ନୂଆଦିଲ୍ଲୀ,୧୦। ୧୧ : ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜରେ 'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଯୋଗ ଦେଇଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କ ଗହଣରେ ସାମୂହିକ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରିବା ସହ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ସଂକଳ୍ପ ନେବାକୁ ଶପଥ ପାଠ କରାଇଥିଲେ ।
ଶ୍ରୀ ପ୍ରଧାନ ଏହି ଅବସରରେ ମହାନ ରାଷ୍ଟ୍ରଭକ୍ତ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଜାତୀୟ ସଙ୍ଗୀତର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଲମ୍ବା ସଂଘର୍ଷ ଏବଂ ଅଗଣିତ ରାଷ୍ଟ୍ର ସେବକଙ୍କ ବଳିଦାନ ପରେ ୧୯୪୭ରେ ଆମକୁ ସ୍ୱାଧୀନତା ମିଳିଥିଲା । ବନ୍ଦେ ମାତରମ୍ ସେହି ଜାତୀୟ ଚେତନାର ଉଦଘୋଷ ଥିଲା, ଯାହା ସମଗ୍ର ଦେଶକୁ ଏକ ସୂତ୍ରରେ ବାନ୍ଧିଥିଲା । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ କ୍ଲାସ୍ରୁମ୍ରେ ବନ୍ଦେ ମାତରମ୍ର ସାମୂହିକ ଗାନ ଏକ ସଶକ୍ତ ପରମ୍ପରା ଭାବରେ ସ୍ଥାପିତ ହେବା ଆବଶ୍ୟକ । ଏହା ଦ୍ୱାରା ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇପାରିବ । ସ୍ୱାଧୀନତା ସମୟରେ ଆଜାଦୀ ପାଇଁ ଏହାକୁ ଗାନ କରାଯାଉଥିଲା, କିନ୍ତୁ ଆଜି ଏକବିଂଶ ଶତାବ୍ଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଏବଂ ସମୃଦ୍ଧ ଭାରତର ନିର୍ମାଣ ପାଇଁ ବନ୍ଦେ ମାତରମ୍ ଆମର ପଥପ୍ରଦର୍ଶକ ହେବ । ବନ୍ଦେ ମାତରମ୍ର ଦିବ୍ୟ ଶକ୍ତି ଏବଂ ସ୍ୱଦେଶୀ ସଂକଳ୍ପର ଭାବନା ଅନୁରୂପ ଦେଶର ପ୍ରଗତିରେ ପ୍ରତ୍ୟେକ ଯୁବକଙ୍କର ଅଂଶଗ୍ରହଣ ଅନିବାର୍ଯ୍ୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆତ୍ମନିର୍ଭର ଭାରତର ଏହି ସଂକଳ୍ପକୁ ଆମେ ସମସ୍ତେ ମିଶି ପୂରଣ କରିବା ପାଇଁ ସେ ଆହ୍ୱାନ କରିଥିଲେ ।
ଏହି ଅବସରରେ ଶ୍ରୀ ପ୍ରଧାନ ବିଦ୍ୟାର୍ଥୀ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିବାର ସହିତ ମିଶି ସାମୂହିକ ଭାବରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବା ପାଇଁ ସଂକଳ୍ପ ଶପଥ ନେଇଥିଲେ । ବିଦ୍ୟାର୍ଥୀମାନଙ୍କର ଉତ୍ସାହ, ଜାତୀୟ ଗର୍ବ ଏବଂ ସ୍ୱଦେଶୀ ମୂଲ୍ୟବୋଧ ପ୍ରତି ସମର୍ପଣକୁ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ । ଏହି ସାର୍ଥକ ଆୟୋଜନ ପାଇଁ ରାମଜସ୍ କଲେଜ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କୁ ବନ୍ଦେ ମାତରମ୍ର ଗୌରବପୂର୍ଣ୍ଣ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଅନେକ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପ୍ରଧାନ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରି ରାମଜସ୍ କଲେଜରେ ପହଞ୍ଚିଥିଲେ ।