ପାଟଣାଗଡ, ୧୪|୭ (ଆପ୍ର): ପାଟଣାଗଡ଼ ବ୍ଳକରେ ସମିତି ସଭ୍ୟସଭ୍ୟା ଓ ଏନ୍ଏସିରେ କାଉନସିଲରଙ୍କ ଆନ୍ଦୋଳନ ଆଜି ୧୫ ଦିନରେ ପହଞ୍ଚିଛି। ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଏହାରି ପ୍ରତିବାଦରେ ଆଜି ବ୍ଳକ କାର୍ଯ୍ୟାଳୟ ସମ୍ମୁଖ ମୁଖ୍ୟ ଦ୍ଵାରରେ ସମିତି ସଭ୍ୟସଭ୍ୟାମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କ ମଧ୍ୟରୁ ଶୋଳବନ୍ଦ ପଞ୍ଚାୟତ ସମିତି ସଭ୍ୟା ତଥା ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀ, ବରପଦର, କେନ୍ଦୁମୁଣ୍ଡି, ଭରତବାହାଳ ପଞ୍ଚାୟତର ସମିତି ସଭ୍ୟା ରଜନି ଧରୁଆ, ଭୁମିସୁତା ଧରୁଆ ଓ ମଞ୍ଜରୀ ଭୁଏ ଆମରଣ ଅନସନରେ ବସିଛନ୍ତି । ସେମାନଙ୍କୁ ୨୨ ଜଣ ସମିତି ସଭ୍ୟସଭ୍ୟାଙ୍କ ସହ ୧୪ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ବିଶେଶ୍ଵରୀ ବରିହା ଏବଂ ୧୬ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ବାଲିକା ମାଝୀ ସମ୍ପୁର୍ଣ୍ଣ ଭାବରେ ସହଯୋଗ ସହ ସମର୍ଥନ କରୁଛନ୍ତି ।
ଆମରଣ ଅନସନରେ ବସିଥିବା ୪ ଜଣ ସମିତି ସଭ୍ୟାଙ୍କର କ୍ଷେତ୍ରରେ ଜଦି କିଛି ଅଘଟଣ ଘଟେ ତାହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସମିତି ସଭ୍ୟ ସଂଘର ସଭାପତି ଗୋବିନ୍ଦ ମେହେର ଓ ଫଟାମୁଣ୍ଡା ସମିତି ସଭ୍ୟ ଜୟନ୍ତ କୁମ୍ଭାର ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ସେହିପରି ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିଥିବା ବେଲେ ଅଧ୍ୟକ୍ଷା ମାନସୀ ବିଶ୍ଵାଳଙ୍କ ସମେତ ଅନ୍ୟ ୧୧ ଜଣ କାଉନସିଲର ଧାରଣାରେ ବସିଛନ୍ତି ।
ସ୍ୱାସ୍ଥ୍ୟ ବିଭଗର ଏକ ଟିମ୍ ଆମରଣ ଅନଶନରେ ବସିଥିବା ସମିତିସଭ୍ୟାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଫେରିଯାଇଥିବା ଜଣାପଡିଛି। ପ୍ରକାଶ ଥାଉକି ଗତ ୯ ମାସ ହେଲା ବ୍ଳକ ଓ ଏନ୍ଏସି ଅଞ୍ଚଳରେ ସମସ୍ତ ପ୍ରକାର ଉନ୍ନୟନ ମୁଳକ କାମ ଠପ୍ ହୋଇଯାଇଛି । ଏନେଇ ସମିତି ସଭ୍ୟସଭ୍ୟା ଓ କାଉନସିଲର ମାନେ ବିଡ଼ିଓ, ଏନ୍ଏସି ଇଓ, ଉପଜିଲ୍ଲାପାଳ, ପରିଶେଷରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରି ନିରାଶ ହେବାପରେ ପ୍ରଥମେ ୧୪ ଦିନ ଧରି ଆନ୍ଦୋଳନକୁ ଓଲ୍ଲାଇଥିଲେ । ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ ସେମାନଙ୍କ ମଧ୍ୟରୁ ଆଜି ୪ ଜଣ ସମିତି ସଭ୍ୟା ଆମରଣ ଅନସନରେ ବସିଛନ୍ତି ।