର କଥା ହେଲା କି ସେ ନିଜ କ୍ୟାରିୟରରେ ଚୌକାରୁ ଅଧିକ ଛକ୍କା ଲଗାଇଛନ୍ତି । ବୈଭବ ନିଜ ଆଇପିଏଲ୍ କ୍ୟାରିୟରରେ ୮୯ଛକ୍କା ଏବଂ ୭୩ଚୌକା ଲଗାଇଛନ୍ତି ।