- ସ୍ୱାଧୀନତା ଆନ୍ଦୋଳନର ସ୍ୱର ପାଲଟିଥିଲା "ବନ୍ଦେ ମାତରମ୍" : ସଂସ୍କୃତି ମନ୍ତ୍ରୀ
- ଛାତ୍ରଛାତ୍ରୀମାନେ ପାଠ କରିବେ ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ
- ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ମନୋନୀତ ହେବେ ଆତ୍ମ ନିର୍ଭର ଭାରତ ଆମ୍ବାସଡ଼ର
- ବନ୍ଦେ ମାତରମ୍ ଗାନ କରିବା ପାଇଁ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ପ୍ରଶିକ୍ଷଣ
ଭୁବନେଶ୍ୱର, ୩ ;୧ : ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ "ବନ୍ଦେ ମାତରମ୍" ଗାନ କରିବେ। ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନରେ ଆତ୍ମ ନିର୍ଭର ଭାରତ ସ୍ବଦେଶୀ ସଂକଳ୍ପ ପାଠ କରାଯିବ। ଏଥି ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆତ୍ମନିର୍ଭର ଭାରତ ଆମ୍ବାସଡ଼ର ଭାବେ ଜଣେ ବିଦ୍ୟାର୍ଥୀଙ୍କୁ ମନୋନୀତ କରାଯିବ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏଥିସହ ୟୁଥ କ୍ଲବମାନଙ୍କରେ ମଧ୍ୟ "ବନ୍ଦେ ମାତରମ୍" ଗାନ କରାଯିବ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୁବନେଶ୍ୱର ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ସୂରଜ ବନ୍ଦେ ମାତରମ୍ର ପୃଷ୍ଠଭୂମି ସମ୍ବନ୍ଧରେ ଆଲୋକପାତ କରିବା ସହ ଜାତୀୟ ଚେତନା ଏବଂ ଦେଶାତ୍ମବୋଧକ ଚିନ୍ତନରେ "ବନ୍ଦେ ମାତରମ୍"ର ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବନ୍ଦେ ମାତରମ୍ ସ୍ୱାଧୀନତା ଆନ୍ଦୋଳନର ସ୍ୱର ପାଲଟିଲା। ମା' ଭାରତୀର ଜୟଗାନ କରିବା ସହ ଆଜି ମଧ୍ୟ "ବନ୍ଦେ ମାତରମ୍" ସମସ୍ତ ଦେଶବାସୀଙ୍କୁ ସାହସ ଓ ଶକ୍ତି ପ୍ରଦାନ କରିଥାଏ ବୋଲି ସଂସ୍କୃତି ମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ଼ା. ବିଜୟ କେତନ ଉପାଧ୍ୟାୟ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡ଼. ଚନ୍ଦ୍ର ଶେଖର ହୋତା, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ, ବିଶିଷ୍ଟ ସମାଜସେବୀ ଜଗଦୀଶ ପ୍ରସାଦ ଖାଡ଼ଙ୍ଗ, ସଙ୍ଗୀତଜ୍ଞ ରଜନୀ କାନ୍ତ ମହାପାତ୍ର, ଯାମିନୀ କାନ୍ତ ମିଶ୍ର, ବନ୍ଦେ ମାତରମ୍ ମୁଖ୍ୟ ପ୍ରଶିକ୍ଷକ ନିରଞ୍ଜନ ପଣ୍ଡା, ଦୀପକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ , ଶିକ୍ଷାନୁଷ୍ଠାନମାନଙ୍କରେ ସାମୂହିକ ବନ୍ଦେ ମାତରମ୍ ଗାନ ନିମନ୍ତେ ରାଜ୍ୟବ୍ୟାପୀ "ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ"ର ଆୟୋଜନ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାକୁ ୫ଟି ମଣ୍ଡଳ ଜୟପୁର ମଣ୍ଡଳ (କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ଓ ନୂଆପଡ଼ା) ବ୍ରହ୍ମପୁର ମଣ୍ଡଳ (ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଏବଂ ନୟାଗଡ଼ ), ବାଲେଶ୍ୱର ମଣ୍ଡଳ (ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ଓ ଯାଜପୁର), ସମ୍ବଲପୁର ମଣ୍ଡଳ (ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ବରଗଡ଼, ବଲାଙ୍ଗୀର ଓ ସୁବର୍ଣ୍ଣପୁର) ଏବଂ ଭୁବନେଶ୍ୱର ମଣ୍ଡଳ (ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଏବଂ ଅନୁଗୁଳ)ରେ ବିଭକ୍ତ କରାଯାଇ ମଣ୍ଡଳ ସ୍ତରୀୟ ବନ୍ଦେ ମାତରମ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।