ନୂଆଦିଲ୍ଲୀ,୦୬/୦୨; ୧୫ ଛକା, ୧୫ ଚୌକା । ୫୦ ବଲ୍‌ ଅର୍ଦ୍ଧଶତକ । ୫୫ ବଲରେ ଶତକ । ୮୦ ବଲରେ ୧୭୫ରନ୍‌ ଧମାକା । ବୈଭବ ସୂର୍ଯ୍ୟବଂଶୀ ନୁହେଁ ଭୈରବ ବିସ୍ଫୋରଣ । ବ୍ରିଟିଶ୍ ବାହିନୀକୁ ଘାଇଲା କଲେ ସୂର୍ଯ୍ୟବଂଶୀ । ୧୯ ବର୍ଷରୁ କମ୍ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି । ହରାରରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଧୂଆଁଧାର ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ରିପୋର୍ଟ ଲେଖାଯିବା ସୁଦ୍ଧା ୨୮ ଓଭର ଖେଳରେ ଭାରତ ୩ ୱିକେଟ ହରାଇ ୨୮ ରନ କରିଛି । ଦଳୀୟ ସ୍କୋର ୩୦୦ ମୁହାଁ ହୋଇଛି । ୧୪ ବର୍ଷୀୟ ବୈଭବ ଦମଦାର ପାଳି ଖେଳିଛନ୍ତି । ୧୭୫ ରନ କରି ମ୍ୟାନି ଲମ୍ସଡେନଙ୍କ ବଲରେ ଆଉଟ୍ ହୋଇଛନ୍ତି । ହେଲେ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଏହି ଦମଦାର ଇନିଂସ ସହ ବୈଭବ ଚଳିତ ବିଶ୍ୱକପରେ ୪୩୯ ରନ୍‌ ସହ ଟପ୍ ସ୍କୋରର ହୋଇଛନ୍ତି । ତାଙ୍କ ତଳକୁ ଆଫଗାନିସ୍ତାନର ଫୈଜଲ ୪୩୬ ରନ୍ କରିଛନ୍ତି ।

ଏହା ବି ପଢନ୍ତୁ...ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟ୍କା; ଟୁର୍ଣ୍ଣାମେଣ୍ଟରୁ ଆଉଟ୍ ଏହି ଷ୍ଟାର ପ୍ଲେୟାର, ୧୫ ବର୍ଷ ପରେ ଏମିତି ସ୍ଥିତି

ଷଷ୍ଠ ଟ୍ରଫି ଲକ୍ଷ୍ୟ- ୧୯ବର୍ଷରୁ କମ୍ ଦିନିକିଆ ବିଶ୍ୱକପ୍‌ ଫାଇନାଲ୍ ମ୍ୟାଚ ୫ଥର ଚାମ୍ପିଅନ୍ ଭାରତ- ଇଂଲଣ୍ଡ ମଧ୍ୟରେ ଲଢେଇ ଜାରି ରହିଛି । ଉଭୟ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଇଂଲଣ୍ଡ ସେମି ଫାଇନାଲ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ହରାଇ ଟାଇଟଲ ଦାବିଦାର ରୂପେ ଉଭା ହୋଇଛି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୫ଟି ମ୍ୟାଚରୁ ଭାରତ ୩ଟିରେ ଜିତିଥିବା ବେଳେ ଇଂଲଣ୍ଡ ୨ଟିରେ ବିଜୟୀ ହୋଇଛି । ପୂର୍ବରୁ ଇଂଲଣ୍ଡ କେବଳ ଥରେ ୧୯୯୮ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ଶେଷ ଥର ପାଇଁ ୨୦୨୨ ବିଶ୍ୱକପ୍ ଫାଇନାଲ୍ରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ୟଶ ଧୂଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଉକ୍ତ ମ୍ୟାଚ ଜିତି ପଞ୍ଚମ ଥର ପାଇଁ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ୪ବର୍ଷ ତଳର ପରାଜୟକୁ ଭୁଲି ନଥିବା ଇଂଲଣ୍ଡ ଏଥର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଭାରତ ବ୍ରିଟିଶ୍ ବାହିନୀକୁ ହରାଇ ଷଷ୍ଠ ଟ୍ରାଫି ଜିତିବା ଲକ୍ଷ୍ୟରେ ଖେଳୁଛି ।