ହାଜିପୁର,୩୦।୯: ବିହାରରେ ସମ୍ପୂର୍ଣ୍ଣ ଭାବରେ ମଦ ବନ୍ଦ ନୀତି ସମସ୍ତଙ୍କୁ ଚକିତ କରିଛି। ଏହି କ୍ରମରେ ଏକ ଘରୋଇ ନର୍ସିଂ ହୋମ୍ ବିଷୟରେ ଖୁଲାସା ହୋଇଛି ଯେଉଁଠି ଚିକିତ୍ସା କରିବାକୁ ରୋଗୀ ଆସୁନଥିଲେ, ବଂର ମଦ ପିଇବାକୁ ଓ ବିକ୍ରି କରିବାକୁ ଲୋକ ଆସୁଥିଲେ। ଅବକାରୀ ବିଭାଗର ଏକ ଟିମ୍ ଏଭଳି ଏକ ମଦ ଫ୍ୟାକ୍ଟ୍ରିର ସନ୍ଧାନ କରିଥିଲେ, ଯାହାକୁ ଜଣେ ଡାକ୍ତର ଚଳାଉଥିଲେ। ତାହା ପୁଣି ଔଷଧ ଦୋକାନ ଓ ନର୍ସିଂ ହୋମ୍ ଆଢୁଆଳରେ ଚାଲିଥିଲା। କେବଳ ସେତିକି ନୁହେଁ ବହୁ ପ୍ରକାର ବିଦେଶୀ ମଦ ମଧ୍ୟ ତିଆରି କରାଯାଉଥିଲା। ଏହାର ପର୍ଦାଫାଶ ହେବାପରେ ଅବକାରୀ ବିଭାଗ ମଧ୍ୟ ଚକିତ ହୋଇଯାଇଥିଲା।
ହାଜିପୁର ଅବକାରୀ ବିଭାଗକୁ ଗୁପ୍ତ ସୂଚନା ମିଳିଛି ଯେ, ସଦର ଥାନା ଅନ୍ତର୍ଗତ ଶୁଭଇ ସ୍ଥିତ ଏକ ବ୍ୟକ୍ତିଗତ ଘରେ ମଦ ଫ୍ୟାକ୍ଟ୍ରି ଚଳାଯାଉଥିଲା। ଏହି ସୂଚନା ପାଇବା ପରେ ପୋଲିସ ସହିତ ଅବକାରୀ ଟିମ୍ ଚଢାଉ କରି ଘଟଣାସ୍ଥଳରେ ପହଁଞ୍ଚିଥିଲେ। ସେତେବେଳେ ଅବକାରୀ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ଭାବିନଥିଲେ ଯେ, ଏହି ଅନୁଭବ ତାଙ୍କ ପାଇଁ ପ୍ରଥମ ଓ ପୁରା ନୂଆ ହେବ। ଯେଉଁଠିକୁ ସେମାନେ ଚଢାଉ କରିବାକୁ ପହଞ୍ଚିଥିଲେ ସେହି ମଦ ଫ୍ୟାକ୍ଟ୍ରି ଆଗରେ ଏକ ଔଷଧ ଦୋକାନ ଥିଲା।
କେବଳ ସେତିକି ନୁହେଁ ଫ୍ୟାକ୍ଟ୍ରିର ମୁଖ୍ୟ ଗେଟ୍ରେ ଏକ ଘରୋଇ କ୍ଲିନିକର ବ୍ୟାନର ଲଗାଯାଇଥିଲା। ଏହାକୁ ଦେଖି ଯେ କେହି ଭାବୁଥିଲେ ସେଠାରେ ରୋଗୀଙ୍କ ଚିକିତ୍ସା ହେଉଛି। ଯେତେବେଳେ ଅଗକାରୀ ବିଭାଗର ଟିମ୍ ରୁମ୍ ଭିତରେ ପ୍ରବେଶ କରିଥିଲେ, ସେତେବେଳେ ଶତାଧିକ ବିଦେଶୀ ମଦ ବୋତଲର ରାପର, ବୋତଲ, ପ୍ରସ୍ତୁତ ହୋଇଥିବା ମଦ, ଟେଟ୍ରା ପ୍ୟାକ୍ ମଦର ରାପର, ଏପରିକି ପଞ୍ଚିଂ ମେସିନ୍ ଓ ଔଷଧ ମଧ୍ୟ ଥିଲା, ଯେଉଁଥିରୁ ବିଦେଶୀ ମଦ ତିଆରି କରାଯାଏ। ଏହାଛଡା ବ୍ୟାନ୍ ହୋଇଥିବା ୩ ଡ୍ରମ୍ ସ୍ପିରିଟ୍ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଛି।