ନୂଆଦିଲ୍ଲୀ,୦୭/୦୬; ୧୫ ବର୍ଷିୟ ବୈଭବ ସୂର୍ଯ୍ୟବଂଶୀ ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଭାରତୀୟ ଦଳ (ସିନିୟର)ରେ ସ୍ଥାନ ହାସଲ କରିଛନ୍ତି । ଆଗାମୀ ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟିଟ୍ୱେଣ୍ଟି ଦଳରେ ତାଙ୍କୁ ସାମିଲ କରାଯାଇଛି । ୮୦ ଦଶକରେ ସଚିନ ତେନ୍ଦୁଲକର ୧୬ ବର୍ଷ ୨୦୫ ଦିନ ବୟସରେ ଟେଷ୍ଟ ପଦାର୍ପଣ କରିଥିଲେ । ବୈଭବ ତାଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ସଦ୍ୟ ସମାପ୍ତ ଆଇପିଏଲ୍ରେ ସେ ୨୩୭.୩୦ ଷ୍ଟ୍ରାଇକ ରେଟ୍ରେ ୭୭୬ ରନ ସଂଗ୍ରହ କରି ସିନିୟର ଦଳରେ ସ୍ଥାନ ପାଇବା ପାଇଁ ଚୟନକର୍ତ୍ତାଙ୍କୁ ବାଧ୍ୟ କରିପାରିଛନ୍ତି । ଟିମ୍ ଇଣ୍ଡିଆରେ ଡାକରା ଆସିବା ପରେ ବଡ଼ କଥା କହିଛନ୍ତି ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ । ସେ କେବଳ ଖେଳିବାକୁ ଚାହୁଁନାହାନ୍ତି ୧୦ ରୁ ୨୦ ବର୍ଷ ଆଧିପତ୍ୟ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ବିସ୍ମୟ ବାଳକ ବୈଭବ ।
ବୈଭବ ସୂର୍ଯ୍ୟବଂଶୀ ତାହା ହାସଲ କରିସାରିଛନ୍ତି ଯାହା ଅଧିକାଂଶ କ୍ରିକେଟର ନିଜର ସମଗ୍ର କ୍ୟାରିୟରରେ ହାସଲ କରିବାକୁ ଆଶା ରଖନ୍ତି । IPLରେ ଏକ ଚମତ୍କାର ପ୍ରଦର୍ଶନ ପରେ ସେ ମାତ୍ର ୧୫ ବର୍ଷ ବୟସରେ ଭାରତ ଡାକରା ପାଇଛନ୍ତି । ବିଶ୍ୱ କ୍ରିକେଟରେ ସବୁଠାରୁ ଚର୍ଚ୍ଚିତ ଯୁବ ଖେଳାଳିଙ୍କ ମଧ୍ୟରୁ ଜଣେ ବୈଭବ । ଯୁବ ଷ୍ଟାର ପ୍ଲେୟାର ରାଜସ୍ଥାନ ରୟାଲ୍ସ ବ୍ୟାଟର ବିଶ୍ୱାସ କରନ୍ତି ଯେ, ସେ ଯାହା ହାସଲ କରିବାକୁ ଚାହାଁନ୍ତି ତାହାର କେବଳ ଆରମ୍ଭ । ରାଜସ୍ଥାନ ରୟାଲ୍ସର ଅଫିସିଆଲ୍ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏକ ସାକ୍ଷାତକାରରେ, ସୂର୍ଯ୍ୟବଂଶୀ ତାଙ୍କର ଲକ୍ଷ୍ୟ ବିଷୟରେ କହିଛନ୍ତି । ଯାହା ତାଙ୍କୁ ପ୍ରେରଣା ଦିଏ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର ଲକ୍ଷ୍ୟ କେବଳ ଦୀର୍ଘ ସମୟ ପାଇଁ କ୍ରିକେଟ୍ ଖେଳିବା ନୁହେଁ। ସେ ବର୍ଷ ବର୍ଷ ଧରି ଖେଳ ଉପରେ ରାଜତ୍ୱ କରିବା । ପ୍ରତ୍ୟେକ ମ୍ୟାଚ୍ କୁ ଜଣେ ଖେଳାଳିଙ୍କ ମାନସିକତା ସହିତ ଦେଖିବାକୁ ଚାହାଁନ୍ତି ଯିଏ ନିଜେ ଖେଳ ଶେଷ କରିପାରିବ ।
ବୈଭବ ଆହୁରି କହିଛନ୍ତି, ମୁଁ ଯେତେବେଳେ ବି କ୍ରିକେଟ୍ ଖେଳେ, ଆଗାମୀ ୨୦ ବର୍ଷ ପାଇଁ, ଯେତେ ଦିନ ପର୍ଯ୍ୟନ୍ତ ମୁଁ ଖେଳିବି, ଯେପର୍ଯ୍ୟନ୍ତ ଭଗବାନ ମୋତେ ସୁଯୋଗ ଦିଅନ୍ତି, ଦେଶ ପାଇଁ, ଯେକୌଣସି ଫ୍ରାଞ୍ଚାଇଜି ପାଇଁ, ଯେକୌଣସି ଦଳ ପାଇଁ, ମୁଁ ଏପରି ଭାବରେ ଖେଳିବା ଉଚିତ ଯେ ଯେତେବେଳେ ଲୋକମାନେ ମ୍ୟାଚ୍ ଦେଖନ୍ତି, ସେମାନେ କହିବେ ଯେ, ଏପରି ଜଣେ ଖେଳାଳି ଅଛନ୍ତି ଯିଏ ଯେତେବେଳେ ଖେଳନ୍ତି, ଏକାକୀ ମ୍ୟାଚ୍ ଶେଷ କରନ୍ତି ।
ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ କରି ସିନିୟର ଦଳରେ ସ୍ଥାନ ହାସଲ କରିଛନ୍ତି । ଗତ ଆଇପିଏଲ୍ରେ ନିଜର ଦମଦାର ପ୍ରଦର୍ଶନ ବଳରେ ସେ ରଜତ ପାଟିଦାର, ଦେବଦତ୍ତ ପାଡ଼ିକଲ, ଶୁଭମନ ଗିଲ୍, ଯଶସ୍ୱୀ ଜୈସ୍ୱାଲ୍ଙ୍କ ଭଳି ବହୁ ଦାବିଦାରଙ୍କୁ ପଛରେ ପକାଇ ଦଳରେ ସ୍ଥାନ ହାସଲ କରିଛନ୍ତି । ତିଳକ ବର୍ମାଙ୍କୁ ନୂଆ ଉପ ଅଧିନାୟକ ଭାବେ ନିଯୁକ୍ତି ମିଳିଛି । ଆଗାମୀ ଲସ ଏଞ୍ଜଲ୍ସ ଅଲିମ୍ପିକ୍ସ ଓ ୨୦୨୮ ଟି-ଟ୍ୱେଣ୍ଟି ବିଶ୍ୱକପ୍କୁ ନଜରରେ ରଖି ଚୟନକର୍ତ୍ତା ଏକ ସୁଦୃଢ଼ ତଥା ସନ୍ତୁଳିତ ଦଳ ପ୍ରସ୍ତୁତ କରିଥିବା ଦାବି କରିଛନ୍ତି ।
ଏହା ବି ପଢନ୍ତୁ...Rohit on Surya: 'ସୂର୍ଯ୍ୟଙ୍କୁ କିଛି ସହଜରେ ମିଳି ନଥିଲା'; କ୍ୟାପ୍ଟେନ୍ସି ହରାଇବା ପରେ ସ୍କାଏଙ୍କୁ ନେଇ ଏମିତି କହିଲେ ରୋହିତ